ହିଟ୍‌ ଆଣ୍ଡ ରନ ମାମଲା; ଦ୍ରୁତଗତିରେ ଆସି ୯ ଜଣଙ୍କୁ ଧକ୍କା ମାରିଲା କାର; ୨ ମୃତ

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ ୦୮।୦୪; ରାଜସ୍ଥାନର ରାଜଧାନୀ ଜୟପୁରରେ ଅଘଟଣ । ରାସ୍ତାରେ ଯାଉଥିବା ଲୋକଙ୍କୁ ଦଳି ଦେଲା ଏକ ଅନିୟନ୍ତ୍ରିତ କାର। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସମୟରେ କାର ଡ୍ରାଇଭର ମଦ୍ୟପାନ କରିଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତାଙ୍କ ଗାଡ଼ିକୁ ଜବତ କରିଛି।

ପୋଲିସର ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ନାହରଗଡ଼ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପୂର୍ବରୁ କାର ଡ୍ରାଇଭର ଅନେକ ବାଇକକୁ ମଧ୍ୟ ଧକ୍କା ଦେଇଥିଲେ ଏବଂ ଦୁର୍ଘଟଣା ପରେ ସେ କାରରୁ ଓହ୍ଲାଇ ଦୌଡ଼ିବାକୁ ଲାଗିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତ କାର ଡ୍ରାଇଭରକୁ କାବୁ କରିନେଇଥିଲେ। ଦୁର୍ଘଟଣାରେ ଆହତ ସମସ୍ତ ଲୋକଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଚାରି ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରାଯାଇଥିଲା। ସୂଚନା ମିଳିବା ମାତ୍ରେ ପୋଲିସ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। 

ଘଟଣାସ୍ଥଳରେ ପହଞ୍ଚିଥିବା ASI କହିଛନ୍ତି ଯେ ଅଧିକ ଦ୍ରୁତ ଗତି ଏବଂ ମଦ୍ୟପାନ କରି ଗାଡି ଚାଳନା କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ସେ କହିଛନ୍ତି ଯେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅତିରିକ୍ତ ଡିସିପିଙ୍କ ଅନୁଯାୟୀ, ମଦ୍ୟପ ଡ୍ରାଇଭର ସେହି ସମୟରେ ଅନେକ ଗାଡ଼ିକୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟାଇଛନ୍ତି। ଏହି ସମୟରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ହେପାଜତକୁ ନେଇ ତାଙ୍କ କାରକୁ ଜବତ କରିଛି। ଏବେ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.