ନୂଆଦିଲ୍ଲୀ: କାଉଣ୍ଟଡାଉନ ଆରମ୍ଭ, ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଫ୍ଲୋରିଡା ଉପକୂଳରେ ଅବତରଣ କରିବେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲମୋର । ସ୍ପେଶ୍ ଷ୍ଟେସନକୁ ୮ ଦିନ ପାଇଁ ଯାଇ ୯ମାସ ହେଲା ଫସିରହିଥିଲେ । ମଙ୍ଗଳବାର ଅର୍ଥାତ୍ ଆଜି ସେ ମହାକାଶରୁ ଫେରୁଛନ୍ତି । ନାସା ସୂଚନା ମୁତାବକ, ସ୍ପେଶ୍ଏକ୍ସ ସ୍ପେଶକ୍ରାଫ୍ଟର ଅନଡକିଂ ପ୍ରକ୍ରିୟା ଶେଷ ହୋଇଛି । ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ପ୍ରାୟ ୩.୩୭ ମିନିଟରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବେ ସୁନୀତା ଓ ସାଥି ।
ନାସା ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କ ଫେରନ୍ତା ସମୟ ସାରଣୀ ଜାରି କରିଛି । ପାଗରେ କୌଣସି ପରିବର୍ତ୍ତନ ଆସିଲେ ଏହାକୁ ମଧ୍ୟ ପରିବର୍ତ୍ତନ କରାଯିବ । ନାସା ଅନୁଯାୟୀ, ସ୍ପେଶ୍ କ୍ରାଫ୍ଟର ଫେରିବା ସମୟ ପାଖାପାଖି ୧୭ ଘଣ୍ଟା ରହିବ । ଏହି ସମୟରେ ନାସା ବୈଜ୍ଞାନିକମାନେ ସ୍ପେଶକ୍ରାଫ୍ଟ କ୍ୟାପସୁଲ୍ ଉପରେ ତୀକ୍ଷ୍ଣ ନଜର ରଖିବେ । କୁହାଯାଉଛି, ସ୍ପେଶଏକ୍ସର ଏହି ମହାକାଶ ଯାନ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ । ଏହାପରେ ମହାକାଶ ଯାନ ୧୮ ହଜାର ଫୁଟ ଉଚ୍ଚରେ ଥିବା ବେଳେ ପ୍ରଥମେ ଦୁଇ ଡ୍ରାଗନର ପାରାଚ୍ୟୁଟ୍ ଖୋଲିବ । ସେହିପରି ୬ହଜାର ଫୁଟ୍ରେ ଥିବା ବେଳେ ମୁଖ୍ୟ ପାରାଚ୍ୟୁଟ୍ ଖୋଲିବ ।
ନାସା ଅନୁଯାୟୀ, ମହାକାଶଚାରୀଙ୍କୁ ସମୁଦ୍ରରେ ଅବତରଣ କରାଯିବ । ଫ୍ଲୋରିଡା ଉପକୂଳରେ ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ପାଗ ଖରାପ ରହିଲେ, ଅନ୍ୟ କୌଣସି ସ୍ଥାନରେ ଲ୍ୟାଣ୍ଡିଂ ହେବ । ଭାରତୀୟ ସମୟ ପ୍ରାୟ ଭୋର ୩.୩୭ ମିନିଟରେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋର ଅବତରଣ କରିବେ ।