ଜାଡ଼େଜା-ହର୍ଷିତଙ୍କ ଶାଣିତ ବୋଲିଂ, ପ୍ରଥମ ଦିନିକିଆରେ ୨୪୮ ରନରେ ଅଲଆଉଟ୍ ଇଂଲଣ୍ଡ

Published By : Prameya-News7 Bureau | February 06, 2025 IST

Aajtak

ନାଗପୁର: ଏଠାରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଶାଣିତ ବୋଲିଂ କରି ଭ୍ରମଣକାରୀ ଇଂଲଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ  ସମ୍ମୁଖରେ ୨୪୯ ରନର ବିଜୟ ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୨ ରନ ଓ ଜାକବ ବେଥେଲ ୫୧ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଫିଲିପ୍ ସଲ୍ଟ ୪୩ ରନ ଓ ବେନ ଡକେଟ୍ ୩୨ ରନ କରିଛନ୍ତି। ଭାରତ ପକ୍ଷରୁ ବୋଲିଂରେ ରବୀନ୍ଦ୍ର ଜାଡ଼େଜା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ପଦାର୍ପଣ ଦିନିକିଆରେ ହର୍ଷିତ ରାଣା ୩ ଓ୍ଵିକେଟ୍ ନେଇଛନ୍ତି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୭୫ ରନ ଯୋଡ଼ିଥିଲେ।  ଫିଲିପ୍ ସଲ୍ଟ ୨୬ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳି ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏିହି ଯୋଡ଼ିବା  ଭାଙ୍ଗିବା ପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇିଥିଲା। ୨୯ ବଲ୍‌ରୁ ୩୨ ରନ କରିଥିବା ବେନ ଡକେଟ୍‌ଙ୍କୁ ଆଉଟ୍ କରି ହର୍ଷିତ ରାଣା ଦିନିକିଆରେ ପ୍ରଥମ ଓ୍ଵିକେଟ୍ ନେଥିଲେ। ତାରକା ବ୍ୟାଟର ହ୍ୟାରି ବ୍ରୁକ ଖାତା ଖୋଲି ପାରି ନ ଥିଲେ। ନିର୍ଭରଯୋଗ୍ୟ ବ୍ୟାଟର ଜୋ ରୁଟ୍(୧୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। 

ଏହା ପରେ ଅଧିନାୟକ ଜୋସ୍ ବଟଲର ଓ ଜ୍ୟାକବ ବେଥେଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍‌ରେ ୫୯ ରନ ଯୋଡ଼ି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ବଟଲର ୬୭ ବଲରୁ ୪ ଚୌକା ସହ ୫୨ ରନର ଇନିଂସ ଖେଳି ଆଉଟ୍ ହେବା ଇଂଲଣ୍ଡକୁ ବଡ଼ ଝଟକା ଲାଗିଥିଲା। ଲିୟମା ଲିଭିଙ୍ଗଷ୍ଟୋନ ୫ ରନ କରି ବିଦାୟ ନେଇଥିଲେ। ଶେଷ ଆଡ଼କୁ ବେଥେଲ ୫୧ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୪୭.୪ ଓଭରରେ ୨୪୮ ରନ କରି ପାରିଛି। ଜୋଫ୍ରା ଆର୍ଚର ୧୮ ବଲରୁ ୨୧ ରନ କରି ଅପରାଜିତ ଥିଲେ। 

ବୋଲିଂରେ ରବୀନ୍ଦ୍ରା ଜାଡ଼େଜା ୯ ଓଭରରେ ୨୬ ରନ ଦେଇ ୩ଟି ସଫଳତା ପାଇଛନ୍ତି। ପଦାର୍ପଣ କରିଥିବା ହର୍ଷିତ ରାଣା ୭ ଓଭରରେ ୫୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ୩ଟି ଓ୍ଵିକେଟ୍ ନେଇଥିଲେ। ମହମ୍ମଦ ଶାମି, ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କୁ ଗୋଟି ଲେଖାଏଁ ଓ୍ଵିକେଟ୍ ମିଳିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.