୨୦୨୪ରେ RBI କିଣିଛନ୍ତି ଅସୁମାରୀ ସୁନା, ପାଲଟିଛନ୍ତି ବିଶ୍ୱର ଦ୍ୱିତୀୟ କ୍ରୟକାରୀ ଦେଶ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୮।୧: ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତ ନଭେମ୍ବରରେ ୮ ଟନ ସୁନା କିଣିଛନ୍ତି। ଏହା ସହିତ ୨୦୨୪ରେ ଦେଶର ସ୍ୱର୍ଣ୍ଣଭଣ୍ଡାର ବୃଦ୍ଧି କରିଛନ୍ତି। ମୋଟ ଉପରେ ଦେଖିଲେ ୨୦୨୪ ମସିହାରେ ଆରବିଆଇ ୭୩ଟନ ସୁନା କିଣିଛନ୍ତି। ଏଇଭଳି ଭାବେ ବିଶ୍ୱରେ ସୁନା କ୍ରୟ କରିବାରେ ଭାରତ ଦ୍ୱିତୀୟ ଦେଶ ପାଲଟିଛି। ଏହିକ୍ରମରେ ଆରବିଆଇର ଟୋଟାଲ ଗୋଲ୍ଡ ହ୍ୟାଣ୍ଡଲିଂ ୨୦୨୪ରେ ବୃଦ୍ଧି ହୋଇ ୮୭୬ ଟନକୁ ପହଞ୍ଚିଥିବାର ଅନୁମାନ କରାଯାଉଛି। 

ବିଶ୍ୱରେ ସ୍ୱର୍ଣ୍ଣ ଭଣ୍ଡାରଣରେ ନ୍ୟାସନାଲ ବ୍ୟାଙ୍କ ଅଫ ପୋଲାଣ୍ଡ (ଏନବିପି) ପ୍ରଥମ ସ୍ଥାନରେ ରହିଛି। ୱାର୍ଲଡ ଗୋଲ୍ଡ କାଉନସିଲ ଅନୁସାରେ ଏନବିପି ନଭେମ୍ବର ମାସରେ ୨୧ ଟନ ସୁନା କିଣିଥିଲା। ଏହିପରିଭାବେ ଜାନୁୟାରୀ-ନଭେମ୍ବରରେ ଏନବିପି ମୋଟ ୯୦ ଟନ ସୁନା କ୍ରୟ କରିଛି। ଫଳରେ ଏନବିପିର ମୋଟ ଭଣ୍ଡାରଣ ୪୪୮ ଟନକୁ ପହଞ୍ଚିଛି। ଯାହା ତାର ମୋଟ ରିଜର୍ଭର ୧୮ ପ୍ରତିଶତ। ସେହିପରି ଚୀନ୍ ର ପ୍ୟୁପିଲ୍ସ ବ୍ୟାଙ୍କ ଅଫ ଚାଇନା ପୁଣି ସୁନା କିଣିବା ଆରମ୍ଭ କରିଛି। ଏହି କ୍ରମରେ ଚୀନ କେନ୍ଦ୍ରୀୟ ବ୍ୟାଙ୍କ ତାଙ୍କ ସ୍ୱର୍ଣ୍ଣ ଭଣ୍ଡାରରେ ଆଉ ୬ ଟନ ସୁନା ଯୋଡିଛନ୍ତି। 

ପ୍ୟୁପିଲସ୍ ବ୍ୟାଙ୍କ ଅଫ ଚାଇନା ଜାନୁୟାରୀ-ନଭେମ୍ବର ମାସ ମଧ୍ୟରେ ୩୪ ଟନ ସୁନା କିଣିଛି। ଏହା ସହିତ ବ୍ୟାଙ୍କର ମୋଟ ଗୋଲ୍ଡ ରିଜର୍ଭ ୨,୨୬୪ ଟନକୁ ପହଞ୍ଚିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଉଜବେକିସ୍ତାନ ନଭେମ୍ବର ମାସରେ ୯ ଟନ ସୁନା କିଣିଛି। ଏହିକ୍ରମରେ ବ୍ୟାଙ୍କର ୨୦୨୪ରେ ମୋଟ ସୁନାକ୍ରୟ ୧୧ଟନକୁ ପହଞ୍ଚିଛି। ଫଳରେ ମୋଟ ଗୋଲ୍ଡ ହୋଲ୍ଡିଂସ୍ ୩୮୨ ଟନକୁ ଛୁଇଁଛି। ଅପରପଟେ ମନିଟାରୀ ଅଥରିଟି ଅଫ ସିଙ୍ଗାପୁର ୨୦୨୪ରେ ତାଙ୍କ ସ୍ୱର୍ଣ୍ଣ ଭଣ୍ଡାରରେ ୫ ଟନ ହ୍ରାସ କରିଛନ୍ତି। ନଭେମ୍ବର ୨୦୨୪ ସୁଦ୍ଧା ଏହି ବ୍ୟାଙ୍କ ୭ ଟନ ସୁନା ବିକ୍ରି କରିଛି। ଫଳରେ ବ୍ୟାଙ୍କର ମୋଟ ସ୍ୱର୍ଣ୍ଣଭଣ୍ଡାର ୨୨୩ ଟନକୁ ହ୍ରାସ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.