ନୂଆଦିଲ୍ଲୀ ୯।୬: ଅନୁକମ୍ପା ଆଧାରରେ ଚାକିରୀକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ମିଳୁଥିବା ଚାକିରୀ ପାଇଁ ଶୈକ୍ଷଣିକ ଓ ପେଷାଦାରୀ ଯୋଗ୍ୟତା ପୂରଣ କରିବା ଜରୁରୀ। ଏପରି ନୁହେଁ କି ଯୋଗ୍ୟତା ପୂରଣ କରିପାରୁନଥିବାରୁ ନିମ୍ନ ଗ୍ରେଡରେ ନିଯୁକ୍ତି ଦେଇ ଦିଆଯିବ । କୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ଦିଆଯାଉଥିବା ଚାକିରୀ ଅଧିକାର ନୁହେଁ, ଏଥି ଲାଗି ଯୋଗ୍ୟତା ପୂରଣ ମଧ୍ୟ କରିବାକୁ ପଡିବ।
ପ୍ରଧାନ ନ୍ୟାୟାଧୀଶ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ପୀଠ ଏହି ରାୟ ଦେଇ ଅନୁକମ୍ପା ଅଧାରରେ ମିଳିଥିବା ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। ପରିସଂଖ୍ୟାନ ବିଭାଗରେ ବାହନ ଚାଳକ ପଦରେ କାର୍ଯ୍ୟ କରୁଥିବା ପିତାଙ୍କ ପରଲୋକରେ ରେହନ ନାମକ ବ୍ୟକ୍ତିଙ୍କୁ କନିଷ୍ଠ ସହାୟକ ପଦବୀରେ ନିଯୁକ୍ତି ମିଳିଥିଲା। ତେବେ ଏଥି ପାଇଁ ତାଙ୍କୁ ବେସିକ୍ କମ୍ପ୍ୟୁଟର ଓ ଟାଇପିଙ୍ଗରେ ବିଭାଗୀୟ ପରୀକ୍ଷା ଦେବାକୁ କୁହାଯାଇଥିଲା। ଯେଉଁଥିରେ ତାଙ୍କୁ ସର୍ବନିମ୍ନ ଅଙ୍କ ଅର୍ଜିତ କରିବାକୁ କୁହାଯାଇଥିଲା। ତେବେ ସେ ଏହି ପରୀକ୍ଷାରେ ଫେଲ ହୋଇଯାଇଥିଲେ।
ଏହା ପରେ ମଧ୍ୟ ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଥିଲା। ଏଥର ମଧ୍ୟ ସେ ଟାଇପିଙ୍ଗରେ ଫେଲ ହୋଇଯାଇଥିଲେ। ଏହା ପରେ ପରିସଂଖ୍ୟାନ ଅଧିକାରୀ ତାଙ୍କୁ ଚାକିରୀରୁ ବରଖାସ୍ତ କରିଦେଇଥିଲେ। ପରିସଂଖ୍ୟାନ ଅଧିକାରୀଙ୍କ ବରଖାସ୍ତ ଆଦେଶକୁ ରେହାନ ଏଲହାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ସେ ଯଦି କନିଷ୍ଠ ସହାୟକ ପଦବୀ ନିମନ୍ତେ ଯୋଗ୍ୟ ନୁହନ୍ତି ତେବେ ତାଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଉ ବୋଲି ନିବେଦନ କରିଥିଲେ। ଏହା ବିରୋଧରେ ୟୁପି ସରକାର ଖଣ୍ଡପୀଠରେ ଅପିଲ କରିଥିଲେ। ତେବେ ଏହା ଖାରଜ ହୋଇଯାଇଥିଲା। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ହାଇକୋର୍ଟଙ୍କ ଆଦେଶ ଖାରଜ ହୋଇଯାଇଛି।