କେବେ ପାଳିବା ଦୀପାବଳି: ଅକ୍ଟୋବର ୩୧ ନା ନଭେମ୍ବର ୧? ସ୍ପଷ୍ଟ କଲେ ପଣ୍ଡିତ ଓ ଜ୍ୟୋତିଷ ବିଶାରଦ

Published By : Prameya-News7 Bureau | October 28, 2024 IST

ନୂଆଦିଲ୍ଲୀ: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପଡେ ହିନ୍ଦୁ ଧର୍ମର ବଡ଼ ପର୍ବ ଦୀପାବଳି। ଏହା ସହ ଶ୍ୟାମା କାଳୀ ପୂଜା ବି ପାଳନ କରାଯାଏ। କିନ୍ତୁ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। କେବେ ପାଳନ କରାଯିବ ଦୀପାବଳୀ। କେତେବେଳେ ଦିଆଯିବ ପୟାଶ୍ରାଦ୍ଧ ? ଅକ୍ଟୋବର ୩୧ ନା ନଭେମ୍ବର ୧। ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ। କିଛି ଲୋକ ଦୀପାବଳି  ଅକ୍ଟୋବର ୩୧ରେ ପାଳନ କରିବାକୁ ଥିବାବେଳେ କିଛି ଲୋକ ୧ ନଭେମ୍ବରରେ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି। 

ଦୀପାବଳି ପର୍ବ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ଦିନ ପାଳନ କରାଯାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ୩୧ ଅକ୍ଟୋବରରେ ଅପରାହ୍ନ ୩.୫୨ରେ ଆରମ୍ଭ ହେବ ଏବଂ ୧ ନଭେମ୍ବରରେ ସନ୍ଧ୍ୟା ୬.୧୬ରେ ଶେଷ ହେବ। ଏଭଳି ସ୍ଥିତିରେ ଅମାବାସ୍ୟାଙ୍କ ତାରିଖ ଅନୁଯାୟୀ, କେତେକ ପଣ୍ଡିତ ବା ଜ୍ୟୋତିଷ ବିଶାରଦମାନେ ୩୧ ଅକ୍ଟୋବରରେ ଦୀପାବଳି ପାଳନ କରିବାକୁ ପରାମର୍ଶ ଦେଉଛନ୍ତି। କେତେକ ନଭେମ୍ବର ୧ରେ ଦୀପାବଳି ପାଳନ କରିବାକୁ ସପକ୍ଷରେ ଅଛନ୍ତି।

ବିଏଚୟୁ ପ୍ରଫେସର ବିନୟ ପାଣ୍ଡେଙ୍କ ଅନୁଯାୟୀ ଦୀପାବଳି କେବଳ ୩୧ ଅକ୍ଟୋବରରେ ପାଳନ କରାଯିବା ଉଚିତ। କାରଣ ଏହି ଦିନ ସନ୍ଧ୍ୟାରେ ଅମାବାସ୍ୟା ଏବଂ ପ୍ରଦୋଷ ସମୟର ଏକ ସମାନତା ରହିଛି ଯେଉଁଥିରେ ଦୀପ ଦାନ, ଦେବୀ ଲକ୍ଷ୍ମୀଙ୍କ ଉପାସନା କରାଯାଇପାରିବ। ସ୍ୱସ୍ତିକପୀଠାଧିଶ୍ୱର ସ୍ୱାମୀ ଅଭାଦେଶ ପୁରୀ ମହାରାଜଙ୍କ ଅନୁଯାୟୀ ଦୀପାବଳି କେବଳ ୩୧ ଅକ୍ଟୋବରରେ ପାଳନ କରାଯିବା ଉଚିତ। କାରଣ  ଅକ୍ଟୋବର ୩୧ରେ ରାତି ସାରା ଅମାବାସ୍ୟା ରହିବ। କେବଳ ପ୍ରଦୋଷ ଅବଧି ଏବଂ ମହାନିଶିଥ ଅବଧି ସମୟରେ ଦୀପାବଳି ପୂଜା କରିବା ଶୁଭ ଅଟେ। କେତେକ ଜ୍ୟୋତିଷ ଏବଂ ପଣ୍ଡିତଙ୍କ ଅନୁଯାୟୀ, ନଭେମ୍ବର ୧ରେ ମଧ୍ୟ ଦୀପାବଳି ପାଳନ କରିବା ଉପଯୁକ୍ତ ହେବ। କାରଣ ତାଙ୍କ ଅନୁଯାୟୀ ଦୀପାବଳି କେବଳ ଉଦୟତିଥୀ ଅନୁଯାୟୀ ପାଳନ କରାଯିବା ଉଚିତ୍।

ଆଖଡା ପରିଷଦର ମୁଖପାତ୍ର ମହନ୍ତ ନାଭାଲ କିଶୋର ଦାସ କହିଛନ୍ତି ଯେ ନଭେମ୍ବର ୧ରେ ଦୀପାବଳି ପାଳନ କରିବା ଶୁଭ ହେବ। କାରଣ ଦୀପାବଳିର ଉଦୟତିଥୀ ସେହି ଦିନ ପଡୁଛି। ଉଦୟ ତିଥିର ଅର୍ଥ ହେଉଛି ସୂର୍ଯ୍ୟୋଦୟରୁ ଆରମ୍ଭ ତାରିଖ।

ପଣ୍ଡିତ ରାଜକୁମାର ଶାସ୍ତ୍ରୀଙ୍କ ଅନୁଯାୟୀ, ଉଭୟ ୩୧ ଅକ୍ଟୋବର ଏବଂ ୧ ନଭେମ୍ବରରେ ଦୀପାବଳି ପାଳନ କରିବା ଉପଯୁକ୍ତ ହେବ। ଯଦି ଲୋକମାନେ ନିଜ ଘରେ ପୂଜା କରିବାକୁ ଚାହାଁନ୍ତି ତେବେ ସେମାନେ ୩୧ ଅକ୍ଟୋବରରେ ରାତି କାଳରେ ପୂଜା କରିପାରିବେ। ଯଦି ବ୍ୟବସାୟୀମାନେ ପୂଜା କରିବାକୁ ଚାହାଁନ୍ତି, ତେବେ ସେମାନେ ୧ ନଭେମ୍ବର ପର୍ଯ୍ୟନ୍ତ ଶୁଭ ସମୟ ପାଇବେ ଯେଉଁଥିରେ ପୂଜା କରିବା ଉପଯୁକ୍ତ ହେବ।

  • Diwali 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.