ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ୧୭୦ ମିଲିୟନ ଡଲାର ଚାନ୍ଦା

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଜାନୁଆରୀ ୨୦ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ବଡ଼ ବଡ଼ କୋଟିପତି, ବ୍ୟବସାୟୀ ନିଜ ଯୋଗଦାନ ସହ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି । ସମାରୋହ ଲାଗି ଚାନ୍ଦା ଦେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଲାଗିଛି । ଏକ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଆୟୋଜନ କମିଟିକୁ ବର୍ତ୍ତମାନ ସୁଦ୍ଧା ୧୭୦ ମିଲିୟନ ଡଲାର ଚାନ୍ଦା ମିଳିଛି । ଯାହା ଏକ ରେକର୍ଡ ଅଟେ । 

ବ୍ୟକ୍ତିଗତ ଭାବେ ଏହି କାର୍ଯ୍ୟକ୍ରମ ପାଇଁ ଚାନ୍ଦା ରଖୁଥିବା ଜଣେ ବ୍ୟକ୍ତି ଏହି ଖୁଲାସା କରିଛନ୍ତି । ସମାରୋହ ଆୟୋଜନ ସୁଦ୍ଧା ୨୦୦ ମିଲିୟନ ଡଲାର ଚାନ୍ଦା ଏକାଠି ହେବ ବୋଲି ଆୟୋଜନ କମିଟି କହିଛି । ତେବେ ଆୟୋଜନ କମିଟି ଏହି ବାଦି ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏହାସହ ଚାନ୍ଦା ଟଙ୍କାକୁ କେଉଁ ମାର୍ଗରେ ଖର୍ଚ୍ଚ କରାଯିବ ତାହା ମଧ୍ୟ ସ୍ପଷ୍ଟ କରି ନାହିଁ ।

ଆମେରିକାର ନିୟମ ଅନୁସାରେ ବ୍ୟକ୍ତିଗତ ଚାନ୍ଦାରୁ ମିଳିଥିବା ଅର୍ଥ ରାଶିକୁ ସାଧାରଣତଃ ଶପଥ ଗ୍ରହଣ ସମାରୋହ ଉପରେ ଖର୍ଚ୍ଚ କରାଯାଇଥାଏ । ଏଥରେ ଶପଥ ଗ୍ରହଣ ସମାରୋହ ସହ ଜଡିତ ଖର୍ଚ୍ଚ, ପରେଡ ଏବଂ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଆୟୋଜନ ପରେ ବଳକା ଅର୍ଥରାଶିକୁ ରାଷ୍ଟ୍ରପତି ପୁସ୍ତକାଳୟ ପାଇଁ ଖର୍ଚ୍ଚ କରାଯାଏ ।

ଆମେରିକୀୟ ନିର୍ବାଚନ ଆୟୋଗର ଡାଟା ଅନୁସାରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜନ କମିଟି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଚାନ୍ଦା ଏକାଠି କରିଛି । ଏହି ସଂଖ୍ୟା ଚାରି ବର୍ଷ ପୂର୍ବେ ରାଷ୍ଟ୍ରପତି ବାଇଡେନଙ୍କୁ ମିଳିଥିବା ଚାନ୍ଦାଠାରୁ ଦ୍ୱିଗୁଣା ଅଧିକ । ବାଇଡେନଙ୍କୁ ପ୍ରାୟ ୬୨ ମିଲିୟନ ଡଲାର ଚାନ୍ଦା ମିଳିଥିଲା । ସେହିପରି ୨୦୧୬ରେ ଟ୍ରମ୍ପଙ୍କ ପ୍ରଥମ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରାୟ ୧୦୭ ମିଲିୟନ ଡଲାର ଚାନ୍ଦା ମିଳିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.