ଭୁବନେଶ୍ବର: ରାଜଧାନୀ ନୂଆଦିଲ୍ଲୀର ଫରିଦାବାଦଠାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଢି ଉଠିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ସୁରମ୍ୟ ମନ୍ଦିର । ରାଜ୍ୟ ବାହାରେ ଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉଦ୍ୟମରେ ଶ୍ରୀଜଗନ୍ନାଥ ଚେତନାର ପ୍ରସାର ନେଇ ଏପରି ଏକ ଆଧ୍ୟାତ୍ମିକ ପ୍ରୟାସ କରାଯାଇଛି ।
୧୯୭୯ ମସିହାରେ କଳିଙ୍ଗ ସାଂସ୍କୃତିକ ପରିଷଦ ନାଁରେ ଏଠାରେ ପ୍ରଭୁଙ୍କ ମନ୍ଦିର ଲାଗି ଜମି କ୍ରୟ କରାଯାଇଥିଲା । ହରିୟାଣା ସହର ଉନ୍ନୟନ କର୍ତ୍ତୃପକ୍ଷ ଏ କ୍ଷେତ୍ରରେ ସହଯୋଗ଼ କରିଥିଲେ । ଏହାପରେ ଏଠାରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯିବାର ଯୋଜନା ହେଲା । ୧୯୮୫ରେ ଏହାର ଶିଳାନ୍ୟାସ କରିଥିଲେ ପୂର୍ବତନ ଉପରାଷ୍ଟ୍ରପତି ଭି.ଭି. ଗିରି ।
ଏହାପରେ ଓଡ଼ିଶାରୁ ‘ସମାଜ’ର ତତ୍କାଳୀନ ସଂପାଦକ ରାଧାନାଥ ରଥ, ମନୋରମା ମହାପାତ୍ର ଓ ସଦାଶିବ ରଥଶର୍ମା ପ୍ରମୁଖ ପୁରୀରୁ ମହାପ୍ରଭୁଙ୍କ ମୂର୍ତ୍ତି ଆଣି ଏଠାକୁ ଆସିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଶ୍ରୀଜିଉଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ । ପରେ ବଡ଼ ମନ୍ଦିରଟି ତିଆରି ପାଇଁ ଯୋଜନା ହେଲା । କାମ ବି ଆରମ୍ଭ ହେଲା ।
ନିର୍ମାଣ ପଛରେ ରହିଛି ଅଲୌକିକ ଘଟଣା
ତେବେ ଏହି ସମୟରେ ଅର୍ଥର ଅଭାବ ଫଳରେ ଆୟୋଜକଙ୍କୁ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ସହ ଅନ୍ୟାନ୍ୟ କାରଣକୁ ନେଇ ୮ ବର୍ଷ ବିତିଯାଇଥିଲେବି ମନ୍ଦିର ନର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ଏମିତିରେ ଗଡ଼ିଚାଲିଥିଲା ସମୟ । ଏତିକିବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଆସି ସେଠାରେ ପହଞ୍ଚିଲେ । ସେ ନିରବରେ ଶୁଣିଲେ ଆୟୋଜକଙ୍କ ଅସହାୟତା । ଏହା ପରେ ସେ ନିଜେ ମନ୍ଦିରର ନକ୍ସା ସଜାଡ଼ିଥିଲେ । ଏହାପରେ ନିର୍ଦ୍ଦିଷ୍ଟ ଉଚ୍ଚତାର ମନ୍ଦିର ନିର୍ମାଣ ହେଲା । ତେବେ କିଏ ଥିଲେ ସେହି ଅଜ୍ଞାତ ବ୍ୟକ୍ତି, ତାହା ଅଜଣା ରହିଗଲା । ଆହୁରି ମଧ୍ୟ ମନ୍ଦିରର ବାସ୍ତୁ ପୂଜା ବେଳେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ହଠାତ ଯଜ୍ଞକୁଣ୍ଡରୁ ପ୍ରଚଣ୍ଡ ଭାବରେ ନିଆଁ ଉଠିଲା । ପରେ ଏହା ଆପେଆପେ ଥମିଯାଇଥିଲା । ଏହା ସେଦିନ ଚକିତ କରିଥିଲା ସମସ୍ତଙ୍କୁ ।
ଦେଉଳ ବେଢ଼ାରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ
ଆଜି ଏହି ମନ୍ଦିର Srijagannath Cultural centre ଦ୍ୱାରା ପରିଚାଳିତ ହେଉଛି । ରାସ୍ତା ପତ୍ତନରୁ ମନ୍ଦିରର ଉଚ୍ଚତା ୯୯ ଫୁଟ । ଏହି ରେଖ ମନ୍ଦିର, ଗମ୍ଭୀରା , ନାଟମଣ୍ଡପ ଓ ମୁଖଶାଳାକୁ ନେଇ ପଞ୍ଚ ରଥ ଶୈଳୀରେ ନିର୍ମିତ । ଗର୍ଭ ଗୃହରେ ପୂଜା ପାଉଛନ୍ତି ସପ୍ତଧା ବିଗ୍ରହ । ଏହା ବ୍ୟତିତ ୭୩୭ ଶାଳଗ୍ରାମ ମନ୍ଦିର ପ୍ରତିଷ୍ଠା ବେଳେ ଆସିଥିଲା ନେପାଳରୁ । ସେସବୁ ସମେତ ପ୍ରାୟ ୧୦ କିଲୋଗ୍ରାମ ଓଜନର ଗୋପାଳ ଶାଳଗ୍ରାମ ଏଠାରେ ପୂଜା ପାଉଛନ୍ତି । କେଉଁଠି ନୂଆ ମନ୍ଦିର ପ୍ରତିଷ୍ଠା ହେଲେ ଏଠାରୁ ସେମାନେ ଶାଳଗ୍ରାମ ନେବାର ବ୍ୟବସ୍ଥା ରହିଛି । ମନ୍ଦିର ବାହାର କାନ୍ଥରେ ବରାହ , ନୃସିଂହ ଓ ବାମନ ପୂଜା ପାଉଛନ୍ତି । ମୂର୍ତ୍ତି ସବୁ କଳା ମୁଗୁନି ପଥରରେ ନିର୍ମିତ । ଦେଉଳ ବେଢାରେ ବାମରୁ ଡାହାଣକୁ ଥିବା ପାର୍ଶ୍ୱ ମନ୍ଦିରର ଦେବଦେବୀ ହେଲେ – ସୂର୍ଯ୍ୟ , ନର୍ମଦେଶ୍ୱର, ରାମବଳରାମ , ଦୁର୍ଗା , ମଦନମୋହନ , ବିମଳା , ନିଦ୍ରାଦେବୀ , ଭୁବନେଶ୍ୱରୀ , କମଳା , ବାମନ, ନୃସିଂହ , ବରାହ ଓ ବାଳ ରୂପରେ ବଟ ହନୁମାନ ।
ଶ୍ରୀମନ୍ଦିର ଭଳି ସବୁ ନୀତି ହୋଇଥାଏ ପାଳନ
ଏହା ପରେ ଅଛି ସ୍ନାନବେଦି ଓ ଆଡପ ମଣ୍ଡପ । ପୀଠରେ ପ୍ରତ୍ୟହ ପ୍ରାୟ୧ ହଜାରରୁ ଅଧିକ ଭକ୍ତ ସମାଗମ ହୋଇଥା’ନ୍ତି । ଶ୍ରୀମନ୍ଦିର ନୀତିକାନ୍ତି ଅନୁସରଣରେ ଦ୍ୱାରଫିଟାଠାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ସମସ୍ତ ସେବାପୂଜା ହୋଇଥାଏ । ସବୁ ବଡ ନବମୀ ଶ୍ରୀମନ୍ଦିର ନୀତି ନିୟମ ଅନୁସାରେ ଏଠାରେ ପାଳିତ ହୁଏ । ମନ୍ଦିର ପ୍ରତିଷ୍ଠା ଦିବସ ବି ପ୍ରତିବର୍ଷ ଖୁବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥାଏ ।
ରଥଯାତ୍ରାରେ ଲାଗେ ଭକ୍ତଙ୍କ ଭିଡ଼
୨୦୧୫ରେ ମହାପ୍ରଭୁଙ୍କର ଏଠାରେ ନବକଳେବର ଅନୁଷ୍ଠିତ ହୋଇଥିଲା । ୨୦୧୭ ମସିହାରୁ ଫରିଦାବାଦ ଜଗନ୍ନାଥ ମନ୍ଦିରରେ ପୁରୀର ଦେବୀ ସୁଭଦ୍ରାଙ୍କ ରଥର ମାପରେ ଏକ ୧୨ ଚକିଆ ୫୭୫ ଖଣ୍ଡ କାଠରେ ୩୨ ଫୁଟ ଉଚ୍ଚତା ବିଶିଷ୍ଟ ରଥ ନିର୍ମାଣ କରାଯାଇ ଭକ୍ତଙ୍କ ଦ୍ୱାରା ଟଣାଯାଉଛି । ଏଠାରେ ରଥଯାତ୍ରାରେ ପ୍ରଭୁଙ୍କ ରଥ ମନ୍ଦିରଠାରୁ ଦୁଇ କିଲୋମିଟର ଯାତ୍ରା କରି ସଂଧ୍ୟା ପୂର୍ବରୁ ଜଗନ୍ନାଥ ବାଟିକା ଅସ୍ଥାୟୀ ମନ୍ଦିରରେ ଅବସ୍ଥାନ କରନ୍ତି । ଏହି ରଥ ଯାଉଥିବା ପଥର ସମସ୍ତ ବିଦ୍ୟୁତ ତାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଣ୍ଡରଗ୍ରାଉଣ୍ଡରେ ନିଆଯାଇଛି । ରଥଯାତ୍ରାକୁ ଏଠାରେ ୧୦ ହଜାର ଭକ୍ତ ଏକାଠି ହୋଇ ରଥ ଟାଣନ୍ତି । ଛେରାପହଁରା କରନ୍ତି ଏଠାର ଜଣେ ପ୍ରମୁଖ ଆୟୋଜକ ଡ. ପ୍ରବୀର କିଶୋର ମନୋଜ କୁମାର ଦାସ । ଫରିଦାବାଦ ଜଗନ୍ନାଥ ମନ୍ଦିର ଓ ଏଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା , ଏଠାର ପ୍ରବାସୀ ଓଡ଼ିଆଙ୍କର ଏକ ମହତ୍ତର ଆଧ୍ୟାତ୍ମିକ ଚିନ୍ତନର ସଫଳ ରୂପାୟନ ।