ଘରୋଇ ପୁଞ୍ଜି ବଜାରରେ ଦୀପାବଳି, ନୂଆ ରେକର୍ଡ ସ୍ତରରେ ସେନସେକ୍ସ-ନିଫ୍ଟି

Published By : Prameya-News7 Bureau | July 17, 2023 IST

ନୂଆଦିଲ୍ଲୀ: ସେନସେକ୍ସ ଏବଂ ନିଫ୍ଟିର ରେକର୍ଡ ଅଭିବୃଦ୍ଧି ସୋମବାର ମଧ୍ୟ ଜାରି ରହିଥିଲା । ବ୍ୟାଙ୍କିଂ ସେୟାରରେ ନିବେଶକଙ୍କ ଉତ୍ସାହ ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ନିବେଶ ବଢାଇବା ଯୋଗୁଁ ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ନିଜ ନୂଆ ସର୍ବକାଳୀନ ସ୍ତରରେ ପହଞ୍ଚିଛି । ସେନସେକ୍ସ ପ୍ରଥମ ଥର ପାଇଁ ୬୬,୬୦୦ ଅଙ୍କ ନିକଟରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ପ୍ରଥମ ଥର ୧୯,୭୦୦ ସ୍ତର ଉପରେ ବନ୍ଦ ହୋଇଛି । ଏହି ରେକର୍ଡ ବୃଦ୍ଧି ଯୋଗୁଁ ସେୟାର ବଜାରରେ ଆଜି ନିବେଶକଙ୍କ ସମ୍ପତ୍ତି ୫.୨ ଲକ୍ଷ କୋଟି ଟଙ୍କା ବଢିଛି । ସବୁଠୁ ଅଧିକ ବୃଦ୍ଧି ବ୍ୟାଙ୍କିଂ, ଫାଇନାନସିଆଲ୍, ଫାର୍ମା ଏବଂ ଆଇଟି ସେୟାରରେ ଦେଖିବାକୁ ମିଳୁଛି । ବ୍ରଡର ମାର୍କେଟ୍ ମଧ୍ୟ ସବୁଜ ସଂକେତରେ ବନ୍ଦ ହୋଇଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୦.୨୪ ପ୍ରତିଶତ ଏବଂ ୦.୮୦ ପ୍ରତିଶତ ବଢି ବନ୍ଦ ହୋଇଛି ।

ପଢନ୍ତୁ: ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ ଆଦାନୀ ଗ୍ରୁପ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ

କାରବାର ଶେଷରେ ବମ୍ୱେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୨୯.୦୩ ଅଙ୍କ ଅର୍ଥାତ୍ ୦.୮୦ ପ୍ରତିଶତ ବଢି ୬୬,୫୮୯.୯୩ ଅଙ୍କରେ ବନ୍ଦ ହୋଇଛି । କରାବର ସମୟରେ ସେନସେକ୍ସ ୬୬,୬୫୬.୨୧ ଅଙ୍କର ନିଜର ସର୍ବକାଳୀନ ଶିଖର ଛୁଇଁଥିଲା । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୪୬.୯୫ ଅଙ୍କ ବା ୦.୭୫ ପ୍ରତିଶତ ବଢି ୧୯,୭୧୧.୪୫ ସ୍ତରରେ ବନ୍ଦ ହୋଇଥିଲା । ଦିନର କାରବାର ସମୟରେ ନିଫ୍ଟି ୧୯,୭୩୧.୮୫ର ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ପଢନ୍ତୁ: ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବିଏସଇରି ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଜୁଲାଇ ୧୭ରେ ବଢି ୩୦୩.୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ଏହା ପୂର୍ବ କାରବାର ଦିନ ଜୁଲାଇ ୧୩ରେ ଏହା ୨୯୮.୫୨ ଲକ୍ଷ କୋଟି ଟଙ୍କା ଥିଲା । ଏପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକ ବଜାର ପୁଞ୍ଜି ଆଜି ପ୍ରାୟ ୫.୦୭ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ଗୋଟିଏ ଦିନରେ ନିବେଶକଙ୍କୁ ପ୍ରାୟ ୫.୦୭ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

Also Read: GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.