କୋଲକାତା: ଶୁଭମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ପ୍ରଭାବଶାଳୀ ବୋଲିଂ। ଆଇପିଏଲ୍ର ୩୯ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏକତରଫା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ତାରି ମାଟିରେ ୩୯ ରନରେ ହରାଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚ୍ରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରିଥିଲା। ଶୁଭମନ ଗିଲ୍ଙ୍କ ବିସ୍ଫୋରକ ୯୦ ରନ, ସାଇ ସୁଦର୍ଶନଙ୍କ ୫୨ ରନ ଓ ଜୋସ ବଟଲରଙ୍କ ଅପରାଜିତ ୪୧ ରନ ବଳରେ ୩ ଓ୍ଵିକେଟ୍ ହରାଇ ୧୯୮ ରନ କରିଥିଲା। ଜବାବରେ କୋଲକାତା ୮ ଓ୍ଵିକେଟ୍ ହରାଇ ୧୫୯ ରନ କରି ପାରିଥିଲା। ଅଧିନାୟକ ଆଜିଙ୍କ୍ୟ ରାହାଣେ ୫୦ ରନ କରିଥିଲେ। ଷଷ୍ଠ ବିଜୟ ସହ ଗୁଜରାଟ ଟାଇଟନ୍ସ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ମଜବୁତ କରିଛି। କୋଲକାତା ପଞ୍ଚମ ପରାଜୟ ଭୋଗିଛି।
୧୯୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାର ଆରମ୍ଭ ନିରାଶଜନକ ଥିଲା। ୨ ରନ ସ୍କୋରରେ ରେହମନୁଲ୍ଲା ଗୁରବାଜ(୧) ଆଉଟ୍ ହୋଇଥିଲେ। ଏହା ପରେ ସୁନିଲ ନାରାୟଣ ଓ ଆଜିଙ୍କ ରାହାଣେ ଦ୍ଵିତୀୟ ଓ୍ଵିକେଟ୍ରେ ୪୧ ରନ ଯୋଡ଼ିଥିଲେ। ନାରାୟଣ ୧୭ ରନ କରି ପାରିଥିଲେ। ଭେଙ୍କଟେଶ ଆୟର(୧୪ ରନ) ପୁଣି ନିରାଶ କରିଥିଲେ। କୋଲକାତା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦଳର ରନ ଗତି ଧିମା ହେବା ସହ ବିଜୟଠୁ ଦୂରେଇ ଯାଇଥିଲା।
ଅଧିନାୟକ ଆଜିଙ୍କ୍ୟ ରାହାଣେ ୩୬ ବଲରୁ ୫୦ ରନର ଇନିଂସ ଖେଳିଥିଲେ। ତାଙ୍କ ପରେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ରିଙ୍କୁ ସିଂ ୧୭ ରନ, ଆନ୍ଦ୍ରେ ରସେଲ ୨୧ ରନ କରି ପାଭିଲିୟନ ଫେରିଥିଲେ। ଅଙ୍ଗକୃଷ ରଘୁବଂଶୀ ଶେଷରେ ୧୩ ବଲରୁ ୨୭ ରନ କରି ଅପରାଜିତ ଥିଲେ। କୋଲକାତା ୮ ଓ୍ଵିକେଟ୍ ହରାଇ ୧୫୯ ରନରେ ସୀମିତ ରହିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ରଶିଦ ଖାନ ୨୫ ରନ ଦେଇ ୨ଟି ଓ ପ୍ରସିଦ୍ଧ କୃଷ୍ଣ ୨୫ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।