ନୂଆଦିଲ୍ଲୀ ୨୦।୧: ରାଜଧାନୀ ଦିଲ୍ଲୀର ୭୦ ବିଧାନସଭା ଆସନ ନିମନ୍ତେ ଫେବୃଆରୀ ୫ ତାରିଖରେ ଭୋଟଗ୍ରହଣ ହେବ, ୮ଫେବୃଆରୀରେ ଭୋଟଗଣନା ହେବାକୁ ଥିବା ବେଳେ ପ୍ରଚାର ଜମିବାକୁ ଲାଗିଲାଣି। ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ଶାସକ ଆମ ଆଦମୀ ପାର୍ଟି (ଆପ), କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ସମସ୍ତେ ବିଧାନସଭା ଦଖଲ କରିବେ ବୋଲି ଦାବି କରୁଛନ୍ତି। ଏହିକ୍ରମରେ ସୋମବାର ସି-ଭୋଟରର ‘ସ୍ନାପ ପୋଲ’ ସାମ୍ନାକୁ ଆସିଛି। ଏଥିରେ ମଧ୍ୟ ଆପ ଆଗରେ ଥିବା ଜଣାପଡିଛି।
ସି-ଭୋଟର ସ୍ନାନପ ପୋଲରେ ଲୋକଙ୍କୁ ପଚରା ଯାଇଥିଲା ଯେ ଦିଲ୍ଲୀରେ ସେମାନେ ସରକାର ବଦଳାଇବାକୁ ଚାହୁଁଛନ୍ତି କି? ୧୫ ଜାନୁୟାରୀର ଏହି ସର୍ଭେ ଅନୁସାରେ ୪୫ ପ୍ରତିଶତ ଭୋଟର ସରକାର ବଦଳୁ ବୋଲି ଚାହୁଁଛନ୍ତି। ତେବେ ୫୧ ପ୍ରତିଶତ ଭୋଟର ସରକାର ବଦଳାଇବାକୁ ଚାହୁଁନଥିବା ଜଣାପଡିଛି। ତେବେ ଏହା ପୂର୍ବରୁ ଜାନୁୟାରୀ ୬ ତାରିଖରେ ଜାରି ହୋଇଥିବା ସି-ଭୋର ସର୍ଭେରେ ୪୫ ପ୍ରତିଶତ ଭୋଟର ସରକାର ବଦଳାଇବାକୁ ଆଗ୍ରହୀ ଥିବା ବେଳେ ୪୯ ପ୍ରତିଶତ ସରକାରଙ୍କୁ ସମର୍ଥନ କରୁଥିବା ଜଣାପଡିଥିଲା। ଗତ ସର୍ଭେ ତୁଳନାରେ ତାଜା ସର୍ଭେରେ ଆପକୁ ଟିକେ ଅଧିକ ଲାଭ ହୋଇଥିବାର ଦେଖାଯାଇଛି।
ସି-ଭୋଟରର ୟଶବନ୍ତ ଦେଶମୁଖ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଥମେ କୁହାଯାଉଥିଲା ଯେ କଂଗ୍ରେସର ଭୋଟ ହ୍ରାସ ହେଲେ ଏହାର ସିଧା ଶଳଖ ଲାଭ ଆପକୁ ମିଳିବ। ହେଲେ ଏଥର କରାଯାଇଥିବା ସର୍ଭେରେ କଂଗ୍ରେସର କଟୁଥିବା ଭୋଟ ବିଜେପି ଖାତାକୁ ଯାଉଥିବା ଦେଖାଯାଉଛି। ଏଥିରୁ ଏବେ ଯେଉଁ କଂଗ୍ରେସ ଭୋଟର ସରକାର ବଦଳାଇବାକୁ ଚାହୁଁଛନ୍ତି ସେମାନେ ମତଦାନ କେନ୍ଦ୍ରରେ ବିଜେପିକୁ ଭୋଟ ଦେଇ ପାରନ୍ତି ବୋଲି ଦେଶମୁଖ କହିଛନ୍ତି।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାସକ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ମୁଖ୍ୟ ସଂଯୋଜକ ଅରବିନ୍ଦ କେଜରିୱାଲ, ତାଙ୍କ ପତ୍ନୀ ସୁନିତା କେଜରିୱାଲ, ମୁଖ୍ୟମନ୍ତ୍ରୀ ଆତିଶୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ଆଗଧାଡିରେ ରହି ପ୍ରଚାର ଚଳାଇଛନ୍ତି। ଏହା ଛଡା ପାର୍ଟିର ୪୦ ଷ୍ଟାର ପ୍ରଚାରକଙ୍କ ତାଲିକାରେ ପାର୍ଟି ସାଂସଦ ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ହରଭଜନ ସିଂହଙ୍କ ସହିତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମଧ୍ୟ ଅଛନ୍ତି।