‘ଅନଲାଇନ୍ ସପିଂକୁ ଭଲ ପାଉଥିଲା’, ପ୍ରତିଶୋଧ ନେବା ପାଇଁ ପ୍ରେମିକାକୁ CODରେ ୩୦୦ ପାର୍ସଲ ପଠାଇଲା ପୂର୍ବତନ ପ୍ରେମିକ

Published By : Prameya-News7 Bureau | April 10, 2025 IST

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ୪ ମାସ ଭିତରେ ୩୦୦ କ୍ୟାସ୍ ଅନ୍ ଡେଲିଭରି ଅର୍ଡର କରି ପୂର୍ବତନ ପ୍ରେମିକାକୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ୨୪ ବର୍ଷୀୟ ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ କେହି ଜଣେ ତାଙ୍କ ଠିକଣା ଓ ନାଁରେ କ୍ୟାସ୍ ଅନ୍ ଡେଲିଭରିରେ ଅର୍ଡର କରୁଛି ।

ପୋଲିସ ତଦନ୍ତ ଆରମ୍ଭରେ ଯୁବତୀଙ୍କ ସହକର୍ମୀ ଏପରି କରୁଥିବା ସନ୍ଦେହ କରିଥିଲା । କିନ୍ତୁ ଯୁବତୀଙ୍କ ପୂର୍ବତନ ପ୍ରେମିକ ସୁମନ ସିକଦର (୨୫) ଏହା ପଛରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ସକିଦର ଅନେକ ବର୍ଷରୁ ଯୁବତୀଙ୍କୁ ଜାଣିଥିବା ପୋଲିସ କହିଛି । 

ନିକଟରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା । ଯାହାପରେ ପ୍ରତିଶୋଧ ନେବାକୁ ଯାଇ ଯୁବକ ଜଣକ ବହୁ ମାତ୍ରାରେ ସାମଗ୍ରୀ କ୍ୟାସ୍ ଅନ୍ ଡିଲିଭରି ଅର୍ଡର କରି ଯୁବତୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା । ପୋଲିସ ହାତରେ ଧରା ପଡ଼ିବା ପରେ ଯୁବକ ଜଣ ସବୁ କଥା ସ୍ୱୀକାର କରିଛି । ସେ କହିଛି ଯେ ଯୁବତୀଙ୍କୁ ଅନଲାଇନ୍ ସପିଂ କରିବା ସଉକ ଥିଲା ଏବଂ ଅଧିକାଂଶ ସମୟରେ ସେ ଉପହାର ମାଗୁଥିଲା । ଯାହାକୁ ଦେବା ପାଇଁ ସେ ଅସମର୍ଥ ଥିଲା । ଏହି କାରଣରୁ ସେ ବହୁ ମାତ୍ରାରେ ପାର୍ସଲ ଅର୍ଥର କରି ଯୁବତୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲା । ଯୁବତୀ ଜଣକ ଗତ ମାସରେ ଲେକ୍ ଟାଉନ୍ ପୋଲିସ ଥାନାରେ ଏନେଇ ଅଭିଯୋଗ କରିଥିଲେ ।

ଯୁବତୀ ଅଭିଯୋଗରେ କହିଥିଲେ,"ସେଗୁଡ଼ିକ ସବୁ କ୍ୟାସ୍-ଅନ୍-ଡେଲିଭରି ସାମଗ୍ରୀ ଥିଲା । ଏଥିରେ ଟାବଲେଟ୍ ଏବଂ ମୋବାଇଲ୍ ଫୋନ୍ ଠାରୁ ଡ୍ରେସ୍ ଏବଂ ଛୋଟ ଉପହାର ସାମଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଥିଲା । ଫେବୃଆରୀ ମାସ ସାରା ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡେ ଉପହାର ଏବଂ ଅନ୍ୟାନ୍ୟ ଉତ୍ପାଦର ଅନେକ ଡେଲିଭରି ହେଉଥିଲା । ଏଥିପାଇଁ ମୋର ଡେଲିଭରି ଏଜେଣ୍ଟମାନଙ୍କ ସହିତ ବାରମ୍ବାର ଝଗଡ଼ା ହେଉଥିଲା । ଯେତେବେଳେ ମୁଁ ଏହି ବିଷୟକୁ ଇ-କମର୍ସ ପ୍ଲାଟଫର୍ମ ସାମନାରେ ଉଠାଇଲି, ସେମାନେ ମୋ ଆକାଉଣ୍ଟକୁ ବ୍ଲକ୍ କରିଦେଲେ"।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.