ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇ ସାରିଛି ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଏଥିରେ ଆୟ କର କୋହଳ, ମଧ୍ୟବିତ୍ତଙ୍କୁ ଗୁରୁତ୍ୱ, ଶିକ୍ଷା ସ୍ୱାସ୍ଥ୍ୟ ଆଦିରେ ଏକାଧିକ ଘୋଷଣା ହୋଇଛି। ଏଥର ବଜେଟ୍ ପରେ କିଛି ଜିନିଷ ସସ୍ତା ହେବ କିଛି ମହଙ୍ଗା ହେବ। ବଜେଟ୍ର କିଛି ବଡ଼ ଘୋଷଣା ବିଷୟରେ ଆସନ୍ତୁ ଜାଣିବା।
୧. ବଜେଟର ଆକାର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଆକଳନ ୫୦,୬୫,୩୪୫ କୋଟି ଟଙ୍କା ରହିଛି। ମୋଟ ପୁଞ୍ଜି ବ୍ୟୟ ୧୧,୨୧,୦୯୦ କୋଟି ଟଙ୍କା ହୋଇଥିବା ବେଳେ ଏଥିରେ ରାଜ୍ୟଗୁଡ଼ିକ ୨୫,୦୧,୨୮୪ କୋଟି ଟଙ୍କା ପାଇବେ।
୨. ଆୟ କର
• ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ, ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।
• ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ୍ ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
• ସରକାର ଆସନ୍ତା ସପ୍ତାହରେ ଏକ ନୂଆ ଆୟକର ବିଲ୍ ଆଗତ କରିବେ।
୨. ଶସ୍ତା - ମହଙ୍ଗା
• ଇଭି ବ୍ୟାଟେରୀ ମେନୁଫେକ୍ଚରିଙ୍ଗରେ ସମ୍ପର୍କିତ ୩୫ ଅତିରିକ୍ତ ସାମଗ୍ରୀକୁ ଏକ୍ଜେମ୍ପେଟେଡ୍ କ୍ୟାପିଟଲ ଗୁଡ୍ସ ତାଲିକାରେ ସାମିଲ୍ କରାଯାଇଛି। ଏଥିରେ ଇଭି ଶସ୍ତା ହୋଇପାରେ।
• ମୋବାଇଲ୍ ଫୋନ୍ ବ୍ୟାଟେରୀ ନିର୍ମାଣ ପାଇଁ ୨୮ଟି ଅତିରିକ୍ତ ସାମଗ୍ରୀକୁ ଛାଡ଼ କରାଯାଇଥିବା ପୁଞ୍ଜିଗତ ସାମଗ୍ରୀ ତାଲିକାରେ ଯୋଡ଼ାଯାଇଛି। ଏଥିରେ ମୋବାଇଲ୍ ଶସ୍ତା ହେବାର ସମ୍ଭାବନା ରହିଛି।
• ସରକାର ୩୬ ଜୀବନ ରକ୍ଷକ ଔଷଧ ଉପରେ ସୀମା ଶୁଳ୍କ ହଟାଇ ଦେଇଛନ୍ତି। ଏଥିରେ କ୍ୟାନସର ଔଷଧ ଶସ୍ତା ହେବାର ସମ୍ଭାବନା ରହିଛି।
• ଇଣ୍ଟରାକ୍ଟିଭ୍ ଫ୍ଲାଟ୍ ପ୍ୟାନେଲ୍ ଡିସପ୍ଲେ ମହଙ୍ଗା ହେବ। କାରଣ ବଜେଟ୍ରେ କଷ୍ଟମ୍ ଡ୍ୟୁଟି ୧୦% ରୁ ୨୦% କୁ ବୃଦ୍ଧି କରାଯାଇଛି।
୩. କୃଷକଙ୍କ ନେଇ ଘୋଷଣା
• କୃଷକଙ୍କ ପାଇଁ ବଜେଟ୍ ୨୦୨୫ରେ ଏକ ନୂଆ ଯୋଜନା ଘୋଷଣା ହୋଇଛି। ଏହି ଯୋଜନା ଅଧୀନରେ କମ୍ ଉତ୍ପାଦନ ହେଉଥିବା ୧୦୦ଟି ଜିଲ୍ଲାରେ ଧନ ଧନ୍ୟ ଯୋଜନା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ସହଭାଗିତାରେ ଏହା ଯୋଜନା କାର୍ଯ୍ୟକାରୀ କରାଯିବ। ଉତ୍ପାଦନ ବଢ଼ାଇବା, ବିଭିଧ ଚାଷ କରିବା ଏହାର ମୂଳ ଲକ୍ଷ୍ୟ।
• କିଷାନ କ୍ରେଡିଟ୍ କାର୍ଡର ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି କାର୍ଡର ସର୍ବାଧିକ ସୀମା ୩ ଲକ୍ଷ ରହିଛି। ନୂଆ ନିର୍ଦ୍ଦେଶ ଲାଗୁ ହେଲେ ଏହା ୫ ଲକ୍ଷ ଟଙ୍କା ହୋଇଯିବ। • ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ପାଇଁ ଏକ ୬ ବର୍ଷର ଏକ ମିଶନ ଆରମ୍ଭ କରାଯିବ। ତା’ ସହିତ ବିହାର ଚାଷୀଙ୍କ ପାଇଁ ମାଖାନା ବୋର୍ଡ ଗଠନ ପାଇଁ ଘୋଷଣା କରାଯାଇଛି। ବିହାରର ଚାଷୀମାନଙ୍କୁ ମଖାନା ଚାଷରେ ସାହାଯ୍ୟ ମିଳିବ।
• ଆସାମର ନାମରୂପରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ ପ୍ଲାଣ୍ଟ ସ୍ଥାପନ କରାଯିବ। ପୂର୍ବାଞ୍ଚଳରେ ବନ୍ଦ ଥିବା ତିନୋଟି ୟୁରିଆ ପ୍ଲାଣ୍ଟକୁ ପୁଣି ଖୋଲାଯାଇଛି। ଏହା ବ୍ୟତୀତ, ସରକାର ସମବାୟ କ୍ଷେତ୍ରକୁ ଋଣ ପ୍ରଦାନ କାର୍ଯ୍ୟ ପାଇଁ ଜାତୀୟ ସମବାୟ ବିକାଶ ନିଗମକୁ ସହାୟତା ଯୋଗାଇବେ।
୪. କାରବାର
• MSME ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭର ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ।
• ପଞ୍ଜିକୃତ କ୍ଷୁଦ୍ର ଉଦ୍ୟୋଗ ପାଇଁ ୫ ଲକ୍ଷ ଟଙ୍କାର ଲିମିଟ ଥିବା ନୂଆ କ୍ରେଡିଟ୍ କାର୍ଡ।
• ଖେଳଣା ନିର୍ମାଣ ପାଇଁ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏକ ଯୋଜନା ଆରମ୍ଭ କରାଯିବ।
• ବୁଲା ବିକାଳୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଋଣ ସୀମା ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇବ।
୫. ଏଜୁକେଶନ
• ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ବ୍ରଡବ୍ୟାଣ୍ଡ କନେକ୍ସନ ସହିତ ସଂଯୋଗ କରାଯିବ।
• ୫୦୦ କୋଟି ଟଙ୍କା ବ୍ୟୟରେ ଏଆଇ ଏଜୁକେସନ ସହ ଜଡ଼ିତ ଉତ୍କର୍ଷ କେନ୍ଦ୍ର(ଏକ୍ସଲେନ୍ସ ସେଣ୍ଟର) ପ୍ରତିଷ୍ଠା କରାଯିବ।
• ମେଡିକାଲ କଲେଜଗୁଡ଼ିକରେ ୫ ବର୍ଷ ମଧ୍ୟରେ ୭୫ ହଜାର ସିଟ୍ ବଢ଼ା ଯିବ। ଆସନ୍ତା ବର୍ଷ ୧୦ ହଜାର ସିଟ୍ ଯୋଡ଼ାଯିବ।
• ୨୦୧୪ ପରେ ପ୍ରତିଷ୍ଠିତ ୬ଟି ଆଇଆଇଟି ମଧ୍ୟରୁ ୫ଟିରେ ସିଟ୍ ଦ୍ୱିଗୁଣିତ କରାଯିବ। ୬୫୦୦ ନୂଆ ଛାତ୍ରଛାତ୍ରୀ ପ୍ରବେଶ ପାଇପାରିବେ।
ଏଥର ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ବଡ଼ ଘୋଷଣା ହୋଇଛି। କ୍ୟାନସର ଚିକିତ୍ସା ପାଇଁ ଆବଶ୍ୟକୀୟ ଜରୁରୀ ଔଷଧର ଦାମ କମିବ। ସବୁ ଜିଲ୍ଲା ହସ୍ପିଟାଲରେ ଡେ-କେୟାର କର୍କଟ କେନ୍ଦ୍ର ଖୋଲିବ। ସ୍ୱାସ୍ଥ୍ୟ ସହିତ ପର୍ଯ୍ୟଟନ, ପ୍ରତିରକ୍ଷା ବିଭାଗ, ରେଲୱେ ସମେତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା ହୋଇଛି। ଏଥର ସୁନା ଦର ବଢ଼ିବ ନା କମିବ ଜାଣନ୍ତୁ।
୬. ଟୁରିଜମ ଓ କନେକ୍ଟିଭିଟି
• ଉଡ଼ାନ ଯୋଜନା ମାଧ୍ୟମରେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୨୦ଟି ନୂଆ ସହରକୁ ସଂଯୋଗ କରିବାର ଯୋଜନା ରହିଛି।
• ବିହାରରେ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ଘୋଷଣା।
• ରାଜ୍ୟଗୁଡ଼ିକ ସହିତ ସହଭାଗୀତାରେ ୫୦ଟି ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ବିକଶିତ କରାଯିବ।
• 'ହିଲ୍ ଇନ୍ ଇଣ୍ଡିଆ' ଯୋଜନା ମାଧ୍ୟମରେ ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ।
୭. ସ୍ୱାସ୍ଥ୍ୟ
• ଆଗାମୀ ୩ ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲା ହସ୍ପିଟାଲରେ ଡେ-କେୟାର କର୍କଟ କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା। ୨୦୨୫-୨୬ ମଧ୍ୟରେ ୨୦୦ଟି ଡେ-କେୟାର କର୍କଟ କେନ୍ଦ୍ର ନିର୍ମାଣ କରାଯିବ।
• ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ।
• ଗିଗ୍ ୱାର୍କର୍ସ (ଯେଉଁମାନଙ୍କର ଚାକିରି ଅସ୍ଥାୟୀ) ସେମାନଙ୍କୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡ଼ାଯିବ।
୮. ଇନ୍ଫ୍ରାଷ୍ଟ୍ରକ୍ଚର
• ରାଜ୍ୟ ସରକାରମାନଙ୍କୁ ଭିତ୍ତିଭୂମି ବିକାଶ ବା ଇନ୍ଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ପାଇଁ ୧.୫ ଲକ୍ଷ କୋଟି ମିଳିବ। ଏହା ୫୦ ବର୍ଷ ପାଇଁ ସୁଧମୁକ୍ତ ଋଣ ହେବ।
• ଏଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସି ସ୍ଥାପନ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯିବ।
• ୨୦୨୫-୩୦ ପାଇଁ ନୂଆ ଆସେଟ ମୋନିଟାଇଜେସନ ସ୍କିମ ଘୋଷଣା ହୋଇଛି। ଏଥିରେ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟକୁ ପାଣ୍ଠି ଯୋଗାଣ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଜନେରେନେଟ ହେବ।
୯. ମହିଳା
• ୫ ଲକ୍ଷ ମହିଳା ଏବଂ ଏସସି/ଏସଟି ଉଦ୍ୟୋଗୀମାନଙ୍କ ପାଇଁ ନୂଆ ଯୋଜନା ଆରମ୍ଭ ଘୋଷଣା କରାଯାଇଛି। ଏହା ଅଧୀନରେ, ଶସ୍ତା ବିଜନେସ ଲୋନ ମିଳିବ।
• ଫାଷ୍ଟ ଟାଇମ ଅନ୍ତ୍ରପ୍ରେନ୍ୟୋର ବା ପ୍ରଥମ ଥର ଉଦ୍ୟୋଗୀମାନଙ୍କୁ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କାର ଟର୍ମ ଲୋନ ମିଳିବ।
• ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ ଯୋଜନା ଅଧୀନରେ, ୮ କୋଟି ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଝିଅମାନଙ୍କୁ ପୁଷ୍ଟିକର ସହାୟତା ମିଳିବ।
୧୦. ନ୍ୟୁକ୍ଲିୟର ମିସନ
• ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ ପରମାଣୁ ଶକ୍ତି ବିକାଶ ପାଇଁ ଏକ ମିଶନ ଆରମ୍ଭ କରିବାର ଘୋଷଣା କରାଯାଇଛି। ଏହି ମିଶନକୁ ପୂରା କରିବା ପାଇଁ ପ୍ରାଇଭେଟ୍ ସେକ୍ଟର ସହିତ ଆକ୍ଟିଭ ପାର୍ଟନର୍ସିପ୍ କରାଯିବ।
• ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ନ୍ୟୁକ୍ଲିୟର ଏନର୍ଜି ମିଶନର ଘୋଷଣା ହୋଇଛି।
• ୨୦୩୩ ସୁଦ୍ଧା ଅତି କମରେ ୫ ଟି ସ୍ୱଦେଶୀ ଭାବରେ ବିକଶିତ ଛୋଟ ମଡ୍ୟୁଲାର୍ ରିଆକ୍ଟର କାର୍ଯ୍ୟକ୍ଷମ କରାଯିବ।
୧୧. ପ୍ରତିରକ୍ଷା ବଜେଟ୍
ବଜେଟ୍ ୨୦୨୫ରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୮୧, ୨୧୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଗତ ବଜେଟ୍ରେ ଏହି ପରିମାଣ ୬,୨୧, ୯୪୦ କୋଟି ଟଙ୍କା ଥିଲା। ସେନା, କର୍ମଚାରୀଙ୍କ ପେନସନ ପାଇଁ ୧,୬୦,୭୯୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବିମାନ ଓ ଏୟରୋ ଇଞ୍ଜିନ ପାଇଁ ୪୮,୬୧୪ କୋଟି, ନୌସେନା ଜାହାଜ ପାଇଁ ୨୪,୩୯୦ କୋଟି, ଅନ୍ୟ ପ୍ରତିରକ୍ଷା ଉପକରଣ ପାଇଁ ୬୩,୦୯୯ କୋଟି ଟଙ୍କା ଆବଣ୍ଟିତ ହୋଇଛି।
୧୨. ରେଳ ବଜେଟ୍
ଏଥର ବଜେଟ୍ରେ ରେଲୱେକୁ ମୋଟ ୨,୫୫,୪୪୫ କୋଟି ଆବଣ୍ଟିତ କରାଯାଇଛି। ଏଥିରେ ନୂଆ ଲାଇନ୍ ବିଛାଇବା ପାଇଁ ୩୨,୨୩୫ କୋଟି, ରେଲୱେ ଲାଇନର ଦୋହରୀକରଣ ପାଇଁ ୩୨,୦୦୦ କୋଟି ଏବଂ ଗଜ୍ ଲାଇନ୍ରେ ପରିବର୍ତ୍ତନ ପାଇଁ ୪୫୫୦ କୋଟି, ସିଗ୍ନାଲିଂ ଏବଂ ଟେଲିକମ୍ ପାଇଁ ୬୮୦୦ କୋଟି, ବିଦ୍ୟୁତକରଣ ପାଇଁ ୬୧୫୦ କୋଟି, କର୍ମଚାରୀ କଲ୍ୟାଣ ଉପରେ ୮୩୩ କୋଟି, ଷ୍ଟାଫ ଟ୍ରେନିଂ ପାଇଁ ୩୦୧ କୋଟି, ରେଲୱେ ସୁରକ୍ଷା ପାଣ୍ଠିରେ ୪୫ ହଜାର କୋଟି ଟଙ୍କା ଟ୍ରାନ୍ସଫର୍ କରାଯିବ।
୧୩. ଖେଳ ବଜେଟ୍
କ୍ରୀଡ଼ା ପାଇଁ ୩୭୯୪.୩୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି। ଗତ ବର୍ଷ ତୁଳନାରେ ୩୫୨ କୋଟି ଟଙ୍କା ବୃଦ୍ଧି ହୋଇଇଛି। ଖେଲୋ ଇଣ୍ଡିଆ ପାଇଁ ୧୦୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆସନ୍ତା ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାର ଆୟୋଜନ କରାଯିବ ବୋଲି ଘୋଷଣା ହୋଇଛି।
୧୪. ମୋଦୀ ସରକାରଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ୍ ଆକଳନ ୫୦,୬୫,୩୪୫ କୋଟି ଟଙ୍କା, ମୋଟ ପୁଞ୍ଜି ବ୍ୟୟ ୧୧,୨୧,୦୯୦ କୋଟି ଟଙ୍କା। ଏଥିରେ ରାଜ୍ୟଗୁଡ଼ିକ ୨୫,୦୧,୨୮୪ କୋଟି ଟଙ୍କା ପାଇବେ।
୧୫. ବଜେଟରେ ସୁନା
ଏଥର ବଜେଟ୍ରେ ସୁନା ଉପରେ ସୀମା ଶୁଳ୍କକୁ ନେଇ ପୂର୍ବ ସ୍ଥିତି କାୟମ ରହିଛି। ସୁନା ଏବଂ ରୂପା ଉପରେ ସୀମା ଶୁଳ୍କକୁ ୬ ପ୍ରତିଶତ ଏବଂ ପ୍ଲାଟିନମ୍ ଉପରେ ସୀମା ଶୁଳ୍କକୁ ୬.୪ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ। ୨୦୨୪ ବଜେଟ୍ରେ ସୁନା ଉପରେ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିଥିଲେ ସରକାର।
୧୬. ବୀମା ବଜେଟ୍
ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ନିବେଶକୁ ୭୪% ରୁ ୧୦୦% କୁ ବୃଦ୍ଧି କରାଯିବ। ଏହାଦ୍ୱାରା ଗ୍ରାହକମାନଙ୍କଠାରୁ ବୀମା କମ୍ପାନୀଗୁଡ଼ିକ ପାଉଥିବା ସମ୍ପୂର୍ଣ୍ଣ ପ୍ରିମିୟମ୍ ରାଶି ଭାରତରେ ହିଁ ବିନିଯୋଗ ହେବ। ଜନ ବିଶ୍ୱାସ ବିଲ୍ ୨.୦ ଅଧୀନରେ ୧୦୦ ରୁ ଅଧିକ ବ୍ୟବସ୍ଥାକୁ ଅପରାଧ ମୁକ୍ତ କରାଯିବ।"
ତେବେ ବିହାର ପାଇଁ ସ୍ୱତନ୍ତ୍ର ଘୋଷଣା ହୋଇଛି। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ଏଥର ବଜେଟରେ ଯୋଜନାର ବର୍ଷା ହୋଇଛି। ଚାଷୀଙ୍କ ପାଇଁ ମଖାନା ବୋର୍ଡ ଗଠନ କରାଯିବ। ଫଳରେ ବିହାରରର ଚାଷୀଙ୍କୁ ମଖାନା ଚାଷରେ ସାହାଯ୍ୟ ମିଳିବ। ତାଙ୍କ ଆୟ ବଢ଼ିବ ଏବଂ ରୋଜଗାରର ନୂଆ ଅବସରର ସୃଷ୍ଟି ହେବ।
ଏହା ସହ ବିହାରରେ ଏୟାରପୋର୍ଟ ବିସ୍ତାର ହେବ। ‘ଉଡାନ’ ସ୍କିମରେ ୧୨୦ ନୂଆ ସ୍ଥାନରେ ବିମାନସେବା ସହ ଯୋଡ଼ା ଯିବ। ବିହାରରେ ଗ୍ରୀନଫିଲ୍ଡ, ବ୍ରାଉନଫିଲ୍ଡ ଏୟାରପେପାର୍ଟ ହେବ। ପାଟନା ଏୟାରପୋର୍ଟ ସଂପ୍ରସାରଣ, କରାଯିବ। ପାଟନା ଆଇଆଇଟିର ଭିତ୍ତିଭୂମି ସମ୍ପ୍ରସାରଣ ହେବ।
ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି, ଉଦ୍ୟମିତା ଏବଂ ପରିଚାଳନା ପ୍ରତିଷ୍ଠାନ ସ୍ଥାପନ ହେବ। ଚାଷୀଙ୍କ ପାଇଁ କେନାଲ ଆଦି ତିଆରି ହେବ।