ନୂଆଦିଲ୍ଲୀ: ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଅଭାବନୀୟ ଘଟଣା । ୟୁରାନିୟମ ଏବଂ ପ୍ଲୁଟୋନିୟମ ଖଣିରୁ ୧୭ଜଣ ଶ୍ରମକ ଅପହରଣ । କିଛି ସଶସ୍ତ୍ର ଆତଙ୍କବାଦୀ ତାଙ୍କୁ କୀଡନାପ୍ କରି ନେଇଛନ୍ତି । ଏନେଇ ଖବର ସାମ୍ନାକୁ ଆସିବା ପରେ ପୋଲିସ ଏବଂ ପ୍ରଶାସନରେ ଚାଞ୍ଚଲ୍ୟ ଖେଳିଯାଇଛି । କୌଣସି ପ୍ରକାରେ ୮ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଶ୍ରମିକ ଏବେବି ଆତଙ୍କୀଙ୍କ କବଜାରେ ରହିଛନ୍ତି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ପାକିସ୍ତାନର ମାରଓ୍ବାଟ ଜିଲ୍ଲାର ଆଣବିକ ଖଣି ପ୍ରକଳ୍ପ ସ୍ଥଳରେ ପହଞ୍ଚିବା ମାତ୍ରେ ବନ୍ଧୁକଧାରୀମାନେ ସେମାନଙ୍କୁ ଘେରିଯାଇଥିଲେ । ପରେ ଏକ ଟ୍ରକ୍ ଯୋଗେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିବା ସୂଚନା ରହିଛି । ଅପହରଣ ପାଇଁ କୌଣସି ଆତଙ୍କୀ ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ନିଷିଦ୍ଧ ତେହରିକ-ଏ-ତାଲିବାନ ପାକିସ୍ତାନ ଶ୍ରମିକଙ୍କୁ ଅପହରଣ କରିଥିବା ନେଇ ପାକିସ୍ତାନ ମିଡିଆ ଦାବି କରିଛି । ସେପଟେ ଶ୍ରମିକଙ୍କୁ ଅପହରଣ ପରେ ପାକିସ୍ତାନ ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ କରିଥିଲା । ୧୭ଜଣଙ୍କ ମଧ୍ୟରୁ ୮ଜଣ ଶ୍ରମିକଙ୍କୁ ଉଦ୍ଧାର ହୋଇଥିବା ବେଳେ ଏବେବି ୯ଜଣ ଆତଙ୍କବାଦୀଙ୍କ କବଜାରେ ରହିଛନ୍ତି । ସେମାନଙ୍କୁ ରେସକ୍ୟୁ କରିବାକୁ ପୋଲିସ ଛାନଭିନ୍ ଅଭିଯାନ ଜାରି ରଖିଛି । ପୂର୍ବରୁ ଏଭଳି ଅପହରଣ ଘଟଣାରେ ନିଜକୁ ଦାୟୀ କରିଥିଲା ଟିଟିପି ସଂଗଠନ ।