ନୂଆଦିଲ୍ଲୀ ୨୨/୦୩: ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ଘରୁ ମିଳିଥିବା ୧୫ କୋଟି ଟଙ୍କା ନଗଦ ମିଳିବା ଘଟଣା । ମାମଲାରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟକୁ ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟ କୁହାଯାଉଛି। ଏହି ଘଟଣା ସମ୍ପର୍କରେ ପ୍ରମାଣ ଏବଂ ସୂଚନା ସଂଗ୍ରହ କରିବା ପାଇଁ ଜଷ୍ଟିସ୍ ଉପାଧ୍ୟାୟ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିଲେ।
ସୂଚନା ଥାଉକି, ୧୪ ମାର୍ଚ୍ଚ ହୋଲି ରାତିରେ, ପ୍ରାୟ ୧୧.୩୫ ସମୟରେ, ଜଷ୍ଟିସ୍ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟିଥିଲା। ସେ ଦିଲ୍ଲୀ ବାହାରେ ଥିଲେ। ତାଙ୍କ ପରିବାର ସଦସ୍ୟମାନେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ସେଠାରେ ବିପୁଳ ପରିମାଣର ଟଙ୍କା ମିଳିଥିବା ଜଣାପଡ଼ିଛି। ଗୋଟିଏ ସମ୍ପୂର୍ଣ୍ଣ କୋଠରୀ ନୋଟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା।
ଏହା ପରେ, ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପଠାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳିକୁ ବିରୋଧ କରିଥିଲା ।
ଆଲ୍ଲାହାବାଦ ହାଇକୋର୍ଟ ବାର ଆସୋସିଏସନର ସଭାପତି ଅନିଲ ତିୱାରୀ କହିଥିଲେ କି, ଯଦି ଜଣେ ସାଧାରଣ କର୍ମଚାରୀଙ୍କ ଘରୁ ୧୫ ଲକ୍ଷ ଟଙ୍କା ମିଳେ ତେବେ ତାଙ୍କୁ ଜେଲ ପଠାଯାଏ । ଯଦି ଜଣେ ବିଚାରପତିଙ୍କ ଘରୁ ୧୫ କୋଟି ଟଙ୍କା ମିଳେ, ତେବେ ତାଙ୍କୁ ଘରବାହୁଡା ଭଳି ପୁରସ୍କାର ମିଳୁଛି ।
ତିୱାରୀ କହିଛନ୍ତି ଯେ ଆମର ଦାବି ହେଉଛି ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ନ ପଠାଯାଉ । ଜଷ୍ଟିସ୍ ବର୍ମା ଯଦି କୌଣସି ସ୍ପଷ୍ଟୀକରଣ ଦିଅନ୍ତି ତେବେ ବର୍ତ୍ତମାନ କୌଣସି ପ୍ରକାରର ତଦନ୍ତର ଆବଶ୍ୟକତା ନାହିଁ । କାରଣ ଆଉଥରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ପାରିହେବନି । ଜନସାଧାରଣଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ଭାଙ୍ଗିପଡିଛି । ଯଦି ନ୍ୟାୟପାଳିକା ଉପରୁ ଜନସାଧାରଣଙ୍କ ବିଶ୍ୱାସ ତୁଟିଯାଏ, ତେବେ ମାଫିଆମାନେ ଏଠାରେ ରାଜ କରିବେ ଏଥିରେ ସନ୍ଦେହ ନାହିଁ ।
ଯଦି ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମା ଆହ୍ଲାବାଦ ଆସନ୍ତି ତେବେ କୋର୍ଟରେ କୌଣସି କାମ ହେବ ନାହିଁ। ବାର ଆସୋସିଏସନ କହୁଛି ଯେ ଯଦି ନ୍ୟାୟପାଳିକା ନିଜେ ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କୁ ଦଣ୍ଡ ନଦିଏ, ତେବେ କିଏ ଦେବ? ସ୍ଥାନାନ୍ତର ଏକ ଦଣ୍ଡ ନୁହେଁ। ଏହା ଏକ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ। ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ହେବା ଉଚିତ।