ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ୍ ସେନାର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଯୁଦ୍ଧବିରାମ ହଟିବା ପରେ ଜୋରଦାର ପ୍ରହାର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ମିସାଇଲ୍ ମାଡ଼ରେ ୨୦ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ହମାସ୍ ସହ ଇସ୍ରାଏଲର ଯୁଦ୍ଧବିରତି ଆଲୋଚନା ବିଫଳ ହେବା ପରେ ଆଇଡିଏଫ ପୁଣି ଥରେ ବୋମା ବର୍ଷା ଆରମ୍ଭ କରିଦେଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରେ ଏହି ଆକ୍ରମଣ ହୋଇଛି । ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଇସ୍ରାଏଲର ଏହି ନରସଂହାରରେ ପ୍ରାୟ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ଶେଷ ହୋଇଛି । ଦୁଇ ପକ୍ଷ ମଧ୍ୟରେ ଦ୍ବିତୀୟ ଥର ଅସ୍ତ୍ରବିରତି ନେଇ ଅସମତି ପ୍ରକାଶ ପାଇବା ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାପଟ୍ଟୀପରେ ପୁଣି ଥରେ ନରସଂହାର ଆରମ୍ଭ କରିଦେଇଛି । ସୋମବାର ଓ ମଙ୍ଗଳବାର ଭୋରରୁ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଗାଜା ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ, ଆଇଡିଏଫର ଘନଘନ ବୋମା ବର୍ଷାରେ ଶହେରୁ ଅଧିକ ନୀରିହ ଲୋକଙ୍କ ଜୀବନ ଯାଇଛି । ଏଥିରେ କିଛି ଛୋଟ ପିଲା ଥିବା ମଧ୍ୟ କୁହାଯାଉଛି । ଇସ୍ରାଏଲ ଓ ପାଲେଷ୍ଟାୟୀନ ମଧ୍ୟରେ ଯୁଦ୍ଧବିରାମ ଶେଷ ହେବା ପରେ ଏହା ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି ।
ଇସ୍ରାଏଲ ଆର୍ମିର ସୂଚନା ମୁତାବକ, ଏହି ଆକ୍ରମଣ ଗାଜାରେ ଥିବା ହମାସ ଠିକଣାରେ ହମଲା ହୋଇଛି । ଏନେଇ ଇସ୍ରାଏଲ ସେନା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟ କରି କହିଛି, ପାଲେଷ୍ଟାୟୀନ ରହୁଥିବା ଶରଣାର୍ଥୀ କେନ୍ଦ୍ର ନୁହେଁ ହମାସ ଆତଙ୍କବାଦୀ ସଂଗଠନ ଅପରେଟ୍ ହେଉଥିବା ଠିକଣାରେ ସଠିକ୍ ଏୟାର ଷ୍ଟ୍ରାଇଟ୍ ହୋଇଛି । ଗାଜାର ଡୈର-ଏଲ-ବଲହା, ଖାନ ୟୁନିସ୍ ସହର, ରାଫା ସିଟିକୁ ଟାର୍ଗେଟ୍ କରାଯାଇଛି ।