ନୂଆଦିଲ୍ଲୀ: ସେୟାର ବଜାର ସୋମବାରର ହ୍ରାସ ପରେ ଆଜି ଜୋରଦାର କମବ୍ୟାକ୍ କରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଟାରିଫ୍ ବୃଦ୍ଧି ଉପରେ ଏକ ମାସ ରୋକ ଲଗାଇବା ଖବର ପରେ ଦଲାଲ୍ ଷ୍ଟ୍ରିଟ୍ ଆଜି ଝୁମି ଉଠିଛି । ସେନ୍ସେକ୍ସ ଆଜି ୧୪୦୦ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ବଢି ୨୩,୭୦୦ ସ୍ତରରେ ପହଞ୍ଚିଛି । ଆଜିର ଏହି ବୃଦ୍ଧି ଯୋଗୁଁ ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୫.୭ ଲକ୍ଷ କୋଟି ଟଙ୍କା ବଢିଛି । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୧.୩୫ ପ୍ରତିଶତ ଏବଂ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୨୦ ପ୍ରତିଶତ ବଢି ବନ୍ଦ ହୋଇଛି । FMCGକୁ ଛାଡ଼ି ଅନ୍ୟ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ବୃଦ୍ଧି କ୍ୟାପିଟାଲ୍ସ ଗୁଡ୍ସ, ବ୍ୟାଙ୍କିଂ, ମେଟାଲ୍,ଏନର୍ଜି ଏବଂ ଅଏଲ୍ ଏବଂ ଗ୍ୟାସରେ ଦେଖିବାକୁ ମିଳିଛି ।
କାରବାର ଶେଷରେ ବିଏସ୍ଇ ସେନସେକ୍ସ ୧୩୯୭.୦୭ ଅଙ୍କ ବା ୧.୧୮ ପ୍ରତିଶତ ବୃଦ୍ଧି ସହ ୭୮,୫୮୩.୮୧ ଅଙ୍କରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୩୭୮.୨୦ ପଏଣ୍ଟ ବା ୧.୬୨ ପ୍ରତିଶତ ବଢି ୨୩,୭୩୯.୨୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ୪୨୫.୨୪ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ପୂର୍ବରୁ ଗତ କାରବାର ଦିନ ଅର୍ଥାତ୍ ସୋମବାର ଫେବ୍ରୁଆରୀ ୨ରେ ଏହା ୪୧୯.୫୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୫.୭ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜିର ବୃଦ୍ଧିରେ ନିବେଶକଙ୍କୁ ୫.୭ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।