ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମୋହମ୍ମଦୀଙ୍କ ଦଣ୍ଡ ଆଉ ବର୍ଷେ ବଢେଇ ଦେଲା ଇରାନ

Published By : Prameya-News7 Bureau | June 19, 2024 IST

ଦୁବାଇ ୧୯।୬: ଇରାନ ଜେଲରେ ବନ୍ଦୀ ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସ ମୋହମ୍ମଦୀଙ୍କ ଦଣ୍ଡ ଆଉ ବର୍ଷେ ବଢିଯାଇଛି। ତାଙ୍କ ଓକିଲ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନର୍ଗିସଙ୍କ ଗତିବିଦ୍ଧିକୁ ଦେଖି ତାଙ୍କ ଦଣ୍ଡକୁ କଠୋର କରାଯାଇଛି। ନର୍ଗିସଙ୍କ ଓକିଲ ମୁସ୍ତାଫା ନିଲୀ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ଅବ୍ୟବସ୍ଥା ବିରୋଧରେ ଅପପ୍ରଚାର ଲାଗି ଦୋଷୀ ସାବ୍ୟସ୍ତ କରାଯାଇଛି। 

ଇରାନରେ ହୋଇଥିବା ସଂସଦ ନିର୍ବାଚନକୁ ବହିଷ୍କାର କରିବା ପାଇଁ ଭୋଟରଙ୍କୁ ନିବେଦନ କରିବା, ଇୟୁରୋପ ସାଂସଦଙ୍କୁ ପତ୍ର ଲେଖିବା ତଥା ଜଣେ ଇରାନୀ ସାମ୍ବାଦିକ କୂଟନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯାଇଥିବା ଯାତନାକୁ ନେଇ ଟିପ୍ପଣୀ କରିବାରୁ ତାଙ୍କ ଦଣ୍ଡ ବଢିଛି ବୋଲି ଓକିଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନର୍ଗିସ ମୋହମ୍ମଦୀ(୫୨)ଙ୍କୁ ଇରାନର କୁଖ୍ୟାତ ଏଭିନ ଜେଲରେ ରଖାଯାଇଛି, ଯେଉଁଠି ରାଜନୈତିକ କୈଦୀ ଓ ପାଶ୍ଚାତ୍ୟ ଦେଶଙ୍କ ସହିତ ସମ୍ପର୍କ ରଖୁଥିବା ଲୋକଙ୍କୁ ରଖାଯାଇଛି। 

ନର୍ଗିସ୍ ପୂର୍ବରୁ ୩୦ ମାସ ହେଲା ଦଣ୍ଡ ଭୋଗି ଆସୁଛନ୍ତି। ଗତ ଜାନୁୟାରୀରେ ତାଙ୍କ ଦଣ୍ଡକୁ ଆହୁରି ୧୫ ମାସ ବଢାଇ ଦିଆଯାଇଥିଲା। ତେବେ ଇରାନ ସରକାର ତାଙ୍କ ଅତିରିକ୍ତ ଦଣ୍ଡକୁ ସ୍ୱୀକାର କରୁ ନାହାନ୍ତି। ନର୍ଗିସଙ୍କୁ ଗତବର୍ଷ ଅକ୍ଟୋବର ମାସରେ ନୋବେଲ ଶାନ୍ତି ପୂରସ୍କାର ଦିଆଯାଇଥିଲା। ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ସେ ୧୯ତମ ଓ ଦ୍ୱିତୀୟ ଇରାନୀ ମହିଳା। ତାଙ୍କ ପୂର୍ବରୁ ୨୦୦୩ ମସିହାରେ ମାନବାଧିକାର କାର୍ଯ୍ୟକର୍ତ୍ତା ଶିରିନ ଇବାଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.