ପ୍ରେମ ପ୍ରସଙ୍ଗରେ ନିଜକୁ ହତଭାଗ୍ୟ ଭାବନ୍ତି କାର୍ତ୍ତିକ ଆର୍ଯ୍ୟନ, କହିଲେ-ଏଯାଏ ମିଳିନାହିଁ…

Published By : Prameya-News7 Bureau | June 24, 2024 IST

ମୁମ୍ଵାଇ ୨୪।୦୬: ବଲିଉଡରେ  ବହୁଦିନରୁ   ପ୍ରତିଷ୍ଠିତ  ହୋଇସାରିଛନ୍ତି । ନୂଆ  ପିଢ଼ିର ଅନ୍ୟତମ ସଫଳ  ତାରକା ସେ । ଗୋଟିଏ ପରେ ଗୋଟିଏ  ସିନେମା ରହିଛି ତାଙ୍କ ହାତରେ । ଗତ କିଛି ବର୍ଷ  ମଧ୍ୟରେ ତାଙ୍କ କ୍ୟାରିଅର୍‌ର ମୋଡ ବଦଳିଯାଇଛି ।  ତଥାପି ସେ ନିଜକୁ ହତଭାଗ୍ୟ ବୋଲି କୁହନ୍ତି । ନାମ,  ଅର୍ଥ, ଯଶ, ଖ୍ୟାତି- ସବୁ ପାଇଛନ୍ତି । ତାହେଲେ ନିଜକୁ  ହତଭାଗ୍ୟ ବୋଲି କହିବାର କିଛି କାରଣ ନାହିଁ । କଥା  ହେଉଛି ଜୀବନରେ ସବୁକିଛି ପାଇସାରିବା ପରେ ବି  କାର୍ତ୍ତିକ ଆର୍ଯ୍ୟନଙ୍କ ଜୀବନ ଅଧୁରା ରହିଯାଇଛି ।  ଅର୍ଥାତ ତାଙ୍କ ଜୀବନକୁ ବିଶେଷ ବାନ୍ଧବୀ  ଆସିନାହାନ୍ତି ।  ଚଳଚ୍ଚିତ୍ର ଜଗତରେ ସଂପର୍କର ସମୀକରଣ  ସବୁବେଳେ ଦୁର୍ବୋଧ୍ୟ । ପ୍ରେମ, ବିଚ୍ଛେଦ ତ   ରହିଛି । ତାହା ସହିତ ତ୍ରିକୋଣୀୟ ପ୍ରେମ,  ପରକୀୟା ମଧ୍ୟ ପ୍ରାୟ ସମୟରେ ଶୁଣିବାକୁ  ମିଳେ । ସେମିତି କାର୍ତ୍ତିକଙ୍କ ସହିତ ସାରା ଅଲ୍ଲୀ  ଖାନ ଏବଂ ଜାହ୍ନବୀ କପୁରଙ୍କ ସଂପର୍କ ନେଇ ଚର୍ଚ୍ଚା  ଚାଲିଥିଲା । ଯଦିଓ ସେମାନେ କେହି ବି ସଂପର୍କ  ଥିବା କଥା ଖୋଲାଖୋଲି ସ୍ୱୀକାର କରିନଥିଲେ । 

ସୀମିତ ସମୟ ମଧ୍ୟରେ ବଲିଉଡରେ ପ୍ରତିଷ୍ଠା ଲାଭ  କରିଥିଲେ କାର୍ତ୍ତିକ । ସେହି ସମୟରେ ତାଙ୍କ ସହିତ  ପ୍ରଥମେ ସାରାଙ୍କ ନାଁ ଯୋଡା ହୋଇଥିଲା । ‘ଲଭ୍‌ ଆଜ୍‌ କଲ୍‌୨’ ଫିଲ୍ମର ସୁଟିଂ ଚାଲୁଥିବା ସମୟରେ ସାରା ଓ  କାର୍ତ୍ତିକଙ୍କ ସଂପର୍କ କାଳେ ଅଧିକ ଗଭୀର ହୋଇଥିଲା ।  ଶୁଣିବାକୁ ମିଳିଥିଲା ଫିଲ୍ମର ସୁଟିଂ ପରେ କାଳେ ସାରା  ଓ କାର୍ତ୍ତିକ ବିବାହ କରିବେ । କିନ୍ତୁ ପ୍ରକୃତରେ ସେମିତି  କିଛି ହୋଇନଥିଲା । ପୁଣି ଫିଲ୍ମ ‘ଦୋସ୍ତାନା ୨’ର ସୁଟିଂ  ସମୟରେ କାର୍ତ୍ତିକଙ୍କ ନାଁ ସହିତ ଜାହ୍ନବୀଙ୍କ ନାଁ ଯୋଡା   ହୋଇଥିଲା । କିନ୍ତୁ ପ୍ରେମ ଅଙ୍କୁରୋଦଗମ୍‌ ହେବା   ଆଗରୁ ହିଁ ମଉଳି ଯାଇଥିଲା । କାରଣ ଜାହ୍ନବୀ ନିଜ   କ୍ୟାରିଅର୍‌ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ ।   ଏହା ବ୍ୟତୀତ ଜାହ୍ନବୀଙ୍କ ବନ୍ଧୁ ଶିଖର ପାହାଡ଼ିଆ   ସେତେବେଳକୁ ତାଙ୍କ ଜୀବନକୁ ଆସିଯାଇଥିଲେ। ତେଣୁ କାର୍ତ୍ତିକଙ୍କ ସହ ପ୍ରେମ ସଂପର୍କ ତୁଟାଇ ସେ  ଶିଖରଙ୍କ ସହ ସଂପର୍କ ଯୋଡ଼ିଥିଲେ । 

କିଛିଦିନ ତଳେ  ନିଜ ପ୍ରେମ ଜୀବନ ସମ୍ପର୍କରେ ଉଲ୍ଲେଖ କରିବାକୁ  ଯାଇ କାର୍ତ୍ତିକ କହିଥିଲେ ପ୍ରେମ ପ୍ରସଙ୍ଗରେ ସେ ବଡ଼  ହତଭାଗ୍ୟ । କାରଣ ତାଙ୍କ ପାଖରେ ସବୁ ଥାଇ ବି  ତାଙ୍କୁ ପ୍ରେମିକା ମିଳୁନାହାନ୍ତି । ସେ ଏହା ବି କହିଥିଲେ  ଏମିତି ଏକ ସମୟ ଥିଲା ଯେତେବେଳେ ତାଙ୍କ ନାଁ  ଅନ୍ୟ ଅଭିନେତ୍ରୀଙ୍କ ସହ ଯୋଡା ହେଇଥିଲା । କିନ୍ତୁ  ସେହି ସଂପର୍କ ଆଗକୁ ବଢ଼ିବା ଆଗରୁ ହିଁ ଭାଙ୍ଗିଗଲା ।  ତେଣୁ ବ୍ୟକ୍ତିଗତ ଜୀବନରେ ସେ ଏବେ ସଂପୂର୍ଣ୍ଣ  ଏକାକୀ । ସେ ଏହା ସ୍ୱୀକାର ବି କରିଛନ୍ତି ଯେ ନାମ,  ଅର୍ଥ, ଯଶ ସବୁକିଛି ମିଳିଥିଲେ ବି ପ୍ରକୃତ ଭଲପାଇବା  ତାଙ୍କୁ ଏଯାଏ ମିଳିନି । ତଥାପି ସେ ତାଙ୍କ ମନର  ମାନସୀଙ୍କୁ ଖୁବ୍‌ ଶୀଘ୍ର ପାଇବେ ବୋଲି କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.