ଚୀନକୁ ଝଟ୍‌କା: ବିଆର୍‌ଆଇ ପ୍ରୋଜେକ୍ଟରୁ ଓହରିପାରେ ଇଟାଲି, ପ୍ରଧାନମନ୍ତ୍ରୀ ଦେଲେ ସଂକେତ

Published By : Prameya-News7 Bureau | September 10, 2023 IST

ନୂଆଦିଲ୍ଲୀ: ଚୀନର ମହତ୍ତ୍ୱାକାଂକ୍ଷୀ ଯୋଜନା ବେଲ୍ଟ ଆଣ୍ଡ୍ ରୋଡ୍‌ ଇନିସିଏଟିଭ୍(ବିଆର୍‌ଆଇ)ରୁ ଓହରି ଯାଇପାରେ ଇଟାଲୀ। ରବିବାର ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ କିଛି ଏଭଳି ଇସାରା ଦେଇଛନ୍ତି। ବ୍ଲୁମବର୍ଗରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଶନିବାର ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଚାଲିଥିବା ବେଳେ ବୈଠକ ବାହାରେ ପ୍ରତିପକ୍ଷ ଲି. କିଆଙ୍ଗକୁ ଭେଟିଥିଲେ ଜର୍ଜିଆ ମେଲୋନୀ। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାଖିକ ଚୁକ୍ତି ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଆର୍‌ଆଇରୁ ଓହରିଯିବାକୁ ଖୋଲାଖୋଲି ଭାବେ ନିଜର ଇଚ୍ଛା ପ୍ରକାଶ କରିଥିଲେ ଇଟାଲି ପ୍ରଧାନମନ୍ତ୍ରୀ। ବେଜିଂର ମଲ୍ଟି ବିଲିଅନ ଡଲାରର ଇନ୍‌ଫ୍ରାଷ୍ଟ୍ରକ୍‌ଚର ପଦକ୍ଷେପ ରୋମକୁ କୌଣସି ଲାଭ ଦେବ ନାହିଁ ବୋଲି ଜର୍ଜିଆ ମେଲୋନୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଇଟାଲୀ ଚୀନର ବିଆର୍‌ଆଇରୁ ଓହରିଯିବାକୁ ଯୋଜନା କରୁଛି। ଯୋଜନାରୁ ଓହରିଯିବା ପରେ ବି ଆମ ଦେଶ ଚୀନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାକୁ ଚାହୁଁଛି। ସୂଚନା ଥାଉକି ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାଇନ୍ କରିଥିଲା। ହେଲେ ଏବେ କୌଣସି ଲାଭ ହେବ ନାହିଁ ବୋଲି କହି ଏଥିରୁ ଓହରିଯିବାକୁ ବସିଛି।

ପଢ଼ନ୍ତୁ-ସ୍ୱିଜରଲ୍ୟାଣ୍ଡ ପୁଣି ଜିତିଲା ବିଶ୍ୱର ଶ୍ରେଷ୍ଠ ଦେଶ ଟାଇଟଲ, ଜାଣନ୍ତୁ ଭାରତର ରାଙ୍କିଙ୍ଗ କେତେ?

ଜର୍ଜିଆ ମେଲୋନୀଙ୍କ ପୂର୍ବରୁ ଇଟାଲୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଅଣ୍ଟୋନିଆ ତଜାନୀ ସେପ୍ଟେମ୍ବର ୫ ତାରିଖରେ ଚୀନ ଗସ୍ତ କରିଥିଲେ। ସେହି ସମୟରେ ବି ସେ ବିଆର୍‌ଇ ବିଷୟରେ ଟାଣ କରି ନିଜର ମତ ରଖିଥିଲେ। ସେ କହିଥିଲେ ଯେ ଚୀନର ଏହି ପଦକ୍ଷେପରେ ଆମେ ଯାହା ଆଶା କରୁଥିଲୁ, ତାହା ହେଲାନି। ଆଶା ଅନୁସାରେ, ଫାଇଦା ହେବାର କୌଣସି ଦିଗ ଦେଖାଯାଉ ନାହିଁ। ତା ଛଡ଼ା ଏକାଧିକ ଇଟାଲି ଦଳ ଚୀନର ଏହି ପ୍ରୋଜେକ୍ଟରେ ଇଟାଲି ଯୋଗ ଦେବାକୁ ବିରୋଧ କରୁଛନ୍ତି ବୋଲି ସେ କହିଥିଲେ।

ଅନ୍ୟପଟେ ଚୀନ ଆସନ୍ତାମାସରେ ତୃତୀୟ ବିଆର୍‌ଆଇ ସମ୍ମିଳନୀ କରିବାକୁ ଘୋଷଣା କରିଛି। ବିଆର୍‌ଆଇକୁ ନେଇ ମେଲୋନୀ କହିଛନ୍ତି ଯେ ଇଟାଲି ସରକାର ଏ ସମ୍ପର୍କରେ ଚଳିତ ବର୍ଷ ଡିସେମ୍ବର ମାସରେ ନିଷ୍ପତ୍ତି ନେଇପାରନ୍ତି। ଏହାକୁ ନେଇ ଏକ ବିରୋଧାଭାସ ରହିଛି ବୋଲି ଇଟାଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ଜୁଲାଇ ମାସରେ ଇଟାଲି ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରେସେଟ୍ଟୋ ମଧ୍ୟ ବିଆର୍‌ଆଇରେ ଇଟାଲୀରେ ଯୋଗ ଦେବାକୁ ସମାଲୋଚନା କରିଥିଲେ। ୪ ବର୍ଷ ତଳେ ଚୀନ ଆରମ୍ଭ କରିଥିବା ଏହି ଯୋଜନାରେ ସାମିଲ୍ ହେବା କାମଚଲା ଓ କ୍ରୁର ନିଷ୍ପତ୍ତି ଥିଲା ବୋଲି ସେ କହିଥିଲେ। ଇଟାଲିର ପୂର୍ବ ସରକାର ସମୟରେ ଚୀନର ଏହି ଯୋଜନାରେ ସାମିଲ୍ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.