ନୂଆଦିଲ୍ଲୀ: ନୂଆ ବର୍ଷ ଠିକ୍ ପୂର୍ବରୁ ଇସ୍ରୋ ଇତିହାସ ରଚି ସ୍ପେଡେକ୍ସ ମିଶନକୁ ସଫଳତା ସହ ଲଞ୍ଚ୍ କରିଥିଲା । ଏବେ ୨୦୨୫ରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଆହୁରି ଅନେକ ମିଶନକୁ କାର୍ଯ୍ୟକାରୀ କରିବ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ନୂଆ ବର୍ଷର ପ୍ରଥମ ଛଅ ମାସରେ ଛଅଟି ବଡ଼ ମିଶନ ଲଞ୍ଚ୍ କରିବ । ଏଥିରେ ମହିଳା ରୋବୋଟକୁ ମହାକାଶ ପଠାଇବା ଏବଂ ଭାରତ-ଆମେରିକାର ସଂଯୁକ୍ତ NISAR ସାଟେଲାଇଟ୍ ମଧ୍ୟ ସାମିଲ ରହିଛି । କେନ୍ଦ୍ରମନ୍ତ୍ରୀ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ସେ ୨୦୨୪ର ଉପଲବ୍ଧି ଏବଂ ଆଗାମୀ ଯୋଜନା ବିଷୟ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଜାନୁଆରୀ ସର୍ବପ୍ରଥମେ ଆଡଭାନ୍ସଡ୍ ନେଭିଗେସନ ସାଟେଲାଇଟ୍ NVS-02 ଲଞ୍ଚ କରାଯିବ । ଏହି ଜିଏସଏଲଭି ଲଞ୍ଚ୍ ଇସ୍ରୋର ୧୦୦ତମ ମିଶନ ହେବ । ଏହାପରେ ଗଗନଯାନ ମାନବ ମିଶନ ଅଧିନରେ ଇସ୍ରୋ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମହିଳା ରୋବୋଟ ବ୍ୟୋମିତ୍ରକୁ ମହାକାଶକୁ ପଠାଯିବ । ଏହି ମିଶନ ଫାଇନାଲ୍ ମାନବ ମିଶନ ରୂପେ ହିଁ ହେବ, କିନ୍ତୁ ଏଥିରେ କୌଣଶି ମଣିଷ ରହିବେ ନାହିଁ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବ୍ୟୋମିତ୍ର ମିଶନ ସଫଳ ହେବା ପରେ ମହାକାଶକୁ ମହାକାଶଚାରୀ ପଠାଯିବ । ମାର୍ଚ୍ଚ ମାସରେ ନାସା-ଇସ୍ରୋ ସାର (NISAR) ସାଟେଲାଇଟ୍ ଲଞ୍ଚ କରାଯିବ । ଏହା ଦୁନିଆର ସବୁଠୁ ମହଙ୍ଗା ଉପଗ୍ରହ, ଯାହାର ମୂଲ୍ୟ ୧୨,୫୦୫ କୋଟି ଟଙ୍କା । ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସାଟେଲାଇଟ୍ ପ୍ରତି ୧୨ ଦିନରେ ପୂରା ପୃଥିବୀ ଏବଂ ବରଫକୁ ସ୍କାନ୍ କରିବ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୧୯୬୯ ମସିହାରେ ଇସ୍ରୋର ସ୍ଥାପନା ହୋଇଥିଲା, ସେହି ସମୟରେ ଚନ୍ଦ୍ରକୁ ମଣିଷ ପଠାଇବା କାର୍ଯ୍ୟରେ ଆମେରିକା ବ୍ୟସ୍ତ ଥିଲା । କିନ୍ତୁ ଏବେ ସମୟ ବଦଳି ସାରିଛି । ଇସ୍ରୋ ଏବେ ଆମେରିକାର ଉପଗ୍ରହ ଲଞ୍ଚ୍ କରିବାକୁ ଯାଉଛି । ଜଣେ ଆମେରିକୀୟ ଗ୍ରାହକଙ୍କ ପାଇଁ ମୋବାଇଲ୍ କମ୍ୟୁନିକେସନ ସାଟେଲାଇଟର କମର୍ଶିଆଲ ଲଞ୍ଚ୍ ମଧ୍ୟ ଖୁବଶୀଘ୍ର କରାଯିବ ।
ଇସ୍ରୋ ମୁଖ୍ୟ ଏସ.ସୋମନାଥ କହିଛନ୍ତି ଯେ ୨୦୨୫ ଅତ୍ୟନ୍ତ ରୋମାଞ୍ଚକର ବର୍ଷ ହେବାକୁ ଯାଉଛି । ନୂଆ ବର୍ଷରେ ଇସ୍ରୋ ଚାରୋଟି GSLV ରକେଟ୍, ତିନି PSLV ଏବଂ ଗୋଟିଏ SSLV ଲଞ୍ଚ କରିବ । ଇସ୍ରୋର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ କମ ହେବ ନାହିଁ । ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମିଶନ ଉପରେ ମଧ୍ୟ କାମ ଜାରି ରହିଛି । ଏହି ସବୁ ମିଶନ ଭାରତର ମହାକାଶ କ୍ଷମତାକୁ ଅଧିକ ମଜଭୁତ କରିବ ।