ଟ୍ରମ୍ପଙ୍କ ଟାରିଫ, ବଜେଟର ଚାପ! ସେୟାର ବଜାରରେ ଗୋଟିଏ ଦିନରେ ନିବେଶକଙ୍କ ବୁଡ଼ିଗଲା ୪.୩୬ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | February 03, 2025 IST

ମୁମ୍ବାଇ ୩।୨: ବଜେଟ ପରଠାରୁ ସେୟାର ବଜାରର ପରିସ୍ଥିତି ଭଲ ନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ୱାର ଏବଂ ବିଦେଶୀ ନିବେଶକଙ୍କ ପଳାୟନ ଭାରତୀୟ ସେୟାର ବଜାର ଉପରେ ଚାପ ପକାଇଛି। ୩ ଫେବୃଆରୀ ସୋମବାର ସେୟାର ବଜାର ନିବେଶକଙ୍କ ଲାଗି ନିରାଶାଜନକ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୩୧୯.୨୨ ଅଙ୍କ ହ୍ରାସ ସହ ୭୭,୧୮୬.୭୫ରେ ବନ୍ଦ ହୋଇଛି। ଅପରପଟେ ନିଫ୍ଟି ହ୍ରାସ ହୋଇ ୨୩,୨୬୧ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଏହି ହ୍ରାସ ଯୋଗୁ ଗୋଟିଏ ଦିନରେ ନିବେଶକଙ୍କର ୪.୩୬ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ତେବେ ଆସନ୍ତୁ ଜାଣିବା କାହିଁକି ହ୍ରାସ ହେଉଛି ଭାରତୀୟ ସେୟାର ବଜାର?

ଆମେରିକା-ଚୀନ୍ ବିବାଦ
ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ସ୍ଥିରତାର ଅଭାବ ଭାରତୀୟ ସେୟାର ବଜାର ଉପରେ ଚାପ ପକାଇଛି। ଖାସ କରି ଆମେରିକା ଓ ଚୀନ୍‌ ମଧ୍ୟରେ ବ୍ୟବସାୟୀକ ବିବାଦ ଏହାର ମୁଖ୍ୟ କାରଣ। ଏହା ସହିତ ୟୁରୋପରେ ଆର୍ଥିକ ମାନ୍ଦାବସ୍ଥାର ସଂକେତ ନିବେଶକଙ୍କ ମନରେ ଚିନ୍ତା ଉଦ୍ରେକ କରିଛି। ଫଳରେ ଭାରତୀୟ ବଜାରରେ ଏବେ ନିବେଶକ ସେୟାର ବିକିଲାଭ କମାଇବାରେ ଲାଗିଛନ୍ତି। 

ନିରାଶାଜନକ ବଜେଟ
ନିକଟରେ ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍ ରେ ଭିତ୍ତିଭୂମି କ୍ଷେତ୍ରକୁ ଯେପରି ଗୁରୁତ୍ୱ ଦିଆଯିବା କଥା ସେପରି ଗୁରୁତ୍ୱ ଦିଆଯାଇ ନାହିଁ।  ଇନଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ମାମୁଲି ବୃଦ୍ଧି କରାଯାଇଛି। ଏଣୁ ନିବେଶକଙ୍କୁ ଏହା ନିରାଶ କରିଛି। ଏହି କ୍ଷେତ୍ରରେ ଆଶା କରାଯାଉଥିବା ବୃଦ୍ଧି ହୋଇ ନଥିବାରୁ ଅନ୍ୟ ସେକ୍ଟର ଉପରେ ନକରାତ୍ମକ ପ୍ରଭାବ ପକାଉଛି। 

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା
ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ସେୟାର ବଜାରକୁ ପ୍ରଭାବିତ କରିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ଐତିହାସିକ ନିମ୍ନସ୍ତରକୁ ଖସିଛି। ଏଣୁ ଦେଶରେ ଆମଦାନୀ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ମୁଦ୍ରାସ୍ପିତି ବଢିବାର ବିପଦ ଦେଖାଦେଇଛି। 

ଏହିସବୁ ସେକ୍ଟର ଅଧିକ ପ୍ରଭାବିତ
ସୋମବାର କାରବାର କାଳରେ କ୍ୟାପିଟାଲ ଗୁଡସ୍, ପାୱାର, ୟୁଟିଲିଟି ଓ ଇଣ୍ଡଷ୍ଟ୍ରିଆଲ ଭଳି ସେକ୍ଟରରେ ସବୁଠୁ ଅଧିକ ହ୍ରାସ ଦେଖାଯାଇଛି। କଞ୍ଜ୍ୟୁମର ଡ୍ୟୁରେବଲକୁ ଛାଡିଦେଲେ ଅଧିକାଂଶ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ ସଂକେତରେ ରହିଛନ୍ତି। ସ୍ମଲ ଓ ମିଡକ୍ୟାପ ସେୟାରରେ ମଧ୍ୟ ବେଶ୍ କ୍ଷତି ହୋଇଛି। ବିଏସଇର ମିଡକ୍ୟାପ ଇଣ୍ଡେକ୍ସ ୦.୭ପ୍ରତିଶତ ଓ ସ୍ମଲ କ୍ୟାପ ଇଣ୍ଡେକ୍ସ ୧.୬ ପ୍ରତିଶତ ନଇଁପଡିଛି। 

ଜାଣନ୍ତୁ ଆଗକୁ ରହିବ କିପରି ସ୍ଥିତି?

ବଜାର ଆରମ୍ଭ ଦିନରେ ଏପରି ହ୍ରାସ ନିବେଶକଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଆଗାମୀ ଦିନମାନଙ୍କରେ ସୁଧାର ଆସିପାରେ ବୋଲି ବିଶେଷଜ୍ଞ କହିଛନ୍ତି। ଯଦି ବୈଶ୍ୱିକ ଆର୍ଥିକ ସ୍ଥିତି ସ୍ଥିର ରହିବ ଓ ଘରୋଇ ସଂକେତ ସକରାତ୍ମକ ହୁଏ ତେବେ ବଜାର ପୁଣି ଉଠିବା ଆରମ୍ଭ କରିବ। ତେବେ ନିବେଶକଙ୍କୁ ବର୍ତ୍ତମାନ ପାଇଁ ସତର୍କ ରହିବାକୁ ପଡିବ ଓ ନିବେଶ ନିଷ୍ପତ୍ତି ବୁଝିବିଚାରି ନେବାକୁ ପଡିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.