ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୋମବାର ବଡ଼ ହ୍ରାସ ପରେ ମଙ୍ଗଳବାର ନିବେଶକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ସେନସେକ୍ସ ୨୩୪ ଅଙ୍କ ବଢ଼ି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୩,୭୦୦ ସ୍ତର ଉପରେ ବନ୍ଦ ହୋଇଛି । ଆଜିର ଏହି ବୃଦ୍ଧି ଯୋଗୁ ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା ବଢିଛି । ଆଜିର କାରବାର ଶେଷରେ ସବୁଠୁ ଅଧିକ ବୃଦ୍ଧି ମେଟାଲ, ଏନର୍ଜି ଓ ଅୟଲ ଆଣ୍ଡ ଗ୍ୟାସର ସେୟାରରେ ଦେଖିବାକୁ ମିଳିଛି । ତେବେ ଗୁରୁବାର ଟିସିଏସର ତ୍ରୈମାସିକ ରିପୋର୍ଟ ଆସିବା ପୂର୍ବରୁ ଆଇଟି ସେୟାରରେ ବିକ୍ରିର ଚାପ ଦେଖିବାକୁ ମିଳିଛି । ବିଏସ୍ଇ ମିଡକ୍ୟାପ୍ ସୂଚକାଙ୍କ ୦.୭୭ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୭୪ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି ।
କାରବାର ଶେଷରେ ବିଏସ୍ଇର ୩୦ ସେୟାର ବିଶିଷ୍ଟ ସେନସେକ୍ସ ୨୩୪.୧୨ ଅଙ୍କ ବା ୦.୩୦ ପ୍ରତିଶତ ଉପରକୁ ଉଠି ୭୮,୧୯୯.୧୧ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସିର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୯୧.୮୫ ଅଙ୍କ ବା ୦.୩୯ ପ୍ରତିଶତ ବଢି ୨୩,୭୦୭.୯୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିର ମୋଟ ମାର୍କେଟ୍ କ୍ୟାପ୍ ଜାନୁଆରୀ ୭ରେ ବଢି ୪୪୧.୫୯ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଜାନୁଆରୀ ୬ରେ ୪୩୮.୭୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କ ସମ୍ପତ୍ତି ପ୍ରାୟ ୨.୮ ଲକ୍ଷ କୋଟି ଟଙ୍କା ବଢିଛି ।
ବିଏସ୍ଇ ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୦ ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରୁ ଟାଟା ମୋଟର୍ସର ସେୟାରରେ ସବୁଠୁ ଅଧିକ ୨.୨୫ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଜୋମାଟୋର ସେୟାରରେ ସବୁଠୁ ଅଧିକ ୪.୫୯ ପ୍ରତିଶତ ହ୍ରାସ ଘଟିଛି ।