ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଭାରତୀୟଙ୍କୁ ଜାମିନ ମିଳିବା ଖବରକୁ ଖାରଜ କଲା କାନାଡ଼ା। କାହାକୁ ଜାମିନ ପ୍ରଦାନ କରାଯାଇ ନାହିଁ। ବାଧ୍ୟତାମୂଳକ ଅଟକ ନିର୍ଦ୍ଦେଶ ପରେ ସେମାନଙ୍କୁ କଷ୍ଟୁଡିରେ ରଖାଯାଇଛି ବୋଲି କାନାଡିୟ ଅଧିକାରୀମାନେ କହିଛନ୍ତି। କାନାଡ଼ା ଆଟର୍ଣ୍ଣି ଜେନେରାଲ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଆନ୍ ସେମୋର କହିଛନ୍ତି ଯେ ୪ ଅଭିଯୁକ୍ତଙ୍କୁ ବ୍ରିଟିଶ କଲମ୍ବିଆ କୋର୍ଟ ବାଧ୍ୟତାମୂଳକ ଅଟକ ନିର୍ଦ୍ଦେଶ ଦେଇଛନ୍ତି। ଏହା ବାଦ୍ ଫେବୃଆରୀରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ତାରିଖ କହିଛନ୍ତି।
ଅଭିଯୁକ୍ତମାନେ ଫେବୃଆରୀ ୧୧ ତାରିଖରେ କୋର୍ଟରେ ଉପସ୍ଥିତ ହେବେ। ସେଠାରେ ତାଙ୍କର ବିଚାର ତାରିଖ ଧାର୍ଯ୍ୟ କରାଯିବ। ଶୁଣାଣି ଆରମ୍ଭ ହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ କଷ୍ଟୁଡିରେ ରଖିବାକ କୋର୍ଟ ଅଟକ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଚାରପତି ପରେ ଜାମିନ ଆବେଦନ ଉପରେ ବିଚାର କରିପାରନ୍ତି। ଫାଷ୍ଟ ଡିଗ୍ରୀ ହତ୍ୟା ଏବଂ ହତ୍ୟା ପାଇଁ ଷଡ଼ଯନ୍ତ୍ର ଅଭିଯୋଗ ଯୋଗୁ ଜାମିନ ପାଇବା ଅସମ୍ଭବ ହୋଇପାରେ ବୋଲି କାନାଡ଼ା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତର ଜାମିନ ଆବେଦନ ପାଇଁ କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହି ବୋଲି ସେମୋର କହିଛନ୍ତି।
ଯଦିଓ କୋର୍ଟ ରେକର୍ଡରେ ଅଭିଯୁକ୍ତଙ୍କ ହେପାଜତ ସ୍ଥିତି 'ଏନ' ଭାବରେ ଚିହ୍ନିତ କରାଯାଇଥିଲା। ଏଥିରେ ସେ ଅଟକ ନଥିଲେ ବୋଲି ଜଣାପଡ଼ୁଥିଲା। ଯାହାକୁ ନେଇ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଖବର ପ୍ରକାଶ ପାଇଥିଲା। ତେବେ ଅଟକ ନିର୍ଦ୍ଦେଶ ପରେ ସେମାନଙ୍କୁ କଷ୍ଟୁଡିରେ ରଖାଯାଇଛି ବୋଲି ସିମୋର କହିଛନ୍ତି।