ନୂଆଦିଲ୍ଲୀ ୧୦।୦୧: ଖୁବ୍ ଚର୍ଚ୍ଚାରେ ଇସ୍ରୋ ମୁଖ୍ୟ । ବର୍ତ୍ତମାନର ଇସ୍ରୋ ମୁଖ୍ୟଙ୍କ ସରିବ କାର୍ଯ୍ୟକାଳ । ବିଦାୟ ନେବେ ଏସ୍ ସୋମନାଥ। ଜାନୁଆରୀ ୧୪ରେ ସରୁଛି ସୋମନାଥଙ୍କ କାର୍ଯ୍ୟକାଳ । ଆଗାମୀ ମୁଖ୍ୟଙ୍କ ଘୋଷଣା ହୋଇଛି ନାଁ । ନୂଆ ମୁଖ୍ୟ ହେବେ ଡକ୍ଟର ଭି ନାରାୟଣନ୍ । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ସରକାର । କିନ୍ତୁ ଏହାରି ମଧ୍ୟରେ ପ୍ରଶ୍ନ ଆସୁଛି କି କେତେ ହୋଇଥାଏ ଇସ୍ରୋ ମୁଖ୍ୟଙ୍କ ଦରମା ? ଦରମା ବ୍ୟତୀତ ଅନ୍ୟ କେଉଁ କେଉଁ ସୁବିଧା ମିଳିଥାଏ ?
୭ମ ବେତନ ଆୟୋଗ ଅନୁଯାୟୀ, ବର୍ତ୍ତମାନର ଇସ୍ରୋ ମୁଖ୍ୟଙ୍କ ମାସିକ ଦରମା ହେଉଛି ୨ ଲକ୍ଷ ୫୦ ହଜାର ଟଙ୍କା । ଇସ୍ରୋ ମୁଖ୍ୟଙ୍କୁ ମାସିକ ଦରମା ବ୍ୟତୀତ ଅନ୍ୟ ସୁବିଧା ଯୋଗାଇ ଦେଇଥାନ୍ତି କେନ୍ଦ୍ର ସରକାର । ଯେପରିକି ଇସ୍ରୋ ମୁଖ୍ୟଙ୍କୁ ରହିବା ପାଇଁ ଘର, ଯାତାୟାତ ପାଇଁ ଗାଡି ଏବଂ ଖର୍ଚ୍ଚ ପାଇଁ ଟଙ୍କା ମିଳିଥାଏ । ଏହାବ୍ୟତୀତ ଇସ୍ରୋ ମୁଖ୍ୟଙ୍କୁ yପ୍ଲସ୍ ସୁରକ୍ଷା ବ୍ୟବସ୍ଥା ମିଳିଥାଏ । ଇସ୍ରୋ ମୁଖ୍ୟ ଯେଉଁଠି ବି ରୁହନ୍ତୁ ନା କାହିଁକି ତାଙ୍କ ସହ ୨୪ଘଣ୍ଟା ରହିଥାନ୍ତି ୪-୬ ସଶସ୍ତ୍ର କମାଣ୍ଡୋ । ତେବେ ବର୍ତ୍ତମାନ ସୋମନାଥଙ୍କୁ ମିଳୁଥିବା ଦରମା ଆଗକୁ ହେବାକୁ ଥିବା ଡକ୍ଟର ଭି ନାରାୟଣନଙ୍କୁ ମଧ୍ୟ ମିଳିବ ।
ଭାରତୀୟ ମହାକାଶ ଗବେଷଣା ସଂଗଠନରେ ଦରମା ଭିନ୍ନ-ଭିନ୍ନ ରାଙ୍କରେ ମିଳିଥାଏ । ଏଠାରେ ଚପରାସୀଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ଯାଏଁ ଇସ୍ରୋରେ ଭର୍ତ୍ତି ପାଇଁ ବିଭିନ୍ନ ସ୍ତରର ପରୀକ୍ଷା ହୋଇଥାଏ । ଉଦାହରଣ ସ୍ବରୁପ ଇସ୍ରୋରେ ଯଦି କୌଣସି ବ୍ୟକ୍ତି ଇଞ୍ଜିନିୟର ଭାବେ ଜଏନ୍ କରନ୍ତି ତେବେ ତାଙ୍କର ପ୍ରାରମ୍ଭିକ ଦରମା ୩୭ ହଜାର ୪୦୦ଟଙ୍କାରୁ ଆରମ୍ଭ ହୋଇ ୬୭ ହଜାର ଯାଏଁ ଯାଇଥାଏ ।
ଏହାବ୍ୟତୀତ ସିନିୟର୍ ସାଇଣ୍ଟିଷ୍ଟ ପଦରେ ଯଦି କେହି ଜଏନ୍ କରନ୍ତି ତେବେ ତାଙ୍କର ପ୍ରାରମ୍ଭିକ ଦରମା ୭୫ ହଜାରରୁ ୮୦ ହଜାର ମଧ୍ୟରେ ହୋଇଥାଏ । ତେବେ ଏସବୁ ବ୍ୟତୀତ ଏମାନଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ । ଯାହାକୁ ମିଶାଇବା ପରେ ଏମାନଙ୍କର ଦରମା ପାଖାପାଖି ୧ ଲକ୍ଷ ପାଖାପାଖି ପହଞ୍ଚିଯାଏ ।
ଯଦି ଆମେ ଆମେରିକୀୟ ମହାକାଶ କେନ୍ଦ୍ର ନାସା ବିଷୟରେ କହିବା ତେବେ ଏଠାରେ ବୈଜ୍ଞାନିକଙ୍କ ଦରମା ବହୁତ ଅଧିକ । ଇସ୍ରୋ ତୁଳନାରେ ନାସା ବୈଜ୍ଞାନିକଙ୍କୁ ୫ଗୁଣା ଅଧିକ ଦରମା ମିଳିଥାଏ । ଏମାନଙ୍କର ବାର୍ଷିକ ଦରମା ୭୨ ହଜାର ୪୧୬ ଡଲାର ହୋଇଥାଏ । ଅର୍ଥାତ୍ ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପ୍ରାୟ ୫୭ ଲକ୍ଷ ଟଙ୍କା ।