ଭଦ୍ରକ ୧୪।୦୨ : ପ୍ରେମ କରି ବିବାହ କରିଲେ... ବେପାର କରିବା ନାଁରେ ଘର ବନ୍ଧା ପକାଇ ସ୍ତ୍ରୀ ପିଲାଙ୍କୁ ଛାଡ଼ି ଚାଲିଗଲେ। ପ୍ରତାରକ ସ୍ଵାମୀଙ୍କୁ ଖୋଜିଖୋଜି ହାଇଦ୍ରାବାଦରୁ ଆସି ଭଦ୍ରକରେ ପହଞ୍ଚିଲେ ସ୍ତ୍ରୀ। ଶ୍ଵଶୁର ଘରକୁ ବି ଗଲେ। ହେଲେ ସ୍ଵାମୀଙ୍କ ଖୋଜ ଖବର ପାଇଲେନି। ବନ୍ତ ଥାନାରେ ଏତଲା ବି ଦେଲେ, ହେଲେ ପୋଲିସ ପ୍ରତାରକ ସ୍ଵାମୀଙ୍କୁ ଖୋଜିଲା ନାହିଁ । ଦିନ ପରେ ଦିନ ଗଡି ଚାଲିଲା। ଏପଟେ ଛୋଟ ଛୁଆକୁ ଧରି ମହିଳା ଜଣଙ୍କ ବାର ଦୁଆର ସୁଣ୍ଡି ପିଣ୍ଡା ହେଲେ। ବନ୍ତ ଥାନାରୁ ଭଦ୍ରକ ଏସପି, ପରେ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଭେଟି ଗୁହାରି କଲେ। ୬ ମାସ ଦୌଡ଼ି ଦୌଡ଼ି ନ୍ୟାୟ ନମିଳିବାରୁ ଥାନାରେ ଆତ୍ମହତ୍ୟା ଉଦ୍ୟମ ପରେ ବି କେହି ଶୁଣିଲେନି। ଶେଷରେ ଝାରସୁଗୁଡ଼ା ଏସପିଙ୍କ ନିକଟରେ ଗୁହାରି କଲେ। ଆଉ ଝାରସୁଗୁଡ଼ା ପୋଲିସ ଯେମିତି ଅଭିଯୁକ୍ତଙ୍କୁ ଧରି ଆଣିଲା, ଭଦ୍ରକ ପୋଲିସ ବାହା ବାହା ନେବାକୁ ଚେଷ୍ଟା କରୁଛି। ଏଭଳି ଏକ ଘଟଣା ଏବେ ଭଦ୍ରକ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭଦ୍ରକ ଜିଲ୍ଲା ବନ୍ତ ଥାନା ନରସିଂହପୁର ଅଞ୍ଚଳର ମନୋଜ ନାୟକ। ଗୁଜୁରାଟ ଅହମ୍ମଦାବାଦ ରିମିପୁର ଅଞ୍ଚଳର ହିରଲ ମୋଦୀଙ୍କୁ କରିଥିଲେ ପ୍ରେମ ବିବାହ। ଏକ ଆଇଟି କମ୍ପାନୀରେ ଦୁହେଁ କାମ କରୁଥିଲେ। ସେମାନଙ୍କର ଗୋଟେ ଦୁଇ ବର୍ଷର ପୁଅ ମଧ୍ୟ ଅଛି। ମନୋଜ ନିଜେ ସ୍ଵାବଲମ୍ବୀ ହେବା ପାଇଁ ହିରଲଙ୍କ ଘରକୁ ବ୍ୟାଙ୍କରେ ବନ୍ଧା ରଖି ପର୍ଯ୍ୟାୟ କ୍ରମେ ୫ କୋଟି ଟଙ୍କା ଆଣିଥିଲେ। ହେଲେ ଟଙ୍କା ନସୁଝି ସ୍ତ୍ରୀ ପୁଅକୁ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଗଲେ। ସେପଟେ କମ୍ପାନୀ ବନ୍ଦ ହୋଇଗଲା। ହିରଲଙ୍କ ଗୁଜୁରାଟ ସ୍ଥିତ ଘର ନିଲାମ ପାଇଁ ବ୍ୟାଙ୍କ୍ ନୋଟିସ ଲଗାଇଲା। ସ୍ଵାମୀଙ୍କ କୌଣସି ଖୋଜ ଖବର ନପାଇବାରୁ ହିରଲ ଖୋଜି ଖୋଜି ଭଦ୍ରକ ଜିଲ୍ଲା ବନ୍ତରେ ଥିବା ଶ୍ଵଶୁର ଘରେ ପହଞ୍ଚିଲେ। ହେଲେ ସେଠାରେ ବି ସ୍ଵାମୀଙ୍କ ପତ୍ତା ମିଳିଲାନି।
ଏହାପରେ ହିରଲ ଯାଇ ବନ୍ତ ଥାନାରେ ଏତଲା ଦେଲେ। ହେଲେ ପୋଲିସ ପ୍ରତାରକ ସ୍ଵାମୀଙ୍କୁ ଖୋଜିଲା ନାହିଁ, ଦିନ ପରେ ଦିନ ଗଡ଼ାଇ ଚାଲିଲା। ଏପଟେ ଛୋଟ ଛୁଆକୁ ଧରି ମହିଳା ଜଣଙ୍କ ବାର ଦୁଆର ସୁଣ୍ଡି ପିଣ୍ଡା ହେଲେ। ବନ୍ତ ଥାନାରୁ ଭଦ୍ରକ ଏସପି, ପରେ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଭେଟି ଗୁହାରି କଲେ। ୬ ମାସ ଦୌଡ଼ି ଦୌଡ଼ି ନ୍ୟାୟ ନମିଳିବାରୁ ଥାନାରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କଲେ। ହେଲେ କେହି ଶୁଣିଲେନି। ଶେଷରେ ଝାରସୁଗୁଡ଼ା ଏସପିଙ୍କ ନିକଟରେ ଗୁହାରି କଲେ। ଝାରସୁଗୁଡ଼ା ଏସପିଙ୍କ ନିର୍ଦ୍ଦେଶରେ ଜିରୋ ଏଫଆଇଆର ବଳରେ ସ୍ୱତନ୍ତ୍ର ଟିମ୍ ମୋବାଇଲ୍ ଟ୍ରାକ୍ କରି ମନୋଜଙ୍କୁ ଓ ତାର ଭାଇକୁ ବାଙ୍ଗାଲୋରରୁ ଗିରଫ କରିଛି। ହେଲେ ଏବେ ବନ୍ତ ପୋଲିସ ଝାରସୁଗୁଡ଼ା ପୋଲିସ ଠାରୁ ଅଭିଯୁକ୍ତକୁ ଆଣି ବାହାବାହା ନେବାକୁ ଚେଷ୍ଟା କରୁଛି।
ଏଠି ପ୍ରଶ୍ନ ଉଠୁଛି, ଝାରସୁଗୁଡ଼ା ପୋଲିସ ଯେମିତି ମୋବାଇଲ୍ ଟ୍ରାକ୍ କରି ଅଭିଯୁକ୍ତକୁ ଧରିଲା, ସେମିତି ଭଦ୍ରକ ପୋଲିସ୍ କାହିଁକି କଲା ନାହିଁ ? ପ୍ରାୟ ୬ ମାସ ଧରି ମହିଳାଙ୍କୁ କଣ ପାଇଁ ମାନସିକ ନିର୍ଯାତନା ଦେଲା? ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ପୋଲିସ ଅଧିକାରୀ କେହି ଚେଷ୍ଟା କରିଥିଲେ କି ? ମହିଳାଙ୍କୁ ନ୍ୟାୟ ତ ପରର କଥା, ଡିଜି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କଲା ପୋଲିସ। ଏବେ ଭଦ୍ରକ ଏସପି ଘଟଣାକୁ ଗୁରୁତର ସହ ନେବେ କି ? ଭଦ୍ରକ ପୋଲିସର ଏହି କାର୍ଯ୍ୟ ରାଜ୍ୟ ବାହାରେ ଜିଲ୍ଲା ଓ ଓଡ଼ିଶା ପୋଲିସକୁ ନିନ୍ଦିତ କରିବ ନାହିଁ କି ?