ଷ୍ଟାର୍କଙ୍କ ପରେ ବ୍ୟାଟରଙ୍କ ବିସ୍ଫୋରଣରେ ଧରାଶାୟୀ SRH, ଦିଲ୍ଲୀର ଲଗାତାର ଦ୍ଵିତୀୟ ବିଜୟ

Published By : Prameya-News7 Bureau | March 30, 2025 IST

ବିଶାଖାପଟନମ: ମିଚେଲ୍ ଷ୍ଟାର୍କ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ପରେ ଦମ ଦେଖାଇଲେ ବ୍ୟାଟର। ବିଶାଖାପଟନମରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି। ଦିଲ୍ଲୀ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ନିଜର ତୃତୀୟ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି। ୧୬୪ ରନ ବିଜୟ ଲକ୍ଷ୍ୟ ପିଛା କରି ଦିଲ୍ଲୀ ୧୬ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ହାସଲ କରି ନେଇଛି। ଦଳ ପକ୍ଷରୁ ଫାଫ ଡୁପ୍ଲେସିସ୍ ସର୍ବାଧିକ ୫୦ ରନ କରିଥିବା ବେଳେ ଅଭିଷେକ ପୋରେଲ ୩୪ ରନ ଓ ଟ୍ରିଷ୍ଟନ ଟବ୍ସ ୨୧ ରନ କରି ଅପରାଜିତ ଥିଲେ। ଏହା ପୂର୍ବରୁ ହାଇଦ୍ରାବାଦ ଅନିକେତ ବର୍ମାଙ୍କ  ୭୪ ରନ ବଳରେ ୧୮.୪ ଓଭରରେ ୧୬୩ ରନ କରି ପାରିଥିଲା। ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଥିବା ବେଳେ ଷଷ୍ଠକୁ ଖସି ଆସିଛି ହାଇଦ୍ରାବାଦ। ବୋଲିଂରେ ମିଚେଲ୍ ଷ୍ଟାର୍କ ୫ ଓ୍ଵକେଟ୍ ନେଇ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

Also read: ଏମଏସ ଧୋନିଙ୍କୁ ମଜାକ ଉଡ଼ାଇଲେ ବୀରେନ୍ଦ୍ର ସେହୱାଗ, ଭିଡିଓ ଭାଇରାଲ୍....

୧୬୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀକୁ ଦମଦାର ଆରମ୍ଭ ଦେଇଥିଲେ ଦୁଇ ଓପନର ଫାଫ ଡୁ ପ୍ଲେସିସ୍ ଓ ଜେକ ଫ୍ରେଜର ମ୍ୟାକଗର୍ଗ। ବିଶେଷ କରି ଡୁପ୍ଲେସିସ୍ ଧୂଆଁଧାର ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ଓ୍ଵିକେଟ୍‌ରେ ୮୧ ରନ ଯୋଡ଼ି ଦଳର ବିଜୟ ସହଜ କରିଥିଲେ। ଡୁପ୍ଲେସିସ୍ ୨୭ ବଲରୁ ୩ ଚୌକା ଓ ୩ ଛକା ସହ ୫୦ ରନ କରିଥିଲେ। ଅନ୍ୟପଟେ କ୍ରିଜରେ ସଂଘର୍ଷ କରୁଥିବା ଫ୍ରେଜର ୩୨ ବଲରୁ ୩୮ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ କେଏଲ ରାହୁଲ ୧୫ ରନ କରି ଆଉଟ୍ ହୋଇଥିଲେ। 

ଏହା ପରେ ଅଭିଷେକ ପୋରେଲ ଓ ଟ୍ରିଷ୍ଟନ ଟବ୍ସ ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୫୧ ରନ ଯୋଡ଼ି ଦଳକୁ ୨୪ ବଲ ପୂର୍ବରୁ ବିଜୟୀ କରାଇଛନ୍ତି। ପୋରେଲ୍ ମାତ୍ର ୧୮ ବଲରୁ ୨ ଚୌକା ଓ ୨ ଛକା ସହ ୩୪ ରନ ଓ ଷ୍ଟବ୍ସ ୨୧ ରନ କରି ଅପରାଜିତ ଥିଲେ। 

SRH ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଏସଆରଏଚର ଆରମ୍ଭ ନୈରାଶ୍ୟଜନକ ଥିଲା। ୧୧ ରନ ସ୍କୋରରେ ଅଭିଷେକ ଶର୍ମା(୧ ରନ),  ୨୦ ରନ ସ୍କୋରରେ ଇଶାନ କିଶନ(୨)  ଓ ୨୫ ରନ ସ୍କୋରରେ ନୀତିଶ ରେଡ୍ଡୀ(୦) ଆଉଟ୍ ହୋଇଥିଲେ। ଏହା ପରେ ଫର୍ମରେ ଥିବା ଟ୍ରେଭିସ ହେଡ ୨୨ ରନ କରି ଆଉଟ୍ ହୋଇଥିଲେ। ୩୭ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥିବା ଏସଆରଏଚ ଇନିଂସକୁ ସମ୍ଭାଳିଥିଲେ ଅନିକେତ ବର୍ମା। ଅନିକେତ ଓ ହେନରିକ କ୍ଲାସେନ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ପାର ପହଞ୍ଚାଇଥିଲେ। ଦୁହେଁ ୫ମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। କ୍ଲାସେନ ୧୯ ବଲ୍‌ରୁ ୩୨ ରନର ଉପଯୋଗୀ ରନ କରିଥିଲେ। 

ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିଲେ ହେଁ ଅନିକେତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ନିମ୍ନକ୍ରମରେ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଅନିକେତ ୪୧ ବଲରୁ ୫ ଚୌକା ଓ ୬ ଛକା ସହ ୭୪ ୫ ରନର ଦମଦାର ଇନିଂସ ଖେଳିଥିଲେ। ଫଳରେ ଏସଆରଏଚ ୧୬୩ ରନ ସ୍କୋରରେ ପହଞ୍ଚି ପାରିଥିଲା।ଦଳ ୧୮.୪ ଓଭରରେ ଅଲଆଉଟ୍ ହୋଇଥିଲା।

ବୋଲିଂରେ ଦିଲ୍ଲୀ ପକ୍ଷରୁ ମିଚେଲ୍ ଷ୍ଟାର୍କ ଶାଣିତ ବୋଲିଂ କରିଥିଲେ। ସେ ନିଜ ଆଇପିଏଲ୍ କ୍ୟାରିୟରରେ ସର୍ବଶ୍ରେଷ୍ଠ ବୋଲିଂ କରି ପ୍ରଥମ ଥର ୫ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। କୁଲଦୀପ ଯାଦବ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.