ହାଇକୋର୍ଟକୁ ଗଲେ ଅରବିନ୍ଦ କେଜରିୱାଲ, CBI ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ

Published By : Prameya-News7 Bureau | July 03, 2024 IST

ନୂଆଦିଲ୍ଲୀ ୩।୭: ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରିଛନ୍ତି। ତାଙ୍କର ଏହି ଆବେଦନ ଉପରେ ଜୁଲାଇ ୫ ତାରିଖ ଦିନ ଶୁଣାଣି ହେବ। ତେବେ ଏହା ପୂର୍ବରୁ ମଧ୍ୟ ହାଇକୋର୍ଟରେ କେଜରିୱାଲଙ୍କ ସିବିଆଇ ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଆବେଦନର ଶୁଣାଣି ଲମ୍ବିତ ରହିଛି। କେଜରିୱାଲ ଏବେ ତିହାର ଜେଲରେ ବିଚାରବିଭାଗୀୟ ହାଜତରେ ଅଛନ୍ତି। 

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ‘ସେ ଏପ୍ରିଲ ୨୦୨୩ରେ ସିବିଆଇ ପଚରା ଉଚରାରେ ସେ ପୂର୍ଣ୍ଣ ସହଯୋଗ କରିଥିଲେ। ତାଙ୍କ ଗିରଫ ଅସାମ୍ବିଧାନି ଓ ଅବୈଧ ଅଟେ। ଏଜେନ୍ସୀ ପୂର୍ବରୁ ତଦନ୍ତ ଶେଷ କରିସାରିଛନ୍ତି ଓ ଗିରଫ ଆଧାରରେ ପଚରା ଉଚରା ମଧ୍ୟ କରିଛି। ଏହା ଉପରେ କେଜରିୱାଲ ତଦନ୍ତ ଆଢୁଆଳରେ ସିବିଆଇ ନିର୍ଯାତନା ଦେଉଥିବା ଓ ହଇରାଣ କରୁଥିବାର ଅଭିଯୋଗ କରିଛନ୍ତି’। 

ମୁଖ୍ୟମନ୍ତ୍ରୀ କେଜରିୱାଲ ଉଲ୍ଲେଖ କରିଛନ୍ତି ଯେ ଆଇନ ପ୍ରକ୍ରିୟା ସହିତ ଖେଳିବା ଠିକ୍ ନୁହେଁ। ତଦନ୍ତକାରୀ ସଂସ୍ଥା ପକ୍ଷପାତରୁ ଦୂରରେ ରହି ନିରପେକ୍ଷତାର ସହ ନିଜର କାମ କରୁ। ତେବେ ସିବିଆଇର ଆଚରଣ ଦୁର୍ଭାବନାରେ ଭରା ଓ ଏହା ସ୍ପଷ୍ଟ ରୂପେ ଆବେଦନକାରୀଙ୍କ ପ୍ରତି ଉତ୍ପୀଡ଼ନ ବୋଲି କେଜରିୱାଲ କହିଛନ୍ତି।  ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ରେକର୍ଡ ସିବିଆଇ ନିକଟରେ ପୂର୍ବରୁ ଥିଲା। ଏଥି ଲାଗି ପୁଣି ଥରେ କାହିଁକି ରିମାଣ୍ଡରେ ନିଆଗଲା? ତାଙ୍କୁ ଗିରଫ କରିବାର ଉଦ୍ଦେଶ୍ୟ ଜେଲରୁ ମୁକ୍ତ ହେବାକୁ ରୋକିବା ଓ ଟାଳିବାକୁ ପ୍ରୟାସ। କାରଣ ମନିଲଣ୍ଡ୍ରିଂ ମାମଲାରେ ଆବେଦନକାରୀଙ୍କୁ ନିୟମିତ ଜାମିନ ମିଳିଛି। ତେବେ ତାଙ୍କୁ ମନମାନି ଭାବେ ଜେଲ ରେ ରଖା ଯାଇଛି ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.