IPL 2025 : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ୍‌ ଟକ୍କର, ଦଳକୁ ଫେରିବେ କେଏଲ୍‌ ରାହୁଲ

Published By : Prameya-News7 Bureau | March 30, 2025 IST

ବିଶାଖାପାଟନମ୍‌ ୩୦।୦୩ : ଆଇପିଏଲ୍‌ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । ହାଇଦ୍ରାବାଦ୍‌ ପ୍ରାଞ୍ଚାଇଜ୍‌ର ବିଶାଖାପାଟନମ୍‌ ପଡିଆ ହେଉଛି ହୋମ୍‌ ଗ୍ରାଉଣ୍ଡ । ଏହି ମ୍ୟାଚ୍‌ରେ  ବିସ୍ଫୋରକ ବ୍ୟାଟିଂ  ସାଙ୍ଗକୁ ବିଶାଳ ସ୍କୋର ହେବାର ଆଶା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପେସ୍‌ ବୋଲର  ମିଚେଲ ଷ୍ଟାର୍କ ଓ ସନରାଇଜର୍ସ ଓପନର ଟ୍ରେଭିସ୍‌  ହେଡ୍‌-ଅଭିଷେକ ଶର୍ମା ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍‌ଦାର ଫାଇଟ୍‌ ଦେଖିବାକୁ ମିଳିବ । 

ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ପରସ୍ପରକୁ ଭେଟିଥିଲେ । ସନରାଇଜର୍ସ   ୬୭ ରନ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା ।  ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଖେଳାଯାଇଥିଲେ ଏହି ମ୍ୟାଚ୍‌ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୭/୨୬୬ ରନ ସଂଗ୍ରହ କରିଥିଲା । କେବଳ ପାୱାର ପ୍ଲେରେ ହେଡ୍‌ ଓ ଅଭିଷେକଙ୍କ ଯୋଡ଼ି ରେକର୍ଡ ୧୨୫ ରନ ସଂଗ୍ରହ କରିଥିଲେ ।  ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ  ୧୯୯ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା।  

ସେହିପରି ଚଳିତ ସିଜିନ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ହରାଇଥିଲା । ସନରାଇଜର୍ସ  ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାଜିତ କରିଥିଲେ ହେଁ ସୁପରଜାଏଣ୍ଟ୍‌ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିଲା । ସନରାଇଜର୍ସ ପ୍ରଥମ କରି ବାହାର ଗ୍ରାଉଣ୍ଡରେ ଖେଳିବ । ଦଳର ସମସ୍ତ ଖେଳାଳି  ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଏକାଦଶରେ  ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।  

କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବ । ପ୍ରଥମ ମ୍ୟାଚ୍‌ ଖେଳି ନଥିବା କେଏଲ ରାହୁଲ ଏକାଦଶକୁ ଫେରିବେ ଓ ୪ନଂ  ସ୍ଥାନରେ ବ୍ୟାଟିଂ କରିବେ । ତେଣୁ ସମୀର  ରିଜଭୀଙ୍କୁ ଏକାଦଶରୁ ବାଦ ଦିଆଯିବ । ମୁକେଶ  କୁମାର ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିଲେ ।  ସେ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଫିନିଶର ଆଶୁତୋଷ   ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚ୍‌ରେ ସେ ଏକୁଟିଆ ସୁପରଜାଏଣ୍ଟ୍‌ସ ଠାରୁ  ବିଜୟ ଛଡ଼ାଇ ନେଇଥିଲେ । 

ସମ୍ଭାବ୍ୟ ଦ୍ବାଦଶ

ଦିଲ୍ଲୀ କ୍ୟାପିଟାଲ୍ସ : ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ  ପୋରେଲ, କେଏଲ ରାହୁଲ, ଅକ୍ଷର  ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ,  ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ  ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା,  ମୁକେଶ କୁମାର/ଦର୍ଶନ ନାଲକନ୍ଦେ । 

ସନରାଇଜର୍ସ: ଅଭିଷେକ ଶର୍ମା,   ଟ୍ରେଭିସ ହେଡ୍‌, ଇଶାନ କିଷନ, ନୀତିଶ  କୁମାର ରେଡ୍ଡୀ, ହେନରିକ କ୍ଲାସେନ,  ଅନିକେତ ବର୍ମା, ଅଭିନବ ମନୋହର,  ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ  ପଟେଲ, ମହମ୍ମଦ ସାମି, ସିମରଜୀତ  ସିଂହ, ଆଡାମ ଜାମ୍ପା ।

  • IPL
  • IPL 2025
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.