ଜମ୍ମୁ-କାଶ୍ମୀରରେ ଭୋଟ୍ ଗଣତି ଜାରି; କଂଗ୍ରେସ-ଏନସିର ଜଲଓ୍ବା, ଆଗରେ ଚାଲୁଛି ମେଣ୍ଟ

Published By : Prameya-News7 Bureau | October 08, 2024 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ କିଏ ଗଢ଼ିବ ସରକାର ? ଘାଟି ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ର ଶାସିତ ପ୍ରଦେଶରେ ଆଗରେ ରହିଛି ଏନସି ମେଣ୍ଟ । କଂଗ୍ରେସ-ନ୍ୟାସନାଲ ମେଣ୍ଟ ୪୮ ବିଧାନସଭା ଆସନରେ ଆଗରେ ଚାଲୁଛି । ଭାରତୀୟ ଜନତା ପାର୍ଟି ୨୮ଟି ସିଟରେ ଆଗରେ ରହିଥିବା ବେଳେ ପିଡିପି ୪ ଆସନ ଏବଂ ଅନ୍ୟାନ୍ୟ ୯ଟି ସିଟରେ ଆଗରେ ଚାଲୁଛନ୍ତି । ଅପରାହ୍ଣ ସୁଦ୍ଧା କିଏ ଗଢ଼ିବ ସରକାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ବୁଥ ବାହୁଡ଼ା ରିପୋର୍ଟରେ ଜମ୍ମୁ-କାଶ୍ମୀରରେ ଏନସି ମେଣ୍ଟ ସରକାର ଗଠନ କରିବା ବୋଲି ଆକଳନ କରାଯାଉଛି । 

ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୧୦୧  ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧  ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ  ପରୀକ୍ଷା କରିଛନ୍ତି । 

ଜମ୍ମୁ-କାଶ୍ମୀରରୁ ୨୦୧୯ରେ  ଧାରା ୩୭୦ ଉଚ୍ଛେଦ ପରେ ଏହା  ପ୍ରଥମ ନିର୍ବାଚନ । ଯଦିଓ ଏହା କେନ୍ଦ୍ର  ଶାସିତ ଅଞ୍ଚଳ ହୋଇରହିଛି ତଥାପି ବିଧାନସଭା ନିର୍ବାଚନରେ ବିଜୟୀ  ହୋଇ ‘ନୂଆ କାଶ୍ମୀର’ରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ପ୍ରମୁଖ ଦଳମାନେ ଆଶାବାଦୀ ଅଛନ୍ତି । ବିକାଶ  ଓ ଆତଙ୍କବାଦ ଦମନକୁ ମୁଖ୍ୟ ପ୍ରସଙ୍ଗ  କରି ବିଜେପି ଜନମତ ପାଇବାକୁ ଆଶା ରଖିଛି । ଅନ୍ୟପକ୍ଷରେ ଧାରା  ୩୭୦ ଉଚ୍ଛେଦ ହିଁ କଂଗ୍ରେସ-ଏନ୍‌ସି ମଧ୍ୟରେ ମେଣ୍ଟ ଗଠନକୁ ସୁଦୃଢ଼ କରିଛି । ଇଣ୍ଡିଆ ମେଣ୍ଟର ଅଂଶୀଦାର ଥିବା  ଏହି ଦୁଇଦଳ କ୍ଷମତା ଦଖଲ କରିବେ ବୋଲି  ଆଶାବାଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.