ନୂଆଦିଲ୍ଲୀ: ଇଂଲଣ୍ଡର ହ୍ୱାଇଟ୍ ବଲ୍ କ୍ରିକେଟ୍ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜସ୍ ବଟ୍ଲର୍ । ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଇଂଲଣ୍ଡ ବିଦା ହେବା ପରେ ବଟ୍ଲର୍ଙ୍କ ଉପରେ ଚାପ ବଢିଥିଲା । ଇଂଲଣ୍ଡର ଅନେକ ପୂର୍ବତନ ଖେଳାଳି ତାଙ୍କୁ କ୍ୟାପ୍ଟେନ୍ସି ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଚାମ୍ପିଅନ୍ସ ଟ୍ରଫିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ବଟ୍ଲର୍ଙ୍କ କ୍ୟାପ୍ଟେନ୍ସିର ଶେଷ ମ୍ୟାଚ୍ ହେବ । ବଟ୍ଲର୍ ପୂର୍ବରୁ କହିଥିଲେ ଯେ ସେ ଇଂଲଣ୍ଡର ଦିନିକିଆ ଓ ଟି-୨୦ କ୍ୟାପ୍ଟେନ ଭାବେ ଭବିଷ୍ୟତକୁ ନେଇ ବିଚାର କରିବେ ।
ବଟ୍ଲର୍ ସାମ୍ୱାଦିକ ସମ୍ମିଳନୀ କରି କହିଛନ୍ତି ଯେ ଇଂଲଣ୍ଡ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଉଛି । ଟିମ୍ ଓ ମୋ ପାଇଁ ଏହା ହିଁ ଭଲ । ସେ କହିଛନ୍ତି ଯେ ଅନ୍ୟ କେହି ଆସିବେ, କୋଚ୍ ମ୍ୟାକୁଲମଙ୍କ ସହ ଦାୟିତ୍ୱ ସମ୍ଭାଳିବେ ଏବଂ ଟିମ୍କୁ ସେହି ସ୍ଥାନକୁ ନେଇ ଯିବ, ଯେଉଁଠି ରହିବା ଦରକାର । ବଟ୍ଲର୍ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ ମୋ କ୍ୟାପ୍ଟେନ୍ସି ପାଇଁ ଅଧିକ ଗୁରୁତ୍ୱ ରଖୁଥିଲା । କିନ୍ତୁ ପରିଣାମ ଆମ ସପକ୍ଷରେ ଗଲା ନାହିଁ । ଏଥିପାଇଁ କ୍ୟାପ୍ଟେନ୍ସି ଛାଡ଼ିବାର ଏହା ହିଁ ଉପଯୁକ୍ତ ସମୟ ବୋଲି ମୁଁ ଅନୁଭବ କରୁଛି । ଜୋଶ ବଟ୍ଲର୍ ୨୦୨୨ ଜୁନ୍ରେ ମର୍ଗାନଙ୍କ ପରେ ଇଂଲଣ୍ଡର କ୍ୟାପ୍ଟେନ ହୋଇଥିଲେ । ତେବେ କ୍ୟାପ୍ଟେନ ଭାବେ ସେ ଅଧିକ ସଫଳ ହୋଇପାରିନାହାନ୍ତି । ଇଂଲଣ୍ଡ ପାଇଁ ୩୪ଟି ମ୍ୟାଚ୍ରେ ସେ କ୍ୟାପ୍ଟେନ୍ସି କରିଥିବା ବେଳେ ୨୨ଟିରେ ପରାଜିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡର ପ୍ରଦର୍ଶନ ନୈରାସ୍ୟଜନକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ପରାଜିତ ହୋଇଥିଲା । ଏହାପରେ ଲାହୋରରେ ଆଫଗାନିସ୍ତାନ ବିପକ୍ଷରେ ବି ଇଂଲଣ୍ଡ ଶୋଚନୀୟ ଭାବେ ପାରଜିତ ହୋଇଥିଲା । ଏହା ବଟ୍ଲର୍ଙ୍କ ନେତୃତ୍ୱରେ ଲଗାତାର ସପ୍ତମ ପରାଜୟ ଥିଲା । ଏହା ପୂର୍ବରୁ ଭାରତ ଗସ୍ତରେ ଆସି ଇଂଲଣ୍ଡ ୩-୦ରେ ପରାଜିତ ହୋଇଥିଲା । ସେହିପରି ଟି-୨୦ ସିରିଜକୁ ୪-୧ରେ ହାରିଥିଲା ।