ବେଙ୍ଗାଲୁରୁ ୨୧।୩: ସରକାରୀ ଠିକାରେ ମୁସଲମାନ ଠିକାଦାରଙ୍କୁ ୪ ପ୍ରତିଶତ ରିଜର୍ଭେସନ ଦେବା ପାଇଁ ନିଷ୍ପତ୍ତିକୁ ନେଇ ଶୁକ୍ରବାର କର୍ଣ୍ଣାଟକ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଛି। ପ୍ରସଙ୍ଗକୁ ନେଇ ବିଧାନସଭାରେ ତୀବ୍ର ଯୁକ୍ତିତର୍କ ମଧ୍ୟରେ ବିଜେପି ବିଧାୟକମାନେ ବିରୋଧ କରିବାରୁ ଗୃହରେ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ମାର୍ସଲଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା ଓ ବିରୋଧ କରୁଥିବା ବିଧାୟକଙ୍କୁ ଜଣଜଣ କରି ଉଠାଇ ଗୃହରୁ ବାହାରେ ଛଡାଯାଇଥିଲା।
ବିଧାନସଭାରେ ହଙ୍ଗାମା ସତ୍ତ୍ୱେ ସରକାର ମୁସ୍ଲିମ ସମୂଦାୟଙ୍କୁ ସରକାରୀ ଟେଣ୍ଡରରେ ୪ ପ୍ରତିଶତ ରିଜର୍ଭେସନ ବିଧାୟକକୁ ଗୃହୀତ କରାଇ ନେଇଛନ୍ତି। ଏହା ପରେ ବିଧାନସଭାକୁ ଅନିଶ୍ଚିତ କାଳ ନିମନ୍ତେ ସ୍ଥଗିତ କରି ଦେଇଛନ୍ତି। ବିଧାନସଭାରେ ହଟ୍ଟଗୋଳ ଲାଗି ବାଚସ୍ପତି ୧୮ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଏହି ବିଧାୟଙ୍କ ଉପରେ ଅନୁଶାସନହୀତନା ଓ ବାଚସ୍ପତିଙ୍କ ଆଦେଶକୁ ପାଳନ ନ କରିବାର ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକର କଂଗ୍ରେସ ସରକାର ନିକଟରେ କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ ପବ୍ଲିକ ପ୍ରୋକ୍ୟୋରମେଣ୍ଟ (କେଟିପିପି) ଅଧିନିୟମରେ ସଂଶୋଧନକୁ ମଞ୍ଜୁରୀ ଦେଇଥିଲେ। ଏହି ସଂଶୋଧନ ଅନୁସାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସିଭିଲ କାର୍ଯ୍ୟ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବସ୍ତ୍ର ସେବା ଠିକା ମୁସଲମାନ ଠିକାଦାରଙ୍କ ନିମନ୍ତେ ସଂରକ୍ଷଣ କରାଯାଇଛି। ତେବେ ରାଜ୍ୟରେ ବିପକ୍ଷ ବିଜେପି ଏହାକୁ ବିରୋଧ କରୁଛି। ପାର୍ଟିର ନେତାମାନଙ୍କ କହିବା କଥା ହେଉଛି ଏହି ପଦକ୍ଷେପ ଅସାମ୍ବିଧାନିକ ଓ କଂଗ୍ରେସ ତୁଷ୍ଟିକରଣର ରାଜନୀତି କରୁଛି।
ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହା କଂଗ୍ରେସର ଶୀର୍ଷ ନେତାଙ୍କ ନିର୍ଦ୍ଦେଶରେ ନିଆଯାଇଥିବା ନିଷ୍ପତ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଓ ବାହାରେ ରାଜନୀତି ସରଗରମ ରହିଛି। ବିଜେପି ଏହି ନିଷ୍ପତ୍ତି ବିରୋଧରେ ଆଇନଗତ ଲଢେଇ ଲଢିବା ସହିତ ରାଜନୈତି ଲଢେଇ ଲଢିବାକୁ ବି ପ୍ରସ୍ତୁତ ଥିବା କହିଛି। ତେବେ କଂଗ୍ରେସ ସରକାର ତାଙ୍କ ନିଷ୍ପତ୍ତିକୁ ଉଚିତ ଓ ସାମାଜିକ ନ୍ୟାୟ ଦିଗରେ ଉଠାଯାଇଥିବା ପଦକ୍ଷେପ ବୋଲି କହିଛନ୍ତି।