ହାଇଦ୍ରାବାଦ: ଆଇପିଏଲ୍ର ସପ୍ତମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା । ଜବାବରେ, ଲକ୍ଷ୍ନୌ ୨୩ଟି ବଲ୍ ବଳକା ଥାଇ ମ୍ୟାଚ୍ ଜିତି ନେଇଥିଲା । ଲକ୍ଷ୍ନୌ ପାଇଁ ନିକୋଲାସ୍ ପୁରନ୍ ଓ ମିଚେଲ୍ ମାର୍ଶଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ ।
୧୯୧ ରନର ଟାର୍ଗେଟକୁ ପିଛା କରିବା ସମୟରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଆରମ୍ଭ ଖରାପ ହୋଇଥିଲା । ଦଳ ଦ୍ୱିତୀୟ ଓଭରରେ ଏଡେନ୍ ମାର୍କରମଙ୍କ ରୂପେ ପ୍ରଥମ ୱିକେଟ୍ ହରାଇଲା । ମାର୍କରମ କେବଳ ଏକ ରନ୍ ଆଉଟ୍ ହୋଇଥିଲେ । ଏହାପରେ, ପୁରନ୍ ଏବଂ ମାର୍ଶ ଇନିଂସ ସମ୍ଭାଳିଥିଲେ ଏବଂ ଦ୍ୱିତୀୟ ୱିକେଟ ପାଇଁ ୧୧୬ ରନ୍ ଭାଗୀଦାରି କରିଥିଲେ । ନିକୋଲାସ୍ ପୁରନ୍ ୨୬ ବଲ୍ରେ ୭୦ ରନ୍ କରି ଆଉଟ୍ ହୋଇଥିଲେ ଏବଂ ମିଚେଲ ମାର୍ଶ ୩୧ ବଲ୍ରେ ୫୨ ରନ୍ କରି ଆଉଟ୍ ହୋଇଥିଲେ । ଆୟୁଷ ବାଡୋନି ୬ ରନ କରି ପ୍ୟାଭିଲିୟନ ଫେରିଥିଲେ ଏବଂ ରିଷଭ ପନ୍ତ ୧୫ ରନ୍ କରି ଫେରିଥିଲେ । ହାଇଦ୍ରାବାଦ ପାଇଁ ପାଟ୍ କମିନ୍ସ ସର୍ବାଧିକ ୨ ୱିକେଟ୍ ନେଇଥିଲେ । ଶାମି, ଜାମ୍ପା, ହର୍ଶଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ହାଇଦ୍ରାବାଦ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ସନ୍ ରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଖରାପ ଥିଲା । ତୃତୀୟ ଓଭରରେ ଶାର୍ଦୁଳ ଠାକୁର ଲଗାତାର ଦୁଇଟି ବଲରେ ଅଭିଷେକ ଶର୍ମା ଏବଂ ଇଶାନ କିଷନଙ୍କୁ ଆଉଟ୍ କରିଥିଲେ । ଅଭିଷେକ ୬ ବଲରେ ୬ ରନ୍ କରିଥିଲେ ପ୍ୟାଭିଲିୟନ ଫେରିଥିଲେ । ପୂର୍ବ ମ୍ୟାଚ୍ରେ ଶତକ ମାରିଥିବା ଇଶାନ କିଶାନ ଖାତା ନ ଖୋଲି ଆଉଟ୍ ହୋଇଥିଲେ । ଟ୍ରାଭିସ୍ ହେଡ୍ ୨୮ ବଲ୍ରେ ୪୭ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କୁ ପ୍ରିନ୍ସ ଯାଦବ କ୍ଲିନ୍ ବୋଲ୍ଡ କରିଥିଲେ । ଏହାପରେ ହେନରିଚ୍ କ୍ଲାସେନ୍ ୨୬ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଥିଲେ । ଟିମ୍ ପାଇଁ ନୀତୀଶ କୁମାର ୨୮ ବଲରେ ୩୨ ରନର ଯୋଗଦାନ ଦେଇଥିଲେ । ଅନିକେତ୍ ୧୩ ବଲ୍ରେ ୩୬ ରନ୍ କରିଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା । ଲକ୍ଷ୍ନୌ ପାଇଁ ଶାର୍ଦୁଳ ଠାକୁର ସବୁଠୁ ଭଲ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରେ ୩୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ଅଭେଶ, ଦିଗବେଶ, ବିଷ୍ନୋଇ ଏବଂ ପ୍ରିନ୍ସ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।