କୋଲକାତା; କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତର ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍ । ସିଆଲଦା ସେସନ କୋର୍ଟ ଦୋଷୀ ସଞ୍ଜୟ ରୟକୁ ଆଜୀବନ ଜେଲ୍ ଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । କୋର୍ଟ ରାୟ ଶୁଣାଇବା ବେଳେ କହିଛନ୍ତି ଏହା ମାମୁଲି ମାମଲା ନୁହେଁ, ଏଥିରେ ଦୋଷୀକୁ କଠୋରରୁ ଅତି କଠୋର ସଜା ମିଳିବା ଦରକାର ।
ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟ ୮ ତାରିଖରେ କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିଲା । ହସ୍ପିଟାଲର ସେମିନାର ହଲରୁ ପୀଡ଼ିତା ତଥା ଅଭୟାଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ କୋଲକାତା ପୋଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରିଥିଲା । ତେବେ ଏହି ମାମଲାରେ ୧୬୨ ଦିନ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ସିଆଲଦା ସେସନ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ବିଚାରପତି ଜଷ୍ଟିସ୍ ଅନିର୍ବାନ ଦାସ ଅଭିଯୁକ୍ତ ସଞ୍ଜୟ ରୟକୁ ଭାରତୀୟ ନ୍ୟାୟ ସଂହିତା ଧାରା-୬୪, ଧାରା-୬୬ ଏବଂ ଧାରା-୧୦୩ରେ ଦୋଷୀ ବୋଲି ଘୋଷଣା କରିଥିଲେ ।