ନୂଆଦିଲ୍ଲୀ ୨୯।୧୨: ଭାରତୀୟ ମହକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସୋମବାର ରାତି ୯ଟା ୫୮ ମିନିଟରେ ଶ୍ରୀହରିକୋଟ୍ଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍ଏଲଭି ସି-୬୦ ରକେଟ୍ ଦ୍ୱାରା ୨ଟି ଉପଗ୍ରହ ଲଞ୍ଚ କରିବ। ଏହି ମିସନ ଭାରତ ନିମନ୍ତେ ଅତ୍ୟନ୍ତ ଜରୁରି। କାରଣ ଏହା ଦ୍ୱାରା ଭାରତ ମହାକାଶରେ ଡକିଂ ଓ ଅନଡକିଂ ଟେକିନିକ୍ ର ପରୀକ୍ଷଣ କରିବ। ଏହି ପରୀକ୍ଷଣ ସଫଳ ହେଲେ ଭାରତ ବିଶ୍ୱର ସେହି ୪ ଦେଶଙ୍କ ସୂଚୀରେ ସାମିଲ ହେବ ଯେଉଁମାନେ ମହାକାଶରେ ଏହି କାର୍ଯ୍ୟର ସଫଳ ଉପଯୋଗ କରୁଛନ୍ତି।
ଏହି ମିସନକୁ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ନାମ ଦିଆଯାଇଛି। ଏହା ମାଧ୍ୟମରେ ଏସଡିଏକ୍ସ-୧ ଓ ଏସଡିଏକ୍ସ-୨ ନାମରେ ଦୁଇଟି ଉପଗ୍ରହକୁ ମହାକାଶ କକ୍ଷପଥରେ ସ୍ଥାପିତ କରାଯିବ। ଉପଗ୍ରହ ଦୁଇଟିର ସଫଳ ଲଞ୍ଚିଂ ପରେ ଜାନୁୟାରୀ ୨୦୨୫ ପ୍ରଥମ ସପ୍ତାହରେ ଏହି ଉପଗ୍ରହଙ୍କ ଜରିଆରେ ମହାକାଶରେ ସଂଯୁକ୍ତ କରିବା ଓ ପୃଥକ କରିବା ଟେକନିକ୍ ର ପରୀକ୍ଷଣ ଆରମ୍ଭ ହେବ। ମହାକାଶ ଅଭିଯାନରେ ଡକିଂ ଟେକ୍ନୋଲଜିର ଖାସ ଗୁରୁତ୍ୱ ରହିଛି। ଏହି ଟେକ୍ନୋଲଜି ମହାକାଶରେ ଅନ୍ତରୀକ୍ଷ ଯାନକୁ ପରସ୍ପର ସହ ଯୋଡିବାର କ୍ଷମତା ପ୍ରଦାନ କରିଥାଏ।
ଏହାର ବ୍ୟବହାର ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ଚାଲିବାକୁ ଥିବା ଅଭିଯାନ, ମାନବଯୁକ୍ତ ମିସନ ଓ ମହାକାଶ ଯାନ ଦ୍ୱାରା ଯୋଗାଣ ଆଦିରେ କରାଯାଇଥାଏ। ଇସ୍ରୋଙ୍କ ସ୍ପେଡେକ୍ସ ମିସନ ଭାରତର ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ପ୍ରାରମ୍ଭ। ଏହା ଭବିଷ୍ୟତର ମହାକାଶ ଅଭିଯାନ ନିମନ୍ତେ ମଧ୍ୟ ମାର୍ଗ ପ୍ରଶସ୍ତ କରିବ। ଏହି ମିସନ ପାଇଁ ଇସ୍ରୋ ପିଏସଏଲଭି ସି-୬୦ ରକେଟକୁ ବାଛିଛନ୍ତି। ଏହା ଇସ୍ରୋଙ୍କ ପ୍ରମୁଖ ଓ ଭରସାଯୋଗ୍ୟ ଲଞ୍ଚର। ଏହି ରକେଟ ପୂର୍ବରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମିସନକୁ ସଫଳ କରିଛି।