ବିନିକା: ପଶ୍ଚିମ ଓଡିଶାରେ ପାଳିତ ହେଉଥିବା ଯାନିଯାତ୍ରା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର କଳାସୀ ଯାତ୍ରା ବେଶ ପ୍ରସିଦ୍ଧି ଲାଭ କରିଛି । ବିନିକା ବ୍ଲକ ଚରଦାର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ବାବାଙ୍କ ମନ୍ଦିରରେ ରାଜା ରାଜୁଡା ଅମଳରୁ ପାଳିତ ହେଇ ଆସୁଥିବା ଏହି ଯାତ୍ରାର ମହତ୍ୱ ରହିଛି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଆଖପାଖ ଗାଁଗୁଡିକରୁ ଇଷ୍ଟଦେବୀ ଚରଦେଇଙ୍କ ପାଖରେ କଳାସୀ ବରୁଆଙ୍କ ଦେଉଳ ଭରା ଦୃଶ୍ୟ । ଜିଲ୍ଲାର ଅନେକ ସ୍ଥାନରେ କଳାସୀ ଯାତ୍ରା ହେଉଥିଲେ ହେଁ ବାବା କପିଳେଶ୍ୱରଙ୍କ ପୀଠରେ ମାଁ ଚରଦେଇଙ୍କ ପାଖରେ ପାଳିତ ହେଉଥିବା କଳାସୀ ଯାତ୍ରାର ରହିଛି ଭିନ୍ନ ଏକ ଆକର୍ଷଣ ।
ପ୍ରତ୍ୟେକ ବର୍ଷ କାର୍ତ୍ତିକ ଶୁକ୍ଲ ପକ୍ଷ ଦଶମୀ ତିଥିରେ ଆରମ୍ଭ ହେଉଥିବା ଏହି ଯାତ୍ରାରେ ଆଖପାଖର ପ୍ରାୟ ୨୧ଟି ଗାଁରୁ ଦେଉଳ ଭରା ଉତ୍ସବ ପାଇଁ ବାବା କପିଳେଶ୍ୱରଙ୍କ ପୀଠକୁ ବରଣ କରି ଆସିଥାନ୍ତି କଳାସୀ ବରୁଆମାନେ । ଢୋଲ ମହୁରୀ ନିଶାନର ଷୋହଳ ଭରନୀ ବାଦ୍ୟରେ ଦେବୀ ଆବିର୍ଭାବ ହୁଅନ୍ତି ବରୁଆ ଦେହରେ । ଛତିଛତ୍ର ଓ ଘଣ୍ଟ ଘଣ୍ଟାର ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଖମ୍ବ ପାଖକୁ ଆସିଥାନ୍ତି ବରୁଆମାନେ । ଉପସ୍ଥିତ ଶ୍ରଦ୍ଧାଳୁ ଦର୍ଶନ କରି ପୂଜା କରିଥାନ୍ତି କଳାସୀ କୋଠି ଆଗରେ । କାର୍ତ୍ତିକ ଶୁକ୍ଲ ଦଶମୀ ତିଥିରେ ଦେବା ଦେବୀମାନେ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତକୁ ଯାଉଥିବାରୁ ଏହି ଯାତ୍ରାର ନାମ କଳାସୀ ହୋଇଛି ବୋଲି ପୌରାଣିକ ମତ ରହିଛି ।
ଚଳିତ ବର୍ଷ କଳାସୀ ଯାତ୍ରା ଉପଲକ୍ଷେ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ମଧ୍ୟ କରାଯାଉଛି । ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବରେ ଅଧ୍ୟକ୍ଷ ଭାବରେ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରତ୍ୟେକ ଦିନ ଉପସ୍ଥିତ ରହୁଥିବା ବେଳେ ପ୍ରତ୍ୟେକ ଦିନ ନେତା, ମନ୍ତ୍ରୀ, ବିଧାୟକ, ଅଭିନେତା, ଅଭିନେତ୍ରୀ ଉପସ୍ଥିତ ରହୁଛନ୍ତି । ମହୋତ୍ସବର ଦ୍ଵିତୀୟ ଦିନରେ ପୂର୍ବତନ ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜୟପୁର ବିଧାୟକ ତାରାପ୍ରସାତ ବାହିନୀପତି, ପୂର୍ବତନ ସାଂସଦ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।