ନୂଆଦିଲ୍ଲୀ: ଖାଉଟିଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି। ଡିସେମ୍ବରରେ କମିଲା ଖୁଚୁରା ମୁଦ୍ରାସ୍ଫୀତି। ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪ ମାସର ସର୍ବନିମ୍ନ ସ୍ତରକୁ ଆସିଛି। ସିପିଆଇ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୨୨%କୁ ଖସି ଆସିଛି। ଆଉ ଡିସେମ୍ବରକୁ ମିଶାଇଲେ ଲଗାତାର ଦ୍ବିତୀୟ ମାସରେ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଦେଖିବାକୁ ମିଳିଛି। ଯାହା ସାଧାରଣ ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ପୂର୍ବରୁ ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୪୮ ପ୍ରତିଶତ ରହିଥିଲା।
ରିପୋର୍ଟ ଅନୁଯାୟୀ, ୨୦୨୩ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତ ରହିଥିଲା। ସେହିଭଳି ୨୦୨୨ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସରକାରୀ ତଥ୍ୟ ଅନୁସାରେ ଡିସେମ୍ବରରେ ଖାଦ୍ୟ ପଦାର୍ଥର ଦାମ୍ରେ କମିବା କାରଣରୁ ମୁଦ୍ରାସ୍ଫୀତିରେ ହ୍ରାସ ହୋଇଛି। ଖାଦ୍ୟ-ପାନୀୟ ବସ୍ତୁର ଦାମ୍ରେ ହ୍ରାସ କାରଣରୁ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଦେଖିବାକୁ ମିଳିଛି। ସେହିଭଳି ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୮.୩୯ ପ୍ରତିଶତକୁ ଆସିଛି। ନଭେମ୍ବରରେ ଏହା ୯.୦୫ ପ୍ରତିଶତ ରହିଥିଲା। ଯାହା ଏକ ବର୍ଷ ତଳେ ସମାନ ଅବଧିରେ ଅର୍ଥାତ ଡିସେମ୍ବରରେ ୨୦୨୩ରେ ୯.୫୩ ପ୍ରତିଶତ ରହିଥିଲା।
ସୂଚନାଥାଉକି, ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ମାସରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଦରବୃଦ୍ଧି ଅନୁମାନକୁ ୪.୫ ପ୍ରତିଶତରୁ ବଢ଼ାଇ ୪.୮ ପ୍ରତିଶତ କରିଥିଲେ। ଖାଦ୍ୟ ସାମଗ୍ରୀର ଦାମ୍ ଅଧିକ ରହିଥିବାରୁ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ସମୁଦାୟ ଦରବୃଦ୍ଧିର ଉଚ୍ଚସ୍ତରରେ ରହିବା ନେଇ ମଧ୍ୟ ଆଶଙ୍କା କରିଥିଲା ଆରବିଆଇ।