ନୂଆଦିଲ୍ଲୀ: ୨୦୨୪ରେ ବେଶ୍ ଚାଲେଞ୍ଜପୂର୍ଣ୍ଣ ରହିଥିଲା ଦେଶର ବ୍ୟବସାୟିକ ମାହୋଲ । ସାଧାରଣ ନିର୍ବାଚନ ସମୟରେ କିଛିଟା ମାନ୍ଦାବସ୍ଥା ଏବଂ ପାଣିପାଗର ପ୍ରତିକୂଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ହେଲେ ଏସବୁ ସତ୍ତ୍ବେବି ଦେଶର ଗାଡ଼ି ମାର୍କେଟ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ବିଶେଷ କରି ୨୦୨୪ରେ ଦୁଇ ଚକିଆ ଏବଂ ଯାତ୍ରୀବାହୀ ଗାଡ଼ିର ରିଟେଲ ବିକ୍ରିରେ ବୃଦ୍ଧି ବାର୍ଷିକ ଆଧାରରେ ୯ ପ୍ରତିଶତ ବୃଦ୍ଧି ହୋଇଛି।
ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏନ (FADA) ମଙ୍ଗଳବାର ଜାରି ବିବୃତ୍ତିରେ କହିଛି ଯେ, ୨୦୨୪ରେ ସମୁଦାୟ ୨,୬୧,୦୭, ୬୭୯ ୟୁନିଟ ଗାଡ଼ି ପଞ୍ଜୀକୃତ ହୋଇଛି । ଯେତେବେଳେକି ୨୦୨୩ କ୍ୟାଲେଣ୍ଡର ବର୍ଷରେ ଏହା ୨,୩୯,୨୮,୨୯୩ ୟୁନିଟ୍ ଥିଲା। ଫାଡାର ଅଧ୍ୟକ୍ଷ ସି.ଏସ.ବିଘ୍ନେଶ୍ବରଙ୍କ ସୂଚନାନୁସାରେ, ୨୦୨୪ରେ ଭୀଷଣ ଗରମ, କେନ୍ଦ୍ର ତଥା ରାଜ୍ୟରେ ନିର୍ବାଚନ ଏବଂ ପ୍ରତିକୂଳ ପାଣିପାଗ ପରସ୍ଥିତି ସତ୍ତ୍ବେ ଗାଡ଼ି ଉଦ୍ୟୋଗରେ ବିକ୍ରି ମଜଭୁତ ରହିଛି।
ସେ କହିଛନ୍ତି ଏହି ଭଲ ପ୍ରଦର୍ଶନ ପାଇଁ ଦୁଇ ଚକିଆ ଯାନର ଯୋଗାଣ, ନୂଆ ନୂଆ ମଡେଲର ବଜାର ପ୍ରବେଶ ତଥା ଗ୍ରାମାଞ୍ଚଳରେ ଗାଡ଼ିର ଚାହିଦା ବୃଦ୍ଧିର ବଡ଼ ଭୂମିକା ରହିଛି। ଅବଶ୍ୟ ଆର୍ଥିକ ବାଧା ତଥା ବଢ଼ୁଥିବା ଇଲେକ୍ଟ୍ରିକ୍ ଯାନର ଚାହିଦା ମଧ୍ୟ କଡ଼ା ଟକ୍କର ଦେଇଥିଲା।
ତେବେ ରିପୋର୍ଟ ଅନୁଯାୟୀ, ୨୦୨୪ରେ ୪୦,୭୩,୮୪୩ ୟୁନିଟ୍ ଯାତ୍ରୀବାହୀ ଗାଡ଼ି ବିକ୍ରି ହୋଇଛି। ଯାହା ୨୦୨୩ରେ ବିକ୍ରି ହୋଇଥିବା ୩୮,୭୩,୩୮୧ ୟୁନିଟ୍ ତୁଳନାରେ ୫ ପ୍ରତିଶତ ଅଧିକ। ଦୁଇ ଚକିଆ ଯାନ ବିକ୍ରି ବାର୍ଷିକ ଆଧାରରେ ୧୧ ପ୍ରତିଶତ ବଢ଼ି ୨୦୨୪ରେ ୧,୮୯,୧୨,୯୫୯ ୟୁନିଟ୍ ହୋଇଛି। ୨୦୨୩ରେ ଏହା ୧,୭୦,୭୨, ୯୩୨ ୟୁନିଟ୍ ରହିଥିଲା।
ସେହିଭଳି ତିନି ଚକିଆ ଯାନ ପଞ୍ଚୀକରଣ ବାର୍ଷିକ ଆଧାରରେ ୧୧ ପ୍ରତିଶତ ବଢ଼ି ୧୨,୨୧,୯୦୯ ୟୁନିଟ୍ ହୋଇଛି, ଯାହା ୨୦୨୩ରେ ୧୧,୦୫,୯୪୨ ୟୁନିଟ୍ ରହିଥିଲା। ଟ୍ରାକ୍ଟର ବିକ୍ରି ବାର୍ଷିକ ଆଧାରରେ ୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୪ରେ ଏହା ୮,୯୪,୧୧୨ ୟୁନିଟ୍ ରହିଛି। ସେହିଭଳି କମର୍ସିଆଲ ଯାନର ବିକ୍ରି ୨୦୨୪ରେ ୧୦,୦୪,୮୫୬ ୟୁନିଟରେ ସ୍ଥିର ରହିଛି।