‘ଚାଷୀ ଆନ୍ଦୋଳନ ସମୟରେ ଟ୍ବିଟର ବନ୍ଦ କରିବାକୁ ଧମକ ଦେଇଥିଲେ କେନ୍ଦ୍ର ସରକାର’, ଚାଞ୍ଚଲ୍ୟକର ଖୁଲାସା କଲେ ଜ୍ୟାକ୍‌ ଡୋର୍ସି

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ, ୧୩/୦୬: ଟ୍ବିଟରର ସହ-ସଂସ୍ଥାପକ ତଥା ପୂର୍ବତନ ସିଇଓ ଜ୍ୟାକ୍‌ ଡୋର୍ସିଙ୍କ ଏକ ସାକ୍ଷାତକାରକୁ ନେଇ ଭାରତରେ ଜୋର୍‌ ଧରିଛି ରାଜନୀତି। ପ୍ରକୃତରେ ଏହି ସାକ୍ଷାତକାରରେ ଜ୍ୟାକ୍‌ ଭାରତ ସରକାରଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଆଉ ଜ୍ୟାକଙ୍କ ଏହି ସାକ୍ଷାତକାର ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ସେପଟେ ଜ୍ୟାକ୍‌ଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର।

ଟ୍ବିଟର ବନ୍ଦ କରିବାକୁ ଧମକ ଦେଇଥିଲା ଭାରତ: ଜ୍ୟାକ୍‌ ଡୋର୍ସି

ମଙ୍ଗଳବାର, ଜ୍ୟାକ ଡୋର୍ସି ୟୁଟ୍ୟୁବ୍‌ ଚ୍ୟାନେଲ ବ୍ରେକିଂ ପଏଣ୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସାକ୍ଷାତକାରରେ ଜ୍ୟାକ୍‌ କହିଛନ୍ତି ‘‘ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଯିଏ ଟ୍ବିଟର ବନ୍ଦ କରିଦେବାକୁ ଧମକ ଦେଇଥିଲେ। ଯେତେବେଳେ ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିଲା ସେତେବେଳେ ଭାରତ ସରକାର, ସରକାରଙ୍କୁ ସମାଲୋଚନା କରୁଥିବା ଟ୍ବିଟର ଆକାଉଣ୍ଟକୁ ବ୍ୟାନ୍‌ କରିବାକୁ ଚାପ ପକାଉଥିଲେ। ଆଉ ଯଦି ଏହି ଆଦେଶ ପାଳନ ନହୁଏ ତେବେ ଟ୍ବିଟରକୁ ଭାରତରୁ ବନ୍ଦ କରି ଦିଆଯିବା ନେଇ ଧମକ ଦିଆଯାଇଥଲା। ଏହା ସହ କର୍ମଚାରୀଙ୍କ ଘରେ ରେଡ୍ କରିବା ଏବଂ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯିବ ବୋଲି ଧମକ ଦିଆଯାଇଥିଲା।’’

ତେବେ ଡୋର୍ସିଙ୍କ ଏହି ସାକ୍ଷାତକାରକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି। ଏନଏସୟୁଆଇ ନେତା ନୀରଜ କୁନ୍ଦର ଅଭିଯୋଗ କରିଛନ୍ତି ଯେ, ‘‘ବିଜେପି ଗଣତନ୍ତ୍ରର ହତ୍ୟାକାରୀ ଏହା ବାରମ୍ବାର ପ୍ରମାଣିତ ହେଉଛି।’’ ଯୁବ କଂଗ୍ରେସ ଏବଂ ନାସନ୍ୟାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆ ଡୋର୍ସିଙ୍କ କ୍ଲିପ୍‌ ସେୟାର କରି ସରକାରଙ୍କ ଉପରେ ଟାର୍ଗେଟ କରିଛି।

ଜ୍ୟାକ୍‌ଙ୍କ ଅଭିଯୋଗ ପରେ ସରକାରଙ୍କ ପାଲଟା ଜବାବ

ଜ୍ୟାକ୍‌ ଡୋର୍ସିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଜ୍ୟାକ୍‌ ଡୋର୍ସି ଭାରତ ପ୍ରତି ପକ୍ଷପାତପୂର୍ଣ୍ଣ ଏବଂ ଭେଦଭାବ ବ୍ୟବହାର କରିଛନ୍ତି। ‘’ସେ ଟ୍ବିଟର ଇତିହାସର ସେହି କଳା ସମୟକୁ ସଫା କରିବାକୁ ଚେଷ୍ଟା କରିଛନ୍ତି ଯେତେବେଳେ ଟ୍ବିଟର ଡୋର୍ସିଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ଆଇନକୁ ଉଲ୍ଳଘଂନ କରୁଥିଲା। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଟ୍ବିଟର ଭାରତୀୟ ଆଇନ ଅନୁଯାୟୀ କାମ କରିନଥିଲା। ଡୋର୍ସିଙ୍କ କାର୍ଯ୍ୟକାଳ ସମୟରେ ଟ୍ବିଟରକୁ ଭାରତର ସାର୍ବଭୌମତ୍ବ ଏବଂ ଭାରତୀୟ ଆଇନକୁ ସ୍ବୀକାର କରିବାକୁ ସମସ୍ୟା ହୋଇଥିଲା। ପ୍ରକୃତରେ କାହାକୁ ବି ଜେଲ୍‌ ହୋଇନାହିଁ କମ୍ବା ଟ୍ବିଟର ବନ୍ଦ କରାଯାଇନାହିଁ।’’

ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଏବଂ ଭାରତରେ ସଞ୍ଚାଳିତ ହେଉଥିବା ସବୁ କମ୍ପାନୀ ଆଇନ୍‌ର ପାଳନ କରିବା ଦରକାର। କୃଷକ ଆନ୍ଦୋଳନ ସମୟରେ ଅନେକ ମିଥ୍ୟା ଖବର ପ୍ରଚଳିତ ହେଉଥିଲା। ଯେଉଁଥିରେ ନରସଂହାର କଥା ମଧ୍ୟ କୁହାଯାଇଥିଲା। ଯାହା ସଂପୂର୍ଣ୍ଣ ଭାବରେ ମିଥ୍ୟା। ଭାରତ ସରକାର ଟ୍ବିଟରକୁ ନିଜ ପ୍ଲାଟଫର୍ମରୁ ଏଭଳି ଭ୍ରମାତ୍ମକ ଟ୍ବିଟ୍‌ ହଟାଇବାକୁ କହିଥିଲେ କିନ୍ତୁ ଟ୍ବିଟର ଏଭଳି କରିନଥିଲା। ଯେତେବେଳେକି ଆମେରିକାରେ ଟ୍ବିଟର ନିଜେ ପ୍ଲାଟଫର୍ମରୁ ଏଭଳି ପୋଷ୍ଟ ହଟାଇ ଦେଇଥିଲା।’’ ସୂଚନାଯୋଗ୍ୟ, ଗତବର୍ଷ ଗତ ବର୍ଷ ଟ୍ବିଟରର ବୋର୍ଡରୁ ଇସ୍ତଫା ଦେଇଥିଲେ। ଜବାବ ରଖିଥିଲେ।

ସୂଚନାଯୋଗ୍ୟ, ୨୦୨୦ରେ ଭାରତ ସରକାର ତିନିଟି ଚାଷୀ ଆଇନ ଆଣିଥିଲେ। ତେବେ ଏହି ଆଇନକୁ ବିରୋଧ କରି ୧ ବର୍ଷରୁ ଅଧିକ ସମୟ ଧରି ବିରୋଧ କରିଥିଲେ ହଜାର ହଜାର ଚାଷୀ। ବଡ଼ ଆକାରରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଡେରା ଜମାଇଥିଲେ। ତେବେ ଶେଷରେ ନଭେମ୍ବର ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ବିବାଦୀୟ କୃଷି ଆଇନ୍‌କୁ ରଦ୍ଦ କରିବାକୁ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.