ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା, ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି

Published By : Prameya-News7 Bureau | April 23, 2025 IST

ମୁମ୍ଵାଇ ୨୩।୦୪; ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ମିଳିବ। ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ।

କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମ ଆତଙ୍କୀ ହମଲାକୁ ଏକ ଘୃଣ୍ୟ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ନିରୀହ ନାଗରିକଙ୍କ ଉପରେ ହୋଇଥିବା ବର୍ବର ଏବଂ ଅର୍ଥହୀନ ଆକ୍ରମଣରେ ମୁଁ ଗଭୀର ଭାବରେ ମର୍ମାହତ।  ନିର୍ଦ୍ଦୋଷ ନାଗରିକଙ୍କ ବିରୁଦ୍ଧରେ ଏହି ବର୍ବର ଏବଂ ଅର୍ଥହୀନ ନିଷ୍ଠୁରତାର ଆମ ସମାଜରେ କୌଣସି ସ୍ଥାନ ନାହିଁ। ଆମେ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛୁ। ଜାମ୍ମୁ-କାଶ୍ମୀର ସରକାର ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସିଏମଓ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପୀଡିତମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆମେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଆମର ସମବେଦନା ପ୍ରକାଶ କରୁଛୁ। ଏହି ଦୁଃଖର ସମୟରେ ଜାମ୍ମୁ- କାଶ୍ମୀର ସରକାର ଆପଣଙ୍କ ସହିତ ଅଛନ୍ତି। ଆତଙ୍କବାଦ କେବେବି ଆମର ସଂକଳ୍ପକୁ ଭାଙ୍ଗିପାରିବ ନାହିଁ। ଏହି ବର୍ବରତା ପଛରେ ଥିବା ଲୋକଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.