ଘରୋଇ ପୁଞ୍ଜି ବଜାରରେ ନିମ୍ନମୁଖୀ ଧାରା ଜାରି, ୪ ଦିନରେ ୩୦୦୦ ଅଙ୍କ ଖସିଲା ସେନସେକ୍ସ, ନିବେଶକ ଲହୁଲୁହାଣ

Published By : Prameya-News7 Bureau | December 19, 2024 IST

India Today

ନୂଆଦିଲ୍ଲୀ: ସେୟାର ବଜାରରେ ନିମ୍ନମୁଖୀ ଧାରା ଜାରି ରହିଛି । ଘରୋଇ ପୁଞ୍ଜି ବଜାର ଲଗାତାର ୪ ଦିନ ଧରି ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେୟାର ବଜାରରେ ଏହି ହ୍ରାସ ଯୋଗୁଁ ନିବେଶକଙ୍କ ପ୍ରାୟ ସାଢେ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ତେବେ ପ୍ରଶ୍ନ ଉଠୁଛି, ପୁଞ୍ଜି ବଜାରରେ ଏହି ହ୍ରାସ ଧାରା କେଉଁଠି ଅଟକିବ ? ସେନସେକ୍ସ ଏବଂ ନିଫ୍ଟି କେଉଁ ସ୍ତରରୁ ପୁଣି ଉଠିବେ ? ଫେଡେରାଲ୍ ରିଜର୍ଭ ବଜାରରେ ବଡ଼ ହ୍ରାସର ସଂକେତ ଦେଇଛି କି ?

ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମ୍ ପାଭେଲଙ୍କ ବୟାନ ଯୋଗୁଁ ସେୟାର ବଜାରରେ ଆଜିର ହ୍ରାସ ଘଟିଛି । ଫେରେଡାଲ ରିଜର୍ଭ ନିଜ ମୁଦ୍ରାସ୍ଫୀତି ଅନୁମାନକୁ ବଢାଇ ଦେଇଛି । ୨୦୨୫ରେ ସୁଧହାର ଅନୁମାନଠାରୁ କମ ହ୍ରାସ ସଂକେତ ବି ଦେଇଛନ୍ତି । ଫେଡ୍ ମୁଖ୍ୟଙ୍କ ଏହି ବୟାନ ପରେ ଗ୍ଲୋବାଲ୍ ମାର୍କେଟର ସେଣ୍ଟିମେଣ୍ଟ ଦୁର୍ବଳ ରହିଥିଲା । ଗ୍ଲୋବାଲ୍ ମାର୍କେଟ୍ ଅନୁମାନ କରୁଥିଲା ଯେ ୨୦୨୫ରେ ସୁଧହାର ୩ରୁ ୪ଥର ହ୍ରାସ କରିବ । କିନ୍ତୁ ଏହା ପରିବର୍ତ୍ତେ ଏବେ କେବଳ ଦୁଇ ଥର ଏକ ଚତୁର୍ଥାଂଶ ହ୍ରାସ କଥା କୁହାଯାଇଛି ।

ଫେଡେରାଲ ରିଜର୍ଭ ହଠାତ୍ କାହିଁକି ନିଜ ଆଭିମୁଖ୍ୟ ବଦଳାଇଲା ? ବଜାର ବିଶେଷଜ୍ଞଙ୍କ ମତରେ ଏହା ପଛର ପ୍ରମୁଖ କାରଣ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅନ୍ୟ ଦେଶଗୁଡ଼ିକ ଉପରେ ଟାରିଫ୍ ବଢାଇବା ନେଇ ଟ୍ରମ୍ପଙ୍କ ଧମକ ଦେଇଛନ୍ତି । ଏହି କାରଣରୁ ଆମେରିକାରକୁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ଆକାଶ ଛୁଇଁପାରେ । ଯେଉଁଥି ପାଇଁ ଦରବୃଦ୍ଧି ହୋଇପାରେ । ଏହି କାରଣରୁ ଫେଡେରାଲ୍ ରିଜର୍ଭ ନିଜ ଅନୁମାନକୁ ପରିବର୍ତ୍ତନ କରିଛି । ଫେଡେରାଲ୍ ରିଜର୍ଭ ପ୍ରଥମେ ମୁଦ୍ରାସ୍ଫୀତି ହାର ୨.୨ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା, କିନ୍ତୁ ଏବେ ଏହାକୁ ବଢାଇ ୨.୫ ପ୍ରତିଶତ କରିଛି ।  

ବଜାର ବିଶେଷଜ୍ଞଙ୍କ ମତରେ ଫେଡ୍‌ର ଏହି ନିଷ୍ପତ୍ତି ଯୋଗୁଁ ଆମେରିକୀୟ ସେୟାର ବଜାର ୧୦ରୁ ୧୫ ପ୍ରତିଶତ ଯାଏ ଖସିପାରେ । ତେବେ ଦୀର୍ଘକାଳୀନ ନିବେଶକ ପାଇଁ ସେୟାର କିଣିବାର ଏକ ଭଲ ସୁଯୋଗ ପ୍ରଦାନ କରିବ । ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତୀୟ ସେୟାର ବଜାରରେ ସର୍ଟ-ଟର୍ମ ହ୍ରାସ ଦେଖିବାକୁ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.