ଝାରସୁଗୁଡ଼ା ୧୦।୦୧ : ଝାରସୁଗୁଡ଼ା କିରିମିରା ଅନାସ୍ଥା ଭୋଟିଂ ବାତିଲ । କେହି ନଆସିବାରୁ ଅନାସ୍ଥା ଭୋଟିଂ ବାତିଲ ହୋଇଛି । ୧୦ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥାନ୍ତା । ହେଲେ ଭୋଟିଂ ଦେବାକୁ ଆସିଲେନି ସରପଞ୍ଚ ଓ ସମିତି ସଭ୍ୟ । ଯାହାପରେ ଅନାସ୍ଥା ଭୋଟିଂକୁ ବାତିଲ କରାଯାଇଛି ।
କିରିମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଏହି ଅନାସ୍ଥା ଉପରେ ଉପରେ ଆଲୋଚନା ସହ ମତଦାନ କରାଯିବାକୁ ଶୁକ୍ରବାର ଦିନ ପଞ୍ଚାୟତ ସମିତି ସଭାକକ୍ଷରେ ଭୋଟିଂ ପାଇଁ ଧାର୍ଯ୍ୟ ହୋଇଥିଲା । ଏହି ବୈଠକର ନିଷ୍ପତ୍ତି ଉପରେ ଅଧ୍ୟକ୍ଷାଙ୍କ ଭାଗ୍ୟ ନିର୍ଭର କରୁଥିଲା। ତେବେ ଅନାସ୍ଥା ପୂର୍ବରୁ ବିଶାଲ ଦାସଙ୍କ ସହ ସରପଞ୍ଚ ଏବଂ କିଛି ସମିତି ସଭ୍ୟଙ୍କୁ ଛତିଶଗଡ଼ ମହାସମୁଦ୍ ଜିଲ୍ଲା ସରେଇପାଲି ଥାନାରେ ଅଟକ ରଖାଯାଇଛି । ଯାହାଫଳରେ ଭୋଟିଂ ଦେବାକୁ କେହି ବି ଆସିପାରିନଥିଲେ। ତେଣୁ ଅନାସ୍ଥା ଭୋଟିଂକୁ ବାତିଲ କରାଯାଇଛି ।
ଗତ ସେପ୍ଟେମ୍ବର ୧୩ ତାରିଖ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ଦିନ ଠାରୁ ହିଁ ଛକାପଞ୍ଝା ଲାଗି ରହିଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ପହଞ୍ଚିଥିଲା। ଶେଷରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ୧୦ ଜାନୁଆରୀରେ ସ୍ୱତନ୍ତ୍ର ବୈଠକ ଆୟୋଜନ ପାଇଁ ଉପଜିଲ୍ଲାପାଳ ଦିନ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ । ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି । ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିଲେ।