ଚୀନ୍‌ରେ ଇଣ୍ଟରନେଟ୍ ବ୍ୟବହାର ଉପରେ ଲାଗିବ ରୋକ୍ ! ସରକାର ଲଗାଇବେ ଲିମିଟ୍‌

Published By : Prameya-News7 Bureau | March 16, 2025 IST

ନୂଆଦିଲ୍ଲୀ: ଯୁବକଙ୍କ ମଧ୍ୟରେ ବଢ଼ୁଥିବା ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ କ୍ରେଜ୍‌କୁ ଦୃଷ୍ଟିରେ ଚୀନ୍‌ ସରକାର କଡ଼ା ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛନ୍ତି। ଚୀନ୍ ଅଧିକାରୀଙ୍କ ଅନୁସାରେ ଅଧିକ ସ୍କ୍ରିନ ଟାଇମ୍‌ କାରଣରୁ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ତଥା ସେମାନଙ୍କ ପାଠପଢ଼ାରେ ପ୍ରଭାବ ପଡ଼ୁଛି। ଏଥିପାଇଁ ସରକାର ଏଭଳି ନିୟମ ଆଣିବାକୁ ଉଦ୍ୟମ କରୁଛନ୍ତି।

ସୂଚନା ଅନୁଯାୟୀ, ନିକଟରେ ଚୀନ୍‌ରେ ବାର୍ଷିକ ରାଜନୀତିକ ବୈଠକ ସରିଛି। ଆଉ ଏହି ବୈଠକରେ ଚୀନ୍‌ର ପୂର୍ବତନ ବାସ୍କେଟବଲ ଷ୍ଟାର ୟାଓ ମିଙ୍ଗ ଏକ ପ୍ରସ୍ତାବ ରଖିଥିଲେ। ଯେଉଁଥିରେ ପ୍ରତି ସେମିଷ୍ଟାରର ଗୋଟିଏ ଦିନ ସବୁ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବନ୍ଦ କରିବା ଏବଂ ପିଲାଙ୍କୁ ଆଉଟଡୋର ଗେମ୍‌ ଖେଳିବା ପାଇଁ ପ୍ରୋତ୍ସାହିତ କରିବା କଥା କୁହାଯାଇଥିଲା। ଏହା ବାଦ୍, ଅନଲାଇନ୍ ଗେମିଂ ଉପରେ କଡ଼ା ପ୍ରତିବନ୍ଧକ ଲଗାଇବା ଏବଂ କ୍ଷତିକାରକ ଅନଲାଇନ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣ ବଢ଼ାଇବାକୁ ପରାମର୍ଶ ଦିଆଯାଇଥିଲା।

ଅବଶ୍ୟ ଏହା ପୂର୍ବରୁ ମଧ୍ୟ ଚୀନ୍‌ରେ ଏଭଳି ଉପାୟ ଅବଲମ୍ବନ କରାଯାଇଥିଲା। ଚୀନ୍‌ରେ ୨୦୨୦ରେ ‘ମାଇନର୍ସ ପ୍ରୋଟେକ୍ସନ ଲ’ରେ ସଂଶୋଧନ କରି ସୋସିଆଲ ମିଡିଆ ଏବଂ ଗେମିଂ ପ୍ଲାଟଫର୍ମର ବ୍ୟବହାରକୁ ସୀମିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ରେ ଲାଗୁ ନିୟମ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ରାତି ୧୦ଟାରୁ ସକାଳ ୮ ଟା ପର୍ଯ୍ୟନ୍ତ ଗେମିଂ ଉପରେ କଟକଣା ଲଗାଯାଇଥିଲା। ଏହା ସହ ସେମାନଙ୍କୁ ସପ୍ତାହରେ କେବଳ ୧ ଘଣ୍ଟା ଏବଂ ସପ୍ତାହନ୍ତରେ ୨ ଘଣ୍ଟା ଗେମିଂ ଅନୁମତି ଦିଆଯାଇଥିଲା।

୨୦୨୪ରେ ଚୀନ ନବ ବର୍ଷ ସମୟରେ ‘ଟେନ୍‌ସେଣ୍ଟ ଗେମ୍ସ’ ୩୨ ଦିନରେ ସମୁଦାୟ ୧୫ ଘଣ୍ଟା ଗେମ୍‌ ଖେଳିବା ଲିମିଟ୍‌ ଲଗାଇଥିଲା। ଅବଶ୍ୟ ଅନେକ ପିଲା ପ୍ରତିବନ୍ଧକଙ୍କୁ ବୟସ୍କଙ୍କ ଆକାଉଣ୍ଟ୍ସ ମାଧ୍ୟମରେ ଖେଳୁଥିବାର ନଜର ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.