କଟକରେ ଅଣାୟତ୍ତ ଜଣ୍ଡିସ,ଦୂଷିତ ଜଳକୁ ଦାୟୀ କଲେ ଲୋକେ

Published By : Prameya-News7 Bureau | April 13, 2024 IST

କଟକ ୧୩/୪:କଟକରେ କଣ୍ଟ୍ରୋଲକୁ ଆସୁନି ଜଣ୍ଡିସ । ସାହିକୁ ସାହି ଡେଉଁଛି ଜଣ୍ଡିସ । ସହରର ୫୧ ଓ ୫୨ ନମ୍ବର ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ରାଜେନ୍ଦ୍ର ନଗର ଓ କଲ୍ୟାଣୀ ନଗର ଅଞ୍ଚଳରୁ ବେଶୀ ପଜିଟିଭ ରୋଗୀ ଚିହ୍ନଟ ହେଉଛନ୍ତି । ଏବେ ସୁଦ୍ଧା ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚି ଥିବାବେଳେ ବେସରକାରୀ ଭାବେ ସଂଖ୍ୟା ଢେର ବେଶୀ । ପରିସ୍ଥିତି ଅଣାୟତ୍ତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ରାଜେନ୍ଦ୍ର ନଗର ମଙ୍ଗଳା ମନ୍ଦିରରେ ଅସ୍ଥାୟୀ ଚିକିତ୍ସା ଓ ପରୀକ୍ଷଣ ଶିଵିର କରାଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଜଣ୍ଡିସ ପ୍ରଭାବିତ ଅଞ୍ଚଳରେ ଟ୍ୟାଙ୍କର ଓ ପାଣି ଟାଙ୍କି ଜରିଆରେ ଏଵେ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏଥିସହ ଘରେ ଘରେ ହାଲୋଜେନ ବଟିକା ଦିଆଯାଉଛି । 
 ଜଣ୍ଡିସ ଵ୍ୟାପିଵା ପରେ ଓ୍ବାଟକୋ ଯୋଗାଉଥିବା ପିଇବା ପାଣିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ବର୍ଷ, ବର୍ଷ ଧରି ପାଣି ଯୋଗାଣ ପାଇପ ବଦଳାଯାଉନି,କିଛି ପାଇପ ନର୍ଦ୍ଦମା ଦେଇ ଯାଉଥିବାରୁ ଜଳ ଦୂଷିତ ହେଉଥିବା ସଂଗୀନ ଅଭିଯୋଗ ହୋଇଛି । ପିଇବା ପାଣି ପ୍ରଦୂଷିତ ହେଵା ଅଭିଯୋଗକୁ ସିଏମସି କମିଶନର ଅସ୍ବୀକାର କରିନଥିବା ବେଳେ, ଏଥିପାଇଁ କିଛି ମାତ୍ରାରେ ଲୋକଙ୍କୁ ଦାୟୀ କରିଛନ୍ତି । 

କିଛି ଲୋକ ଅନଧିକୃତ ଭାବେ ପାଣି ଲାଇନକୁ କାଟି ନିଜ ଘରକୁ ଅତିରିକ୍ତ ପାଣି କନେକ୍ସନ ନେଇଛନ୍ତି। ଏହି ଅନଧିକୃତ ପାଣି ପାଇପ କନେକ୍ସନ ଯୋଗୁ ଜଳ ପ୍ରଦୂଷିତ ହୋଇଥିବା ଆଶଙ୍କା କରୁଛନ୍ତି କମିଶନର । ପ୍ରତିବର୍ଷ ଏହି ସମୟରେ କଟକକୁ ଜଣ୍ଡିସ ଫେରିବାର ନଜିର ରହିଛି । ତେଣୁ ନିଜ ଭିତରେ ଦୋଷ ଲଦାଲଦି ନହୋଇ ଖୁବ ଶୀଘ୍ର ଜଣ୍ଡିସ ବ୍ୟାପିବାର କାରଣ ଖୋଜି ତାର ସ୍ଥାୟୀ ନିରାକରଣ କରିବା ଜରୁରୀ । ନଚେତ ଆଗକୁ ପରିସ୍ଥିତି ଅଣାୟତ୍ତ ନହେବ କିଏ କହିବ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.