ଅଶାନ୍ତ ଭଦ୍ରକ, ୪୮ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ : ପୋଲିସ ଫୋର୍ସ ମୁତୟନ, ୧୦ ଗିରଫ

Published By : Prameya-News7 Bureau | September 28, 2024 IST

ଭଦ୍ରକ ୨୮।୦୯ : ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟରୁ ଭଦ୍ରକ ଅଶାନ୍ତ । ଭଦ୍ରକ ସହର ସହ ଦୋବଲ ଏବଂ ଧାମନଗରରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଛି । ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଧାରା ୧୬୩ ଲଗାଇଛି । ଭଦ୍ରକ ଜିଲ୍ଲାରେ ୪୮ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବିଭିନ୍ନ ସ୍ଥାନରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଇଲାକାକୁ ବାହାରୁ କାହାରିକୁ ଛଡ଼ା ଯିବ ନାହିଁ ବୋଲି କହିଛନ୍ତି ଡିଆଇଜି ।

ଖବର ଅନୁଯାୟୀ, ଶୁକ୍ରବାର ଭଦ୍ରକ ମୋଚି ଛକ-ପୁରୁଣାବଜାର ରାସ୍ତା ସାଳନ୍ଦୀ ନଦୀର ସନ୍ଧିଆ ପୋଲ ଉପରେ ଶତାଧିକ ଯୁବକ ରାସ୍ତାରୋକ କରିଥିଲେ । ରାସ୍ତାରୋକ ହଟାଇବାକୁ ଯାଇ ପୋଲିସ୍ ଆନ୍ଦୋଳନକାରୀଙ୍କ ଆକ୍ରମଣର ଶିକାର ହୋଇଥିଲା। କିଛି ପୋଲିସ୍ ଅଧିକାରୀ ଲହୁଲୁହାଣ ହୋଇଥିଲେ । ଢେଲା ପଥର ମାଡ଼ରେ ସିଟିଡିଏସପିଙ୍କ ସମେତ ଜଣେ ଏସ୍ ଆଇ ଆହତ ହୋଇଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଯାଇଥିବା ସଦର ତହସିଲଦାରଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତି କମିଟି ସହ ଆଲୋଚନା କରାଯାଇଛି । ଡିଆଇଜି କହିଛନ୍ତି ଯେ ବିବାଦୀୟ ପୋଷ୍ଟ କୁ ନେଇ ସାଇବର ସେଲ୍ ତଦନ୍ତ କରୁଛି । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରୁଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ପୋଲିସ କହିଛି। ଆଜିଠାରୁ ସହରରେ ମାଇକ ରେ ପ୍ରଚାର ହେବା ସହ ଦୋକାନ ବଜାର ଖୋଲିବା ପାଇଁ ନିର୍ଦ୍ଧିଷ୍ଟ ସମୟ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.