ମୃତ୍ୟୁ ଦଣ୍ଡ ନା ଆଜୀବନ ଜେଲ୍; ଦୋଷୀ ସଞ୍ଜୟ ରୟକୁ କ’ଣ ମିଳିବ ସଜା ?

Published By : Prameya-News7 Bureau | January 20, 2025 IST

କୋଲକାତା: ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ସୋମବାର ମିଳିବ ସଜା । ପଶ୍ଚିମବଙ୍ଗ ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଛନ୍ତି ସିଆଲଦା କୋର୍ଟ । ଗତ ଶନିବାର ସେସନ କୋର୍ଟ ଏକ ମାତ୍ର ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଛନ୍ତି । ମାମଲାରେ ଆଜି ଦୋଷୀକୁ ସଜା ମିଳିବ । ଆଜୀବନ ଜେଲ୍ ନା ମୃତ୍ୟ ଦଣ୍ଡାଦେଶ ମିଳିବ ତାହା ଏବେ ସସ୍‌ପେନ୍ସ ରହିଛି । ସେପଟେ ଯାଞ୍ଚ ଏଜେନ୍ସି ଦୋଷୀକୁ ଫାଶୀ ଦଣ୍ଡ ଦେବାକୁ ଆଦାଲତରେ ଦାବି କରିଛି ।  

ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟ ୮ ତାରିଖରେ କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିଲା । ହସ୍ପିଟାଲର ସେମିନାର ହଲରୁ ପୀଡ଼ିତା ତଥା ଅଭୟାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲକାତା ପୋଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା । ତେବେ ଏହି ମାମଲାରେ ୧୬୨ ଦିନ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ସିଆଲଦା ସେସନ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ କରିଛନ୍ତି । ବିଚାରପତି ଜଷ୍ଟିସ୍ ଅନିର୍ବାନ ଦାସ ଅଭିଯୁକ୍ତ ସଞ୍ଜୟ ରୟକୁ ଭାରତୀୟ ନ୍ୟାୟ ସଂହିତା ଧାରା-୬୪, ଧାରା-୬୬ ଏବଂ ଧାରା-୧୦୩ରେ ଦୋଷୀ ବୋଲି ଘୋଷଣା କରିଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଅନୁସାରେ ୧୦ ବର୍ଷର ସଜା ଓ ଧାରା ୬୬ ଅନୁସାରେ ୨୫ ବର୍ଷର ଜେଲ୍‌, ଆଜୀବନ ବା ପୁଣି ମୃତ୍ୟୁର ସଜା ହୋଇପାରେ       ।

ସଞ୍ଜୟଙ୍କ ବିରୋଧରେ ରହିଥିବା ଅଭିଯୋଗ ଅନୁସାରେ, ପୀଡିତା ହସ୍ପିଟାଲ ସେମିନାର ରୁମରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଆଜି ଏହି ମାମଲାର ଦଣ୍ଡାଦେଶ ଶୁଣାଇବେ କୋର୍ଟ । ଏନେଇ ସିଆଲଦା ସେସନ ଅଦାଲତ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.