ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଅଭିଯୁକ୍ତ କରାଯାଇଥିବା ୪ ଭାରତୀୟଙ୍କୁ କାନାଡ଼ା କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ୪ ଅଭିଯୁକ୍ତ ଭାରତୀୟ ନାଗରିକ ହେଲେ, କରଣ ବ୍ରାର, ଅମନଦୀପ ସିଂହ, କମଲପ୍ରୀତ ସିଂହ ଏବଂ କରଣପ୍ରୀତ ସିଂହ। ଏମାନଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀ ମର୍ଡର ଓ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଲଗାଇଛନ୍ତି କାନାଡ଼ା ସରକାର। ତେବେ ଏହି ମାମଲାକୁ ଶୁଣାଣି ପାଇଁ ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି, ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ ତାରିଖରେ ହେବ।
ଖଲିସ୍ତାନ ସମର୍ଥକ ନେତା ହରଦୀପ ନିଜ୍ଜରଙ୍କୁ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେ ଠାରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ କାନାଡା ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ସରକାରଙ୍କୁ ଦାୟୀ କରିଥିଲେ। ଟ୍ରୁଡୋଙ୍କ ଏଭଳି ଖୋଲାଖୋଳି ମନ୍ତବ୍ୟ ପରେ ମାମଲା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଭାରତ ସରକାର କିନ୍ତୁ ଟ୍ରୁଡୋଙ୍କ ଅଭିଯୋଗକୁ ଅସ୍ୱୀକାର କରିବା ସହି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଥିଲେ।
ତେବେ ଏହି ହତ୍ୟାକାଣ୍ଡରେ ଚାରି ଭାରତୀୟ ନାଗରିକଙ୍କୁ ଅଭିଯୁକ୍ତ ବନାଇ ମେ ୨୦୨୪ ଏମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା ରୟାଲ କାନାଡିଆନ ମାଉଣ୍ଟେଡ୍ ପୋଲିସ (RCMP)। ହେଲେ ପ୍ରଥମ ପର୍ଯ୍ୟାୟ ଶୁଣାଣି ବେଳେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଦେବାର ବିଫଳ ହେବାରୁ ସମାଲୋଚନାର ଶିକାର ହୋଇଥିଲେ କାନାଡ଼ା ସରକାର। ଆଉ ଏବେ କୋର୍ଟ ୪ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
କୋର୍ଟ ଦେଇଥିବା ଜାମିନ ସର୍ତ୍ତ ଅନୁସାରେ,ମାମଲାରେ ଶୁଣାଣି ଚାଲିଥିବାରୁ ସେମାନଙ୍କୁ ‘ଷ୍ଟେ ଅଫ୍ ପ୍ରୋସିଡିଂ’ ଅଧୀନରେ ଜାମିନ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ଏହି ମାମଲମାରେ ଗତବର୍ଷ ନଭେମ୍ବର ୧୮ ତାରିଖରେ କୋର୍ଟରେ ହାଜର ହୋଇଥିଲେ।
କୋର୍ଟ ରେକର୍ଡ ଅନୁଯାୟୀ, ଚାରିଜଣ ଅଭିଯୁକ୍ତଙ୍କ 'ଏନ୍' ଭାବରେ ଚିହ୍ନିତ କରାଯାଇଛି, ଏହାର ଅର୍ଥ ଏମାନେ କଷ୍ଟୁଡିରେ ନାହାନ୍ତି। ଏମାନଙ୍କୁ କେବଳ ଅଟକ ରଖାଯାଇଛି। ପରବର୍ତ୍ତୀ କୋର୍ଟ ପ୍ରକ୍ରିୟା ହେବା ପର୍ଯ୍ୟନ୍ତ ଏମାନେ ଡାମିନ୍ରେ ମୁକୁଳି ପାରିବେ କିମ୍ବା ସର୍ତ୍ତମୂଳକ ମୁକ୍ତ କରାଯାଇପାରେ।
ମାମଲାରେ କାନାଡ଼ୀୟ ସରକାର "ଡାଇରେକ୍ଟ ଇଣ୍ଡିକ୍ଟମେଣ୍ଟ’(ଗମ୍ଭୀର ଅଭିଯୋଗ ଭଳି। ଏହାର ପ୍ରଥାମିକ ଶୁଣାଣି ବିକଳ୍ପ ବନ୍ଦ କରି ସିଧା ସୁପ୍ରିମକୋର୍ଟରେ ଶୁଣାଣି ହେବା)" ମାନେ ସିଧା ଅଭିଯୋଗ ଆଣିଛନ୍ତି। ଫଳରେ ମାମଲାଟିକୁ ସୁରେ ପ୍ରାଦେଶିକ କୋର୍ଟରୁ ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇଛି। କାନାଡ଼ା ସରକାର ଏହି ଆଇନଗତ ଚାଲ ଦ୍ୱାରା ପ୍ରାଥମିକ ତଦନ୍ତକୁ ଏଡ଼ାଇ ଦେଇ ମାମଲାକୁ ଶୀଘ୍ର ବିଚାରକୁ ନେବାକୁ ଯୋଜନା କରୁଛନ୍ତି।
ଏଥିରେ ଅଭିଯୁକ୍ତଙ୍କ ଓକିଲ ଓ ରାଜ୍ୟ ସରକାରଙ୍କ ସହମତି କ୍ରମେ ମାମଲା ସମ୍ପର୍କରେ ଖବର ପ୍ରକାଶ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ମାମଲାର ଶୁଣାଣି ସମ୍ପର୍କରେ କୌଣସି ଖବର ପ୍ରକାଶ କରାଯିବ ନାହିଁ। ତେବେ ସେ ଯାହା ହେଉ ଅଭିଯୁକ୍ତମାନଙ୍କ ମୁକୁଳିବା କାନାଡ଼ା ସରକାରଙ୍କୁ ଏକ ଶକ୍ତ ଝଟ୍କା ବୋଲି ବିଚାର କରାଯାଉଥିବା ବେଳେ ଭାରତର ପକ୍ଷ ମଜଭୁତ ରହୁଛି।