ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ବଡ଼ ଘୋଷଣା। AI କ୍ଷେତ୍ରରେ ଭାରତ ହେବ ଅଗ୍ରଣୀ ରାଷ୍ଟ୍ର। ଏଥିପାଇଁ ଦେଶରେ ୩ ବିଲିୟନ ଡଲାରର ବଡ଼ ନିବେଶ କରିବ କମ୍ପାନି। ଯାହାର ଲକ୍ଷ୍ୟ ରହିଛି ଦେଶରେ ଏଆଇକୁ ଲୋକପ୍ରିୟ କରାଇବା, ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ଉଦ୍ଭାବନକୁ ଗତି ଦେବା । ମଙ୍ଗଳବାର ଭାରତ ଗସ୍ତରେ ଆସି ଏହି ବଡ଼ ଘୋଷଣା କରିଛନ୍ତି ସମୟରେ ମାଇକ୍ରୋସଫ୍ଟର ଚେୟାରମ୍ୟାନ ଏବଂ ସିଇଓ ସତ୍ୟା ନଡେଲା।
ସତ୍ୟା ନଡେଲାଙ୍କ ଘୋଷଣା ଅନୁଯାୟୀ, କମ୍ପାନି ଭାରତରେ କ୍ଲାଉଡ୍ ଏବଂ ଏଆଇ ଭିତ୍ତିଭୂମିର ବିକାଶ ଦିଗରେ ଆଗାମୀ ଦୁଇ ବର୍ଷରେ ୩ ବିଲିୟନ ଡଲାର ବା ପ୍ରାୟ ୨୫, ୭୦୦ କୋଟି ଟଙ୍କାର ନିବେଶ କରିବ। ନଡେଲା କହିଛନ୍ତି, ‘‘ଭାରତ ଦ୍ରୁତ ଗତିରେ ଏଆଇ ଇନୋଭେସନ କ୍ଷେତ୍ରରେ ଆଗେଇ ଚାଲିଛି। ଭାରତ ଏବେ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହେବା ଲକ୍ଷ୍ୟରେ । ଏମିତିରେ ଏଆଇ ଭିତ୍ତିଭୂମି ଏବଂ କୌଶଳ ବିକାଶରେ ନିବେଶ ପାଇଁ ଆମର ଏହି ଘୋଷଣା ଭାରତକୁ ଏଆଇ-ଫାର୍ଷ୍ଟ ନେସନ କରିବାର ପ୍ରତିବଦ୍ଧତାକୁ ବଳ ଯୋଗାଇବ। ଏହାଦ୍ବାରା ଦେଶର ଲୋକ ଏବଂ ସଂସ୍ଥାଙ୍କୁ ବ୍ୟାପକ ଲାଭ ହେବ।’’
ସେ ଆହୁରି କହିଛନ୍ତି କମ୍ପାନି ଆଗାମୀ ଦୁଇ ବର୍ଷରେ ଭାରତରେ କ୍ଲାଉଡ୍ ଏବଂ ଏଆଇ ଭିତ୍ତିଭୂମି ତଥା କୌଶଳ ବିକାଶରେ ୩ ବିଲିୟନ ଡଲାରର ନିବେଶ କରିବ। ଏଥିରେ ନୂଆ ଡାଟା ସେଣ୍ଟର ସ୍ଥାପନ କରାଯିବ। ଏହି ନିବେଶର ଲକ୍ଷ୍ୟ ଭାରତରେ ଏଆଇ ଇନୋଭେସନକୁ ଗତି ଦେବା। କେବଳ ସେତିକି ନୁହେଁ ଆଗାମୀ ୫ ବର୍ଷରେ ୨ କୋଟି ଲୋକଙ୍କୁ ଏଆଇ ଦକ୍ଷତାରେ ପ୍ରଶିକ୍ଷିତ କରିବା ସହ ମାଇକ୍ରୋସଫ୍ଟ, ଭାରତର ପ୍ରତିସ୍ପର୍ଦ୍ଧା କ୍ଷମତା ବଢ଼ାଇବାରେ ମଧ୍ୟ ଯୋଗଦାନ ଦେବ। ଏହି ଟ୍ରେନିଂ କମ୍ପାନିର ଆଡଭାନଟେଜ (ADVANTA(I)GE) ଇଣ୍ଡିଆ ପ୍ରୋଗ୍ରାମର ଦ୍ବିତୀୟ ସଂସ୍କରର ଅନୁଯାୟୀ ପ୍ରଦାନ କରାଯିବ। ଏହି ପଦକ୍ଷେପକୁ ୨୦୨୪ରେ ଲଞ୍ଚ କରିଥିଲା କମ୍ପାନି।
୨୦୨୬ ବେଳକୁ କାର୍ଯ୍ୟକ୍ଷମ ହେବ ୪ର୍ଥ ଡାଟା ସେଣ୍ଟର
ବେଙ୍ଗାଲୁରୁରେ ଟେକ୍ କମ୍ପାନି ଏବଂ ଷ୍ଟାର୍ଟଅପ୍ ୟୁନିଟର ସଂସ୍ଥାପକଙ୍କୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ସମ୍ବୋଧିତ କରି ସେ କହିଛନ୍ତି, କମ୍ପାନି ଦେଶରେ ଡାଟା ସେଣ୍ଟର କ୍ୟାମ୍ପସଗୁଡ଼ିକରେ ଏହାର କ୍ଲାଉଡ୍ ଏବଂ ଏଆଇ ଇନଫ୍ରାଷ୍ଟକଚରର ବିସ୍ତାର କରିବ। ଏବେ ମାଇକ୍ରୋସଫ୍ଟର ୩ଟି ଡାଟା ସେଣ୍ଟର ରହିଛି। ୨୦୨୬ ବେଳକୁ ୪ର୍ଥ ଡାଟାସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଯିବ।
ତେଣୁ ଏହି ନିବେଶର ଲକ୍ଷ୍ୟ ଭାରତରେ ଦ୍ରୁତ ଭାବରେ ବଢ଼ୁଥିବା ଏଆଇ ଷ୍ଟାର୍ଟଅପ୍ ଏବଂ ରିସର୍ଚ୍ଚ କମ୍ୟୁନିଟିର ବଢ଼ୁଥିବା ଚାହିଦା ପୂରଣ କରିବା ପାଇଁ ଏଭଳି ଏଆଇ କମ୍ପ୍ୟୁଟିଂ ଇକେସିଷ୍ଟମ ପ୍ରସ୍ତୁତ କରିବ, ଯାହାଦ୍ବାରା ଆବଶ୍ୟକତା ହିସାବରେ ବିସ୍ତାର କରାଯାଇପାରିବ। ମାଇକ୍ରୋସଫ୍ଟ ଆଜ୍ୟୋର ବ୍ରାଣ୍ଡ୍ରେ ଏହାର କ୍ଲାଉଡ୍ କମ୍ପ୍ୟୁଟିଂ ସେବା ପ୍ରଦାନ କରିଥାଏ।