ଜେରୁଜେଲମ: ଗାଜା ଉପରେ ପୁଣି ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ୍। ହମାସକୁ ସମୂଳେ ବିନାଶ କରିବା ପାଇଁ ନେତାନ୍ୟାହୁ ନେଇଥିବା ପଣ ପୂରା ହେଉଛି। ମଙ୍ଗଳବାର ଗାଜାର ବିଭିନ୍ନ ଅଞ୍ଚଳ ଯଥା ଗାଜା ସିଟି, ଡିଏର ଅଲ-ବାଲା, ଖାନ ୟୁନିସ୍, ଏବଂ ରାଫାରେ ଏୟାର ଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ୍। ଏଥିରେ ହମାସର ସରକାରୀ ମୁଖ୍ୟଙ୍କ ସମେତ ଏକାଧିକ ଶୀର୍ଷ ନେତାଙ୍କର ମୃତ୍ୟୁ ହୋଇଛି ବୋଲି ହମାସ ପକ୍ଷରୁ ସୂଚନା ଦିଆଯାଇଛି।
ଲଗାତର ହୋଇଥିବା ଆକ୍ରମଣରେ ଗାଜାର ଇଣ୍ଟରିୟର ମନ୍ତ୍ରଣାଳୟ ମୁଖ୍ୟ ମହମଦ ଅବୁ ୱାତ୍ଫା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସେବାର ମହାନିର୍ଦ୍ଦେଶକ ବହଜାତ ଆବୁ ସୁଲତାନଙ୍କର ମୃତ୍ୟୁ ହୋଇଛି। ଏଏପ୍ପି ନ୍ୟୁଜ୍ର ରିପୋର୍ଟ ଅନୁସାରେ ଏହି ନେତାମାନଙ୍କୁ ପରିବାର ସହିତ ଆକ୍ରମଣ କରାଯାଇଥିଲା। ସମସ୍ତଙ୍କର ମୃତ୍ୟୁ ହୋଇଛି।
ହମାସ ବନ୍ଧକ ବନାଇଥିବା ଇସ୍ରାଏଲ ନାଗରକିଙ୍କୁ ମୁକ୍ତ କରିବାକୁ ମନା କରିବା ଏବଂ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଇସ୍ରାଏଲ ସେନା ସାମରିକ କାର୍ଯ୍ୟାନୁଷ୍ଠାନକୁ ଆରମ୍ଭ କରିଛି। ଫଳରେ ଗତ ଦୁଇ ମାସ ହେବ ଚାଲିଥିବା ଅସ୍ତ୍ରବିରତୀ ରାଜିନାମା ଭାଙ୍ଗିଯାଇଛି।
ସେପଟେ ହମାସ ଉପରେ ଆକ୍ରମଣ କରିବା ସହିତ ଏହି ସଂଗଠନ ଉପରେ ଚାପ ପକାଇବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। “ଇସ୍ରାଏଲ ଏବେଠାରୁ, ହମାସ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବ ବୋଲି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି।
ଆକ୍ରମଣ ପୂର୍ବରୁ ଆମେରିକା ଜଣାଇଥିଲା ଇସ୍ରାଏଲ୍
ସେପଟେ ଏହି ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ ଆମେରିକାକୁ ସୂଚନା ଦେଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ବାସଭବନ ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି। ହ୍ୱାଇଟ୍ ହାଉସର ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ଫକ୍ସ ନ୍ୟୁଜର "ହାନିଟି" ଶୋ'କୁ କହିଛନ୍ତି ଯେ ସୋମବାର ଇସ୍ରାଏଲ ଗାଜାରେ କରିଥିବା ଘାତକ ଆକ୍ରମଣ ବିଷୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହିତ ପରାମର୍ଶ କରିଥିଲା। ହ୍ୱାଇଟ୍ ହାଉସର ଫକ୍ସ ନ୍ୟୁଜ୍ ସାକ୍ଷାତକାରରେ କହିଛନ୍ତି।
ପଢନ୍ତୁ- ଫେରୁଛନ୍ତି ସୁନୀତା;୧୮ହଜାର ଫୁଟ ଉପରେ ଖୋଲିବ ପାରାଚ୍ୟୁଟ୍, ଫ୍ଲୋରିଡା ସମୁଦ୍ରରେ ଲ୍ୟାଣ୍ଡିଂ
ସେ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି ଯେ ହମାସ, ହୁଥି ବିଦ୍ରୋହୀ, ଇରାନ, ଯେଉଁମାନେ କେବଳ ଇସ୍ରାଏଲକୁ ନୁହେଁ, ବରଂ ଆମେରିକାକୁ ମଧ୍ୟ ଆତଙ୍କିତ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ମୂଲ୍ୟ ଦେବାକୁ ପଡିବ। ସମସ୍ତଙ୍କୁ ହଟାଇ ଦିଆଯିବ ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି। ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ହମାସକୁ ଚେତାବନୀ ଦେଇଥିଲେ। ହମାସ ଯଦି ବନ୍ଧକମାନଙ୍କୁ ନଛାଡ଼େ ତେବେ ସେମାନଙ୍କୁ ଛଡ଼ାଯିବନି ବୋଲି ଟ୍ରମ୍ପ ଚେତବାନୀ ମଧ୍ୟ ଦେଇଥିଲେ।
ଏପଟେ ଇସ୍ରାଏଲର ଏହି ଲାଗତର ଆକ୍ରମଣରେ ୩୨୬ ଜଣଙ୍କର ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିରେ ଏକାଧିକ ଛୋଟପିଲାଙ୍କର ବି ଜୀବନ ଯାଇଛି। ତେବେ ଇସ୍ରାଏଲ କହିଛି ଯୁଦ୍ଧ ଜାରି ରହିବ। ଏବେ ଆକାଶରେ ନୁହେଁ ସ୍ଥଳସେନା ବି ଗାଜାକୁ ବିନାଶ କରିବା ପାଇଁ ଓହ୍ଲାଇବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି।