ଇରାନ ଉପରେ ବଡ଼ ହମଲା ହେବ, ବୁଝିପାରିବନି ଆତଙ୍କୀ ସଂଗଠନ; ଚେତାବନୀ ଦେଲା ଇସ୍ରାଏଲ

Published By : Prameya-News7 Bureau | October 11, 2024 IST

ତେଲ୍‌ ଅଭିଭ୍‌, ୧୧/୧୦: ଇରାନ ଉପରେ ବଡ଼ ଆକ୍ରମଣ କରିବ ଇସ୍ରାଏଲ । ଅକ୍ଟୋବର ପହିଲାରେ ଇରାନ ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ହେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ଆକ୍ରମଣ ଅତି ଭୟଙ୍କର ହେବା ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲେଣ୍ଟ କହିଛନ୍ତି । ଅଚାନକ ଇରାନ ଉପରେ ଆକ୍ରମଣ ହେବ ଏବଂ ଇରାନ ଏ ନେଇ କିଛି ବି ସୁରାକ ପାଇବନାହିଁ କି କିଛି ବୁଝିପାରିବନି । କେବଳ ଧ୍ବଂସର ଲୀଳା ଦେଖିବେ ଇରାନ ସରକାର ବୋଲି ଚେତାବନୀ ଦେଇଛନ୍ତି ।

ଇରାନ ଉପରେ କେଉଁ ଭଳି ଆକ୍ରମଣ କରାଯିବା ତାହା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ କ୍ୟାବିନେଟ ବୈଠକରେ ଭୋଟିଂ ପରେ ସ୍ଥିତ କହିବେ  । ଏହା ପୂର୍ବରୁ ନେତନ୍ୟାହୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ପ୍ରାୟ ୩୦ ମିନିଟ୍‌ ଧରି ଏହି ଆଲୋଚନା ଚାଲିଥିଲା । ସୂଚନା ଅନୁସାରେ, ନିଜର ସୁରକ୍ଷା କରିବା ଅଧିକାର ଇସ୍ରାଏଲ ନିକଟରେ ସମ୍ପୂର୍ଣ୍ଣ ଭାବେ ରହିଛି ବୋଲି ବାଇଡେନ ଦୋହରାଇଛନ୍ତି । ଅନ୍ୟପକ୍ଷରେ କଥାବାର୍ତ୍ତା ସକାରାତ୍ମକ ହୋଇଥିବା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି । 

ସେପଟେ ଇରାନ ଉପରେ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣ ଭିତରେ ଇରାନ ବିଦେଶ ମନ୍ତ୍ରୀ ଅବାସ୍‌ ଅରାକଚି ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ବୁଧବାର ସାକ୍ଷାତ କରିଛନ୍ତି । ସାଉଦି ଆରବ ରାଜଧାନୀ ରିଆଧରେ ହୋଇଥିବା ଏହି ଆଲୋଚନାରେ ମଧ୍ୟପ୍ରାଚ୍ୟରେ ଜାରି ଅଶାନ୍ତି, ଲେବାନନ ଏବଂ ଗାଜାରେ ଯୁଦ୍ଧବିରତି ସମେତ ଦ୍ୱିପାକ୍ଷିକ ସମ୍ପର୍କ ବାବଦରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଲେବାନନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ବୁଧବାର ରାତିରେ ହୋଇଥିବା ଆକ୍ରମଣରେ ୨ ହିଜ୍‌ବୁଲ୍ଲା କମାଣ୍ଡର ନିପାତ ହୋଇଛନ୍ତି । ଲେବାନନ୍‌ରେ ଥିବା ହିଜ୍‌ବୁଲ୍ଲା ଆତଙ୍କୀଙ୍କ ୫ଶହରୁ ଉର୍ଦ୍ଧ୍ବ ଭିତ୍ତିଭୂମି ନଷ୍ଟ ହୋଇଛି । ବହୁସଂଖ୍ୟାରେ ସୁଡ଼ଙ୍ଗ, ଶତାଧିକ ଅସ୍ତ୍ରାଗାର ବି ଧ୍ୱଂସ ହୋଇଥିବା ଇସ୍ରାଏଲ ସେନା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.